କଳାହାଣ୍ଡି ମର୍ଡର ମିଷ୍ଟ୍ରି: ଗୁପ୍ତ କୋଠରିରେ ପୁଲିସ ପହଞ୍ଚି ପାରିବ ତ?

କିଛି ଝିଅଙ୍କ ଏହି କୋଠରିକୁ ଅବାଧ ପ୍ରବେଶ ଥିଲା, ଗୁପ୍ତ କୋଠରିକୁ ଅଡିଓ ସୋସିଆଲ ମିଡିଆରେ ଭାଇରାଲ୍‌

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜର ଗୁପ୍ତ କୋଠରିକୁ ଏଯାଏ ପୁଲିସ ପହଞ୍ଚି ପାରି ନଥିବା ଯୋଗୁଁ ବହୁ ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ। ଏହି ଗୁପ୍ତ କୋଠରିକୁ ଗୋବିନ୍ଦ ସାହୁ ଓ କିଛି ଝିଅଙ୍କ ଅବାଧ ପ୍ରବେଶ ଥିଲା। ଗୁପ୍ତ କୋଠରି ଓ ଗୋବିନ୍ଦ ସାହୁଙ୍କ ଯୈାନ କେଳେଙ୍କାରୀ ଲିଙ୍କ୍‌ରେ କେଉଁମାନେ ଥିଲେ, ତାହା ଏବେ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ପ୍ରକାଶ ଯେ, ମହାଲିଙ୍ଗ କଲେଜର ଗୋବିନ୍ଦ ସାହୁଙ୍କ ଗୁପ୍ତ କୋଠରିକୁ ନେଇ ଜଣେ ଛାତ୍ରୀଙ୍କ ଅଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗୋବିନ୍ଦ ସାହୁ କଲେଜର ବିଭିନ୍ନ ବର୍ଷର ଜଣେ ଦୁଇଜଣ ଛାତ୍ରୀଙ୍କ ସହ ଏହି ଗୁପ୍ତ କୋଠରିକୁ ଯାତାୟାତ କରୁଥିଲେ। ସେମାନଙ୍କୁ ମାର୍କ ବଢ଼ାଇବା ଓ ଅନ୍ୟ ପ୍ରଲୋଭନ ଦେଖାଇ ଗୁପ୍ତ କୋଠରିରେ ନେତାମନ୍ତ୍ରୀଙ୍କୁ ଭେଟି ଦିଆଯାଉଥିଲା। ଏହି ଘଟଣା ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଜାଣିଥିଲେ।

ଅନ୍ୟ ଏକ ସୂଚନା ଅନୁସାରେ, ଗୋବିନ୍ଦ ସାହୁ ଏହି କାର୍ଯ୍ୟରେ କିଛି ତାଙ୍କର କିଛି ଖାସ୍‌ ଲୋକଙ୍କୁ ନିୟୋଜିତ କରି ଗୁପ୍ତ ଭାବରେ ଅପରେସନ କରୁଥିଲେ। ଯୁକ୍ତତିନି ହଷ୍ଟେଲର ଗୁପ୍ତ କୋଠରିରେ ଜଣେ ଝିଅର ଅବାଧ ପ୍ରବେଶ ଥିଲା। ଏହି ଝିଅକୁ ଅନ୍ୟ ଜଣେ ଝିଅ ସହଯୋଗ କରୁଥିଲେ। ଏହି ଦୁଇ ଝିଅଙ୍କର ଗୁପ୍ତ କୋଠରିକୁ ଅବାଧ ପ୍ରବେଶ ରହିଥିଲା। ରାମ ରହିମ ଭଳି ଏହି ଗୁପ୍ତ କୋଠରିରେ ସେକ୍ସ ସ୍କାଣ୍ଡାଲ ଚାଲୁଥିବା ନେଇ ବହୁ ଛାତ୍ରୀ ଅବଗତ ଥିଲେ ମଧ୍ୟ ଭୟରେ ମୁହଁ ଖୋଲି ପାରୁ ନଥିଲେ। ତେବେ, ଅଧ୍ୟକ୍ଷା ମମିତା ମେହେର ଏହି ଗୁପ୍ତ କୋଠରି ରହସ୍ୟକୁ ପର୍ଦ୍ଦାଫାସ କରିବେ ବୋଲି ତାଙ୍କର କିଛି ସାଥୀଙ୍କୁ ଜଣାଇ ଗୋବିନ୍ଦ ସାହୁଙ୍କୁ ବରବାଦ କରିଦେବେ ବୋଲି ଖୋଲା ଚ୍ୟାଲେଞ୍ଜ କରିଥିଲେ।

ଏହି ଘଟଣା ପ୍ରଘଟ ନହେବା ପାଇଁ ଗୋବିନ୍ଦ ସାହୁ ମମିତା ମେହେରଙ୍କୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ତେବେ, ଗୁପ୍ତ କୋଠରି ଅକୁହା କାହାଣୀର ଭାନୁମତି ପେଡ଼ି କେବେ ଖୋଲିବ ନା ଦୃଶ୍ୟମ ଚଳଚ୍ଚିତ୍ର ଭଳି ସମଗ୍ର ଘଟଣା ରହସ୍ୟ ଘେରକୁ ଚାଲିଯିବ ସାଧାରଣରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର