ବର୍ଷା ଯୋଗୁଁ ମଣ୍ଡିରେ ଚାଷୀ ଦହଗଞ୍ଜ : ବର୍ଷା ସାଙ୍ଗକୁ ମିଲର୍ସଙ୍କ କଟନୀ ଛଟନୀ ଦାଉ ସାଧୁଛି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଗତ କିଛି ଦିନ ଧରି ଝିପି ଝିପି ବର୍ଷା ଓ କୋହଲା ପାଗ ଯୋଗୁଁ ଚାଷୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଗୋଟିଏ ପଟେ ବର୍ଷା ଯୋଗୁଁ ଚାଷୀ ଦହଗଞ୍ଜ ହେଉଥିବା ବେଳେ ଅନ୍ୟ ପଟେ ମିଲର୍ସଙ୍କ କଟନୀ ଛଟନୀ ଯୋଗୁଁ ଚାଷୀମାନେ ନାକେଦମ ହେବା ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଗତକିଛି ଦିନ ଧରି ଝିପି ଝିପି ବର୍ଷା ଓ କୋହଲା ପାଗ ଯୋଗୁଁ ମଣ୍ଡିରେ ଧାନ ରଖି ଚାଷୀ ଦହଗଞ୍ଜ ହେଉଛି । ଆଜି ଭବାନୀପାଟଣା ସଦର ବ୍ଲକରେ ୧୦ ମିମି, ମଦନପୁର ରାମପୁର ବ୍ଳକରେ ୨୦ ମିମି, ନର୍ଲା ବ୍ଲକ ରେ ୧୧ମିମି, ଲାଞ୍ଜିଗଡ଼ ବ୍ଳକରେ ୧୬.୪ ମିମି, ଜୁନାଗଡ଼ ବ୍ଲକରେ ୧ ମିମି, ଜୟପାଟଣା ବ୍ଲକରେ ୫ ମିମି ଓ କୋକସରା ବ୍ଲକରେ ୪.୨ମିମି ବର୍ଷା ହୋଇଥିବା ସରକାରୀ ଭାବେ ରେକର୍ଡ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୬ ଲକ୍ଷ ୨୩ ହଜାର ୫୦୦ କୁଇଣ୍ଟାଲ ଟାର୍ଗେଟ ଆସିଥିବା ବେଳେ ୩୧ ଲକ୍ଷ ୩୧ ହଜାର ୩୩୫ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲାରେ ୧୩୩ଟି ମଣ୍ଡିରୁ ୧୨୩ ମଣ୍ଡି ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଆହୁରି ୧୦ ଟି ମଣ୍ଡି ଆରମ୍ଭ ହୋଇନାହଁ । ୬୦ ଜଣ ମିଲର୍ସ ଧାନ କ୍ରୟ କରୁଥିବା ବେଳେ ୧୮ ରୁ ଅଧିକ ମିଲର୍ସଙ୍କ ଟାର୍ଗେଟ ମଣ୍ଡି ଆରମ୍ଭ ନ ହେଉଣୁ ଶେଷ ହୋଇଛି । ଜିଲ୍ଲାରେ ମିଲର୍ସଙ୍କୁ ଟାର୍ଗେଟ ପ୍ରଦାନ ଓ ମଣ୍ଡି ଟ୍ୟାଗିଙ୍ଗରେ ବ୍ୟାପକ କିକବ୍ୟାକ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କିଛି ମିଲର୍ସଙ୍କୁ ଅହେତୁକ ଅନୁକମ୍ପା ତଦନ୍ତ ସାପେକ୍ଷ ଅଟେ । ଜିଲ୍ଲା ଯୋଗାଣ ଅଧିକାରୀ ଓ ସମ୍ପୃକ୍ତ ଅସ୍ଥାୟୀ କର୍ମଚାରୀଙ୍କ ଭୂମିକା ସନ୍ଦେହ ଜନକ ଅଟେ ବୋଲି ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି।

