ଭବାନୀପାଟଣା: କଳାହାଣ୍ଡି ଲୋକସଭା ଆସନ ପାଇଁ ଆଶାୟୀଙ୍କ ଛକାପଞ୍ଝା ଆରମ୍ଭ ହୋଇଛି। ଗତ ନିର୍ବାଚନରେ ବିଜେପିର ବସନ୍ତ ପଣ୍ଡା ଏହି ଆସନରୁ ନିର୍ବାଚିତ ହୋଇଥିଲେ। ଏଥର କିନ୍ତୁ ଦଳୀୟ ଆଶାୟୀ ବାଟ ଓଗାଳୁଥିବାରୁ ତାଙ୍କ ପାଇଁ ଅଡୁଆ ହୋଇଛି। ଏଥର ବସନ୍ତ ପଣ୍ଡାଙ୍କ ସମେତ ସୁନୀତି ମୁଣ୍ଡ, ଭବେନ୍ଦ୍ର ପଣ୍ଡା, ଭାରତ ଭୂଷଣ ଦେଓ, ହିମାଂଶୁ ଶେଖର ମେହେର, ଦୀପଜ୍ୟୋତି ମୁଣ୍ଡ, କାଳିପ୍ରସାଦ ରାୟଗୁରୁ ଓ ଅର୍କକେଶରୀ ଦେଓ ଲୋକସଭା ସାଂସଦ ପ୍ରାର୍ଥୀ ପାଇଁ ଆବେଦନ କରିଛନ୍ତି। ବସନ୍ତ ପଣ୍ଡାଙ୍କୁ ଛାଡ଼ି ଅନ୍ୟ ସମସ୍ତ ଆଶାୟୀ କଳାହାଣ୍ଡି ଜିଲ୍ଲାର ଅଧିବାସୀ ଅଟନ୍ତି। ସେହିଭଳି ବିଜେଡିର ଲୋକସଭା ପ୍ରାର୍ଥୀ ଭାବରେ ଭୂପିନ୍ଦର ସିଂ, ଦିବ୍ୟଶଙ୍କର ମିଶ୍ର, ସୁଜିତ କୁମାର ଓ ଡ. ଅଜିତ ମିଶ୍ରଙ୍କ ନାମ ଚର୍ଚ୍ଚାରେ ଅଛି। କଂଗ୍ରେସରୁ ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ବଳଭଦ୍ର ମାଝୀ, ସାଗର ଚରଣ ଦାସଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ବରିଷ୍ଠ ଆଇନଜୀବୀ ଦୈତାରୀ ପ୍ରଧାନଙ୍କ ନାମ ବି ଆଲୋଚନା ପରିସରକୁ ଆସିଛି। ବିଜେଡିରେ ଲୋକସଭା ଆସନ ପାଇଁ ପ୍ରାର୍ଥୀମାନେ ବିଶେଷ ଆଗ୍ରହ ଦେଖାଉ ନଥିବା ବେଳେ ବିଜେପିରେ କିନ୍ତୁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ମୋଦୀ ଲହରରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେପି ଆଶାୟୀଙ୍କ ମଧ୍ୟରେ ଟିକେଟ ରେସ ଆରମ୍ଭ ହୋଇଛି।
ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା ଦେଓ ଜୁନାଗଡ଼ ବିଧାନସଭା ନିମନ୍ତେ ଆଶାୟୀ ଥିବାବେଳେ ଅର୍କକେଶରୀ ଦେଓ ଲୋକସଭା ପାଇଁ ଆଶାୟୀ ଅଛନ୍ତି। ସେହିଭଳି ଭୂପିନ୍ଦର ସିଂଙ୍କୁ ନର୍ଲା ବିଧାନସଭାରୁ ଅନ୍ୟତ୍ର ଥଇଥାନ ପାଇଁ ଗୋଟି ଚାଳନା ଆରମ୍ଭ ହୋଇଛି। ଏପରିକି ଆବଶ୍ୟକ ସ୍ଥଳେ ଲୋକସଭା ପ୍ରାର୍ଥୀ କରିବା ନିମନ୍ତେ ବିଜେଡିର ଏକ ଗୋଷ୍ଠୀ ଲବି ଆରମ୍ଭ କରିଛନ୍ତି। ସେହିଭଳି ଜୁନାଗଡ଼ ନିର୍ବାଚନମଣ୍ଡଳୀରେ ଦିବ୍ୟ ଶଙ୍କର ମିଶ୍ର ଭୋଟରଙ୍କ ରୋଷର ଶିକାର ହେଉଥିବା ଯୋଗୁଁ ତାଙ୍କୁ ଲୋକସଭାରେ ଦଳ ଟିକଟ ଦେଇପାରେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କଂଗ୍ରେସ ଦଳରେ ସାଗର ଚରଣ ଦାସଙ୍କୁ ଲୋକସଭା ପ୍ରାର୍ଥୀ କରାଯିବ ନା’ ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରାଯିବ ସେନେଇ ଦଳର ତୁଙ୍ଗ ନେତାମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ପୂର୍ବରୁ ପ୍ରତିଦ୍ବନ୍ଦିତା କରି ଆସୁଥିବା ଭକ୍ତ ଚରଣ ଦାସଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ପୁନର୍ବାର ଦଳ ଟିକେଟ ଦେବ ନା’ ବିଧାନସଭା ନିମନ୍ତେ ଦଳ ଅନୁରୋଧ କରିବ ସେନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଧୁରୀଣ ରାଜନେତା ଭକ୍ତ ଚରଣ ଦାସଙ୍କ ଗୋଟି ଚାଳନା ଉପରେ ସଭିଁଙ୍କ ନଜର ରହିଛି। ଖଡ଼ିଆର ବିଧାୟକ ବିଜେଡିମୁହାଁ ଥିବା ବେଳେ କଂଗ୍ରେସ ଆଗକୁ ସଂଗଠନକୁ ମଜବୁତ କରିବା ପାଇଁ କ’ଣ ପଦକ୍ଷେପ ନେବ ଏହା ଉପର ହିସାବନିକାଶ ଆରମ୍ଭ ହୋଇଛି।