ଭବାନୀପାଟଣା ସାଇବର କେଫ୍‌ରେ ଚଢ଼ଉ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର କଳାହାଣ୍ଡି ଲିଙ୍କ୍‌

ଭବାନୀପାଟଣା : ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପାଟଣାଗଡ଼ ପୁଲିସକୁ ମିଳିଛି କଳାହାଣ୍ଡି ଲିଙ୍କ୍‌ର ସୁରାକ୍‌। ସ୍କାଏ କିଙ୍ଗ କୋରିଅରରେ ମୃତ୍ୟୁ ଉପହାର ପ୍ୟାକେଟ୍‌ ପଠାଯିବା ପରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଏକ ସାଇବର କେଫ୍‌ରୁ ଏହାର ଟ୍ରାକିଂ କରାଯାଇଥିଲା। ଏହି ସୂଚନା ପାଇବା ପରେ ଭବାନୀପାଟଣା ମହାବୀରପଡ଼ାରେ ଥିବା ସଂପୃକ୍ତ ସାଇବର କେଫ୍‌ରେ ଚଢ଼ଉ କରାଯାଇଛି।

ଏହାର କମ୍ପ୍ୟୁଟର ହାର୍ଡଡିସ୍କ ଚେକ୍‌ କରାଯିବା ସହ ସ୍ଥାନୀୟ ବିଏସ୍‌ଏନ୍‌ଏଲ୍‌ ଅଫିସରେ ମଧ୍ୟ ଏନେଇ ଯାଞ୍ଚ କରାଯାଇଛି। ଏହି ସାଇବର କେଫ୍‌ରେ କିଏ ଓ କ’ଣ ପାଇଁ ଏହି ଟ୍ରାକିଂ କରିଥିଲେ ତାହାର ତନାଘନା ଚାଲିଛି। ଏପଟେ ପୁଲିସର ଅନ୍ୟ ଏକ ଟିମ୍‌ ସାଇବର ବିଶେଷଜ୍ଞମାନଙ୍କ ସହ ପରାମର୍ଶ ଚଳାଇଥିବା ଜଣାପଡ଼ିଛି।

ଏହି ସ୍ପର୍ଶକାତର ଘଟଣାର ତଦନ୍ତ ପାଇଁ ପାଟଣାଗଡ଼ ପୁଲିସ କୋଲକାତା ଯାଇ କୋରିଅର ସଂସ୍ଥାର ରେକର୍ଡ ଓ ପାର୍ସଲ ଡେଲିଭରି ପୂର୍ବର ଟ୍ରାକିଂ ରେକର୍ଡ ଯାଞ୍ଚ କରିଥିଲା। ଟ୍ରାକିଂ ରେକର୍ଡରୁ ଭବାନୀପାଟଣାର ଏହି ଇଣ୍ଟରନେଟ କେଫରୁ ପାର୍ସଲ ଟ୍ରାକିଂ ହୋଇଥିବା ସୂଚନା ମିଳିଥିଲା। ଏନେଇ ପାଟଣାଗଡ଼ ପୁଲିସ ପକ୍ଷରୁ ଆଇଆଇସି ବାରେଣୀ ଦାସ, ଏସ୍‌ଆଇ ମଳୟ ପଣ୍ଡାଙ୍କ ସହିତ ଏକ ୭ଜଣିଆ ଟିମ ଗତ ଗୁରୁବାର ସନ୍ଧ୍ୟାରେ ଭବାନୀପାଟଣାରେ ପହଞ୍ଚିଥିଲେ। କଳାହାଣ୍ଡି ଏସ୍‌ପିଙ୍କୁ ସାକ୍ଷାତ କରିବା ପରେ ଘଟଣାର ଖୋଳତାଡ଼ ପାଇଁ ବାହାରିଥିଲେ। ଏହି ସମୟରେ ଇଣ୍ଟରନେଟ କେଫ୍‌ ମାଲିକ ଇରିଗେସନ୍‌ କଲୋନିରେ ତାଙ୍କ ଘରେ ଥିଲେ। ତାଙ୍କୁ ସେଠାରୁ ଆଣି କେଫ୍‌କୁ ଆସିଥିଲେ। କମ୍ପ୍ୟୁଟର ହାର୍ଡଡିକ୍ସ ତନଖି କରି ତଦନ୍ତ ଆରମ୍ଭ କରିଥିଲେ। ପରେ ବିଏସ୍‌ଏନ୍‌ଏଲ୍‌ ଅଫିସ ଯାଇ ତଦନ୍ତ କରିଥିଲେ। ରାତି ପ୍ରାୟ ସାଢ଼େ ଦଶଟାରେ ତଦନ୍ତ ଶେଷ କରି କଳାହାଣ୍ଡି ଏସ୍‌ପିଙ୍କୁ ପୁନର୍ବାର ଭେଟି ଫେରି ଯାଇଥିଲେ। ଅତ୍ୟନ୍ତ ଗୋପନୀୟ ଭାବେ ଏହି ତଦନ୍ତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏହାର ଟେର ପାଇ ନଥିଲେ।

ଏଠାରେ ତଦନ୍ତରୁ କ’ଣ ମିଳିଛି ସେ ବିଷୟରେ ପୁଲିସ ମୁହଁ ଖୋଲୁ ନଥିଲେ ମଧ୍ୟ ପାର୍ସଲ ବୋମା ବିସ୍ଫୋରଣ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର