ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍ଏସିର ପ୍ରଥମ କାଉନ୍ସିଲ୍ ବୈଠକରେ ସ୍ଥାନୀୟ ସଂସାଦ ବସନ୍ତ ପଣ୍ଡା ‘ମୁଣ୍ଡକାଟ୍’ ଧମକ ଦେଇଥିବା ଅଭିଯୋଗ ହୋଇଛି। ବିଜେଡି କାଉନ୍ସିଲ୍ର୍ମାନେ ଏହାର ତୀବ୍ର ନିନ୍ଦା କରିବା ସହ ଘଟଣା ଏବେ ସାରାଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ଜୁନାଗଡ଼ ଏନ୍ଏସିର ଅଧ୍ୟକ୍ଷ ପଦ ବିଜେପି ହାତରେ ରହିଛି। ମାତ୍ର, ଏନ୍ଏସିର ୧୨ଜଣ କାଉନ୍ସିଲର୍ଙ୍କ ମଧ୍ୟରୁ ୧୦ ଜଣ ବିଜେଡି ହୋଇଥିବାବେଳେ ବିଜେପି ଦଳରୁ ମାତ୍ର ୨ଜଣ ରହିଛନ୍ତି। ଏନ୍ଏସି ନିର୍ବାଚନ ପରେ ଆଜି ପ୍ରଥମ କାଉନ୍ସିଲ୍ ବୈଠକ ବସିଥିଲା। କଳାହାଣ୍ଡି ସାଂସଦ ଶ୍ରୀ ପଣ୍ଡା ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ସମୟରେ ବିଜେଡି କାଉନ୍ସିଲର୍ମାନେ କେତେକ ସମସ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବଦେବା ସମୟରେ ସାଂସଦ ଶ୍ରୀ ପଣ୍ଡାଙ୍କ ସହିତ ବିଜେଡି କାଉନ୍ସିଲର୍ଙ୍କର ଯୁକ୍ତିତର୍କ ହୋଇଥିଲା। ଏବଂ, ଏହି ସମୟରେ ସାଂସଦ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
ସାଂସଦଙ୍କ ଏପରି ମନ୍ତବ୍ୟକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବି ଅସନ୍ତୋଷ ଦେଖାଦେଇଛି। ଏ ସଂପର୍କରେ ସାଂସଦ ଶ୍ରୀ ପଣ୍ଡାଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍ ଲାଗି ନଥିଲା। ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କୁ ପଚାରିବାରୁ ସାଂସଦ ଏକ ଉଦାହରଣ ଦେଇ କହିଥିଲେ, କୌଣସି ଧମକ ଚମକ ଦେଇ ନାହାନ୍ତି ଏବଂ ବିରୋଧୀମାନେ ଏହାକୁ ଅଲଗା ରଙ୍ଗ ଦେଉଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସାଂସଦ ଧମକ ଦେଉଥିବା ଭିଡିଓ କ୍ଲିପ୍ ଏବେ ସାମାଜିକ ଗଣମାଧ୍ୟମରେ ବି ଘୂରି ବୁଲୁଛି।