ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ନୂଆ ମୋଡ଼: ପୀଡ଼ିତା କହିଲେ ଡ୍ରାଇଭର ମୁଖ୍ୟ ଖଳନାୟକ

ଜୁନାଗଡ଼/ଭବାନୀପାଟଣା : କଳାହାଣ୍ଡିରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପୁଲିସ ୮ ଅଭିଯୁକ୍ତଙ୍କୁ ଆଜି ‌କୋର୍ଟ ଚାଲାଣ କରିଛି। ତେବେ ଏହା ପରେ ଘଟଣାରେ ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ଆସିଛି। ପୁଲିସର ରାଜସାକ୍ଷୀ ହୋଇଥିବା ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ଏହି ଘଟଣାର ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା ଏକ ୱେବ୍‌ ଚାନେଲକୁ କହୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅପରପକ୍ଷେ ପୁଲିସ ପୀଡ଼ିତାଙ୍କ ଏହି ଅଭିଯୋଗ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ଥିବା ଜଣାପଡ଼ିଛି। ଘଟଣାର ତଦନ୍ତ କରୁଥିବା ଜୁନାଗଡ଼ ଥାନା ଆଇଆଇସି କହିଛନ୍ତି, ଡ୍ରାଇଭର ଲଳିତେନ୍ଦ୍ର ଦୁଷ୍କର୍ମ କରିଥିବା କଥା ପୀଡ଼ିତା ତାଙ୍କ ଏତାଲାରେ ଲେଖି ନ ଥିଲେ। ବୟାନ ରେକର୍ଡ କରିବା ବେଳେ ମଧ୍ୟ କହି ନ ଥିଲେ। ତେଣୁ ତାଙ୍କୁ ଅଭିଯୁକ୍ତ କରା ନ ଯାଇ ରାଜସାକ୍ଷୀ କରାଯାଇଥିଲା। ପୀଡ଼ିତା ନିଜେ ଏ ପର୍ଯ୍ୟନ୍ତ ଏ ବିଷୟରେ ପୁଲିସକୁ କିଛି କହିନଥିବା ଆଇଆଇସି କହିଛନ୍ତି। ତେଣୁ ଅଭିଯୋଗର ସତ୍ୟାସତ୍ୟ ପରୀକ୍ଷା କରି ପୁଲିସ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।

ଆଜି ସଂଧ୍ୟାରେ ଭାଇରାଲ ହୋଇଥିବା ଭିଡିଓରେ ମୁହଁ ଘୋଡ଼ାଇଥିବା ଜଣେ ଯୁବତୀ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ନିଜକୁ ସେ ପୀଡ଼ିତା ଛାତ୍ରୀ ବୋଲି କହିବା ସହ ତାଙ୍କ ସହ କଣ ଘଟିଥିଲା ତାହା ସ୍ପଷ୍ଟ ଭାବେ ବର୍ଣ୍ଣନା କରୁଛନ୍ତି। କହିଛନ୍ତି, ଗତ ୧୪ ତାରିଖ ଦିନ ଅସୁସ୍ଥତା ଯୋଗୁଁ ସେ ଭବାନୀପାଟଣାସ୍ଥିତ ଡା. ଅଗ୍ରୱାଲଙ୍କ ପାଖକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରୁ ବସଷ୍ଟାଣ୍ଡକୁ ଆସିଥିଲେ। ଏହି ସମୟରେ ବସ୍‌ ଡ୍ରାଇଭର ଲଳିତେନ୍ଦ୍ର ସହ ତାଙ୍କର ଦେଖା ହୋଇଥିଲା। ସେ ବାଇକ୍‌ରେ ତାଙ୍କୁ ଲିଫ୍ଟ ଦେଇଥିଲା। ଲଳିତେନ୍ଦ୍ର ସହ ଯୁବତୀ ବାଇକ୍‌ରେ ବସି ଜୁନାଗଡ଼ ଅଭିମୁଖେ ଫେରୁଥିଲେ। ବାଟରେ ଲଳିତେନ୍ଦ୍ରଙ୍କ ମୋବାଇଲକୁ ଦୁଇ ଥର ଫୋନ୍‌ ଆସିଥିଲା। ସେ ‘ଯାଉଛି ଯାଉଛି, ‘ଶୀଘ୍ର ପହଞ୍ଚୁଛି’ ବୋଲି କହିଥିଲା। ବନମାଳୀପୁର ଛକ ନିକଟ‌ରେ ସେ ବାଇକ୍‌କୁ ଧିମା କରି ଅଟକାଇଦେବା ପରେ ୬ ଜଣ ଯୁବକ ଆସି ତାଙ୍କୁ ଘନା ସଂରକ୍ଷିତ ଜଙ୍ଗଲକୁ ଉଠାଇ ନେଇଥିଲେ। ସେଠାରେ ପ୍ରଥମେ ଲଳିତେନ୍ଦ୍ର ତାଙ୍କୁ ଦୁଷ୍କର୍ମ କରିଥିଲା ଓ ପରେ ଅନ୍ୟ ୬ ଜଣ ଯୁବକ ଦୁଷ୍କର୍ମ କରିବା ସହ ଭିଡିଓ ତିଆରି କରିଥିଲେ। ଲଳିତେନ୍ଦ୍ରଙ୍କୁ ପୁଲିସ ଗିରଫ କରି ନ ଥିବାରୁ କ୍ଷୋଭ ପ୍ରକାଶ କରି ଯୁବତୀ ଜଣକ ଲଳିତେନ୍ଦ୍ର ହିଁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି। ଏଥିସହ ଲଳିତେନ୍ଦ୍ର ଓ ଅନ୍ୟ ୬ ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଉ, ନଚେତ ସେ ଆତ୍ମହତ୍ୟା କରିବେ ବୋଲି ଉକ୍ତ ଭିଡିଓରେ ଯୁବତୀ ଜଣକ କହିଛନ୍ତି।

ୱେବ୍‌ ଚାନେଲ୍‌ର ଏହି ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାରେ ପୁଣି ଆଲୋଡ଼ନ ସୃଷ୍ଟି ହୋଇଛି। ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି। ଡ୍ରାଇଭର ଯଦି ପ୍ରଥମ ଦୁଷ୍କର୍ମକାରୀ ତେବେ ଏତଲାରେ ପୀଡ଼ିତା କାହିଁକି ତାଙ୍କ ନାମ ଉଲ୍ଲେଖ କରିନଥିଲେ? ପୁଲିସକୁ ଓ କୋର୍ଟରେ ଦେଇଥିବା ବୟାନରେ ବି କାହିଁକି ଏ କଥା କହିନଥିଲେ? ଏ ସଂପର୍କରେ ଏସ୍‌ପିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ। ଆସନ୍ତାକାଲି ପୁଲିସ ପୁଣିଥରେ ଏହି ବାବଦରେ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର