ଭବାନୀପାଟଣା: କଳାହାଣ୍ଡି ଲୋକସଭା ଆସନ ପାଇଁ ବି‌ଜେଡି ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରି ଯାଦବ କାର୍ଡ ଖେଳିଛି। ଅନ୍ୟପକ୍ଷରେ, ଭବାନୀପାଟଣା, ଜୁନାଗଡ଼, ଲାଞ୍ଜିଗଡ଼, ଧର୍ମଗଡ଼ ଏବଂ ନୂଆପଡ଼ା ବିଧାନସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଟିକେଟରୁ ବଞ୍ଚିତ ହୋଇଛନ୍ତି।

Advertisment

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଦଳ ‌ଟିକେଟ ଦେଇଛି। ଗତ ନିର୍ବାଚନରେ ପୁଷ୍ପେନ୍ଦ୍ର ଲୋକସଭା ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ। ସେଠାରେ ମୌଷଧି ବାଗ ବିଜୟୀ ହୋଇଥିଲେ। ମାତ୍ର କିଛିଦିନ ତଳେ ନବୀନ ନିବାସରେ କଳାହାଣ୍ଡି ଲୋକସଭା କ୍ଷେତ୍ର ବୈଠକରେ ଶ୍ରୀ ବାଗଙ୍କୁ ଡକା ଯାଇନଥିଲା। ଅପରପକ୍ଷରେ ଖରିଆର ନିର୍ବାଚନମଣ୍ଡଳୀରୁ ୨ ଥର ପରାଜିତ ହୋଇଥିବା ଲମ୍ବୋଦର ନିଆଲଙ୍କୁ ଦଳ ଭରସା କରି ଲୋକସଭା ପାଇଁ ପ୍ରାର୍ଥୀ କରିଛି। ଶ୍ରୀ ନିଆଲ ଉତ୍କଳ ଯାଦବ ମହାସଭାର ମହାସଚିବ ଅଛନ୍ତି ଏବଂ ଏହି ଆସନରେ ୨୫ ପ୍ରତିଶତ ଯାଦବ ଭୋଟ୍‌ ଉପରେ ବିଜେଡିର ନଜର ରହିଛି। ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ଦିବ୍ୟଶଙ୍କର ମିଶ୍ର ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ହୋଇ ପଡ଼ିଥିଲେ ହେଁ ତାଙ୍କୁ ଦଳ ପୁନର୍ବାର ଟିକେଟ ଦେଇଛି।

ଭବାନୀପାଟଣା ନିର୍ବାଚନମଣ୍ଡଳୀରେ ୧୫ରୁ ଅଧିକ ଆଶାୟୀ ଥିବା ବେଳେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ପତ୍ନୀ ଲଳିତା ନାଏକଙ୍କୁ ବିଜେଡି ଟିକେଟ ଦେଇଛି।ସେହିପରି, ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଦୀପ ଦିଶାରୀ ଓ ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆଙ୍କୁ ଦଳ ପୁଣି ଟିକେଟ୍‌ ଦେଇଛି। ଖରିଆର ଆସନରେ ସଦ୍ୟ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ଟିକେଟ ଦେବାପାଇଁ ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ଚର୍ଚ୍ଚା ହେଉଛି। ତାଙ୍କ ବିରୋଧରେ ଗତଥର ନିର୍ବାଚନ ଲଢ଼ିଥିବା ଲମ୍ବୋଦର ନିଆଲଙ୍କୁ ଦଳ ସାଂସଦ ଟିକେଟ ଦେଇ ଅଧିରାଜଙ୍କ ରାସ୍ତା ସଫା କରିସାରିଛି।