କଳାହାଣ୍ଡି ଜିଲ୍ଲାରେ ଧାନମଣ୍ଡି ଟ୍ୟାଗିଙ୍ଗ ଓ ଟାର୍ଗେଟ ନେଇ ଫିକ୍ସିଂ ଅଭିଯୋଗ

ମଣ୍ଡି ଠିକ ଭାବରେ ଆରମ୍ଭ ହୋଇନି ଅଥଚ ମିଲର୍ସଙ୍କ ଟାର୍ଗେଟ ନାହିଁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ରବି ଧାନ କିଣାରେ ବିଭିନ୍ନ ମଣ୍ଡିରେ ମିଲର୍ସ ମାନଙ୍କ ଟ୍ୟାଗିଙ୍ଗ ଓ ଟାର୍ଗେଟ ନେଇ ବ୍ୟାପକ ଫିକର ହୋଇଥିବା ଅଭିଯୋଗ ହୋଇଛି । ମଣ୍ଡି ଠିକ ଭାବରେ ଆରମ୍ଭ ହୋଇନଥିବା ବେଳେ ଜୁନାଗଡ଼ ବ୍ଲକର ନାନ୍ଦୋଳ ଓ ଆନ୍ତର୍ଲା ମଣ୍ଡିରେ ଦୁଇଜଣ ମିଲର୍ସଙ୍କ ଟାର୍ଗେଟ ଶେଷ ହେବା ଘଟଣା ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଚଳିତ ରବି ମଣ୍ଡିରେ ୧୬ ଲକ୍ଷ ୨୩ ହଜାର ୫୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ରହିଛି । ୨୪ ଲକ୍ଷ ୮୭ ହଜାର ୮୪୪ କୁଇଣ୍ଟାଲ ୬୮ କେଜି ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି । ଜିଲ୍ଲାର ୧୩୩ଟି ମଣ୍ଡିରୁ ମାତ୍ର ୭୧ ଟି ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ୬୦ ଜଣ ମିଲର୍ସଙ୍କ ମଧ୍ୟରୁ ମାତ୍ର ୫୪ ଜଣ ମିଲର୍ସ ମଣ୍ଡିରେ ଧାନ କିଣିଛନ୍ତି । ମିଲର୍ସ ମାନଙ୍କୁ ମଣ୍ଡିରେ ନିଜ ମନମୁତାବକ ଟ୍ୟାଗିଙ୍ଗ ଏବଂ ଟାର୍ଗେଟ ପ୍ରଦାନ ନେଇ ଜିଲ୍ଲା ଯୋଗାଣ ବିଭାଗରେ ଏକ ବଡ଼ ଧରଣର କିକବ୍ୟାକ ହୋଇଥିବା ଅଭିଯୋଗ ହୋଇଛି । ଜୁନାଗଡ଼ ବ୍ଲକର ନାନ୍ଦୋଳ ମଣ୍ଡିରେ ୨ ଟି ମିଲର୍ସ ଓ ଆନ୍ତର୍ଲା ମଣ୍ଡିରେ ୨ଟି ମିଲର୍ସ ଧାନ କିଣିବା ପାଇଁ ଟାର୍ଗେଟ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଏହି ୨ ଟି ମଣ୍ଡିର ୨ଟି ମିଲର୍ସଙ୍କ ଟାର୍ଗେଟ ଶେଷ ହୋଇଛି । ଫଳରେ ମାତ୍ର ଜଣେ ମିଲର୍ସ ଏହି ମଣ୍ଡିରେ ଧାନ କିଣୁଥିବା ଯୋଗୁଁ ଚାଷୀମାନେ ବ୍ୟାପକ କଟନୀଛଟନୀ ର ଶିକାର ହେଉଛନ୍ତି । ଧର୍ମଗଡ଼ ବ୍ଲକର ତରାପୁର ମଣ୍ଡିରେ ୧୦୯ ଜଣ ଚାଷୀଙ୍କ ଟୋକନ ଆସି ନଥିଲା । ଚାଷୀ ମାନଙ୍କ ହୋହହ୍ଲା ପରେ ମାତ୍ର ୫୭ ଜଣ ଚାଷୀଙ୍କ ଟୋକନ ଆସିଛି । ଅନ୍ୟ ଚାଷୀମାନଙ୍କ ଟୋକନ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଆସି ନ ଥିଲା ।

କଳାହାଣ୍ଡି ଜିଲ୍ଲାର ଉଠା ଜଳସେଚନ ଅଞ୍ଚଳର ଚାଷୀ ମାନଙ୍କ ଟୋକନ ଏଯାଏଁ ପହଞ୍ଚି ନାହିଁ । ଗତ କିଛି ଦିନ ତଳେ ମିନଗୁର ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଗୋଟିଏ ପଟେ ଚାଷୀଙ୍କୁ ଟୋକନ ମିଳି ପାରିନଥିବା ବେଳେ ମାତ୍ର ଆହୁରି ୫୬ଟି ମଣ୍ଡି ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହଁ । ମଣ୍ଡି ଆରମ୍ଭ ନ ହେବା ପୂର୍ବରୁ ମିଲର୍ସ ମାନଙ୍କ ଟାର୍ଗେଟ ଶେଷ ହେବା ଘଟଣା ତଦନ୍ତ ସାପେକ୍ଷ ଅଟେ । ମିଲର୍ସ ମାନଙ୍କ ଧାନ ଉଠାଣ ଓ ଚାଉଳ ଡେଲିଭରି ପରିମାଣକୁ ଆଧାର କରି ଟାର୍ଗେଟ ପ୍ରଦାନ କରାଯାଇଥାଏ । କିନ୍ତୁ କଳାହାଣ୍ଡି ଯୋଗାଣ ବିଭାଗରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ମୋଟା ରକମର ହାତ ଗୁଂଜା ନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖି ବ୍ୟାପକ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି । ଏହାର ଏକ ଭିଜିଲାନ୍ସ ତଦନ୍ତ କରାଗଲେ ଦୁର୍ନୀତିର ଗୁମର ଖୋଲି ପାରନ୍ତା ବୋଲି ଚାଷୀ ମହଲରେ ଦାବୀ ହୋଇଛି । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ରତ୍ନକର ସେଠୀ ଙ୍କୁ ପଚାରିବାରୁ ଦୁଇ ଉପଖଣ୍ଡର ଉପଜିଲ୍ଲାପାଳ ମାନଙ୍କ ସୁପାରିଶ କ୍ରମେ ମଣ୍ଡି ଟ୍ୟାଗିଙ୍ଗ ଓ ଟାର୍ଗେଟ ପ୍ରଦାନ କରାଯାଇଛି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର