କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ କପାର ଉତ୍ପାଦନକୁ ଦେଖି ଗୋଟିଏ ସରକାରୀ ଓ ୬ଟି ବେସରକାରୀ ଜିନିଂ ମିଲ ଗଢ଼ିଉଠିଛି। ହେଲେ ପ୍ରାଶାସନିକ ଅବହେଳାରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି। ଅନ୍ୟପଟେ ଜିଲ୍ଲାର ୭ଟି ଜିନିଂ ପ୍ଲାଣ୍ଟ ସଙ୍କଟରେ ପଡ଼ିଛି। ଜିଲ୍ଲାରୁ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ କପା ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲିଯିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

publive-image Regeneration International

କପାର ଉତ୍ପାଦନ କ୍ଷମତା ଦେଖି ଜିଲ୍ଲାରେ ଏହି କାରଖାନାର ବୃଦ୍ଧି ଘଟିଥିଲା। ଯାହା ଦ୍ୱାରା କାରଖାନା ଅଞ୍ଚଳରେ ବେକାର ଯୁବକ ଯୁବତୀ ଏବଂ ଶ୍ରମିକମାନେ ବର୍ଷସାରା ପାଉଥିଲେ। ଏବେ ସେମାନେ ନିଯୁକ୍ତି ହରାଇବା ସ୍ଥିତି ସୃଷ୍ଟି ହେଲାଣି। ଜିଲ୍ଲାରେ ଏବର୍ଷ ପ୍ରାୟ ୫ଲକ୍ଷ କୁଇଣ୍ଟାଲ କପା ଉତ୍ପାଦନ ହୋଇଛି। ଏହି ଜିନିଂ ପ୍ଲାଣ୍ଟମାନଙ୍କ ପାଖରେ ମାତ୍ର ୧ ଲକ୍ଷ ୫୦ ହଜାର କୁଇଣ୍ଟାଲରୁ ୨ ଲକ୍ଷ କୁଇଣ୍ଟାଲ ମଧ୍ୟରେ କପା ଜିନିଂ ପାଇଁ ରହିଛି। ବଳକା ସବୁ ଅନ୍ୟ ଅଞ୍ଚଳକୁ ଯାଇଛି। ରାଜସ୍ୱ ହରାଉଥିଲେ ବି ପ୍ରଶାସନ ଚୁପ୍‌ ହୋଇ ବସିଛି। ଜିଲ୍ଲାରେ ଥିବା ୭ଟି ଜିନିଂ ପ୍ଲାଣ୍ଟ୍‌ର ଜିନିଂ କ୍ଷମତା ୮ଲକ୍ଷ କୁଇଣ୍ଟାଲ ରହିଛି। ମାତ୍ର ଏବେ ଯେତିକି ଅଛି ତାହା ସମୁଦ୍ରକୁ ଶଙ୍ଖେ। ଏଣୁ ଏହି ସବୁ ମିଲ୍‌ ଅସୁବିଧା ସ୍ଥିତିରେ ଅଛନ୍ତି। ସବୁଠୁ ବେଶି ସରକାରୀ ସହାୟତାରେ ଗଢ଼ି ଉଠିଥିବା କୋଣାର୍କ ଜିନିଂ ମିଲ୍‌ ଅବସ୍ଥା ଅନ୍ଧକାର ମଧ୍ୟକୁ ଠେଲି ହୋଇଛି। ଏଠାରେ କାର୍ଯ୍ୟ କରୁଥିବା ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ଭବିଷ୍ୟତ ଦୋ-ଛକିରେ ପଡ଼ିଯାଇଛି। ଏମାନେ ଅନ୍ୟ ବର୍ଷମାନଙ୍କରେ ବର୍ଷକୁ ୮ ମାସ କାର୍ଯ୍ୟ ପାଇଥାନ୍ତି। ଏଥର ୩ ମାସ ଚାଲିବା କଷ୍ଟକର ହୋଇପଡ଼ିଛି।କୋଣାର୍କ ସୂତାକଳ ୩୯ ବର୍ଷ ପରେ ସରକାରୀ ଉଦାସୀନତା ଯୋଗୁଁ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଯେଉଁ ଜିନିଂ ମିଲ୍‌ ଚାଲୁଛି ତାହା ବି ଏବେ ଦୋ-ଛକିରେ ପଡ଼ିଯାଇଛି।

publive-image The New Indian Express

କୋଣାର୍କ ସୂତାକଳ, ବଂଶଲ, ଦାଦାଗୁରୁ, ଭାଗ୍ୟଲକ୍ଷ୍ମୀ, ନେଚୁରାଲ, ସାବିତ୍ରୀ ଓ ଦ୍ୱାରକା ମାଇ ନାମକ ଜିନିଂ ମିଲ୍‌ ରହିଛି। ଗୋଟିଏ ଗୋଟିଏ ଜିନିଂ ମିଲ୍‌ରେ ପ୍ରାୟ ୨କୋଟିରୁ ଅଧିକ ଟଙ୍କା ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି। କିନ୍ତୁ କପା ଅନ୍ୟ ରାଜ୍ୟକୁ ଚାଲିଯିବା ଫଳରେ ଏମାନଙ୍କ ଅବସ୍ଥା ବେହାଲ ହେଉଛି। କପା ଚାଷ ଆରମ୍ଭ ହୋଇ ୪୦ ବର୍ଷ ବିତିଗଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ମାର୍କେଟିଂ ବ୍ୟବସ୍ଥା ହୋଇନାହିଁ। ଆର୍‌ଏମ୍‌ସି କପାରୁ ଏତେବର୍ଷ ମଧ୍ୟରେ କୋଟି କୋଟି ଟଙ୍କା କମିସନ ପାଇଥିଲେ ମଧ୍ୟ କୃଷକଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ। ଫଳ ସ୍ୱରୂପ ମଣ୍ଡି ବ୍ୟବସ୍ଥା ହୋଇପାରୁ ନାହିଁ। ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏବର୍ଷ ମହାରାଷ୍ଟ୍ରରେ କପା ଉତ୍ପାଦନ କମ୍‌ ହେବା ଏବଂ ଆନ୍ତର୍ଜାତିକ ବଜାରରେ ଚାହିଦା ହେବାରୁ ଚାଷୀ ସହାୟକ ମୂଲ୍ୟରୁ ୧୨/୧୫ ଶହ ଟଙ୍କା ଅଧିକ ପାଇଛି। ହେଲେ ପ୍ରଶାସନ ତଦାରଖ ନକରିବାରୁ ଦଲାଲମାନେ ଫାଇଦା ପାଇଲେ। ତଦାରଖ କରିଥିଲେ ଚାଷୀ ଓ ଜିନିଂ ମିଲ୍‌ ଉଭୟ ଲାଭ ପାଇଥାନ୍ତେ। କପା ବିକ୍ରିର ଅବ୍ୟବସ୍ଥା ଆଗକୁ ଜିଲ୍ଲାରେ ଜିନିଂ କାରଖାନାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। ଚାଷୀ ପାଇଁ ବିପଦ ଆଣିବ ବୋଲି ଚାଷୀ ସଂଗଠନ କହିଛି।