BusinessWorld

କଳାହାଣ୍ଡି ଜିଲ୍ଲାରେ ଏପର୍ଯ୍ୟନ୍ତ ୧୦ଟି ମଣ୍ଡି ଆରମ୍ଭ ହୋଇନଥିବା ବେଳେ ଜିଲ୍ଲାର କିଛି ମିଲର୍ସ ମାନଙ୍କୁ କୋରାପୁଟରୁ ଧାନ କିଣିବା ପାଇଁ ଅନୁମତି ଦେବା ଜିଲ୍ଲା ଯୋଗାଣ ବିଭାଗର ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଲକ୍ଷ ୭୫ ହଜାର ୬୦ କୁଇଣ୍ଟାଲ ଧାନ ମଣ୍ଡିରୁ ଉଠାଣ ହୋଇଛି । ୩୧ ଲକ୍ଷ କୁଇଣ୍ଟାଲ ଧାନ ଉଠାଣ ପାଇଁ ଟୋକନ ଦିଆଯାଇଥିବା ବେଳେ ଜାଣିଶୁଣି ବିଳମ୍ବ କରାଯାଉଥିବା ନେଇ ଚାଷୀମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ମଣ୍ଡିରୁ ଧାନ ଉଠାଣ ନେଇ ବିଳମ୍ବ କଲେ ଆଗକୁ ମୌସୁମୀ ବର୍ଷା ଆସୁଥିବା ବେଳେ ଏହା ଚାଷୀଙ୍କୁ ଦାଉ ସାଧିବ ବୋଲି ସୁପରିକଳ୍ପିତ ଷଡ଼ଯନ୍ତ୍ର ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟ ଟାର୍ଗେଟ ପ୍ରାୟ ୮ ଲକ୍ଷ କୁଇଣ୍ଟାଲ ଆସିଥିବା ବେଳେ କେବେ ଟାର୍ଗେଟ ଦିଆଯିବ ଓ କେବେ ଧାନକିଣା ତ୍ୱରାନ୍ୱିତ ହେବ ତାହା ଏବେ ସନ୍ଦେହ ପ୍ରକାଶ ପାଇଛି । ଯେତିକି ବିଳମ୍ବ ହେଲେ ବର୍ଷା ଆସିବା ଦ୍ୱାରା କଟନୀଛଟନୀ ଅଧିକ ବଢିବା ସହିତ ଫଳସ ଏଣ୍ଟ୍ରି ହେବାର ସମ୍ଭାବନା ମଧ୍ୟ ରହିଛି । ବହୁ ମଣ୍ଡି ଖୋଲା ଆକାଶ ତଳେ ଚାଲିଥିବା ଯୋଗୁଁ ବର୍ଷାରେ ଧାନ ଭିଜିଥିବା ଦେଖିବାକୁ ମିଳିଛି । ବର୍ଷାରେ ଧାନ ଭିଜିବା ଯୋଗୁଁ କଟନୀ ଛଟନୀର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।

ବର୍ତ୍ତମାନ ଭିଜାଧାନକୁ ନେଇ ଚାଷୀ ମଣ୍ଡିରେ ପଡି ରହିଛି । ପୂର୍ବରୁ ୭ କେଜି କୁଇଣ୍ଟାଲ ପିଛା କଟନୀ ଥିବା ବେଳେ ବର୍ତ୍ତମାନ ଏଥିରେ ବୃଦ୍ଧି ଘଟିଛି । ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ କଟନୀ ଛଟନୀ ଜରିଆରେ ଚାଷୀ କ୍ଷତିଗ୍ରସ୍ତ ହୋଇ ମିଲର୍ସ ହାତକୁ ଟେକି ଦେବାକୁ ବାଧ୍ୟ ହୋଇଛି । ବାରମ୍ବାର ଚାଷୀ ମାନଙ୍କ କଟନୀ ଛଟନୀ ନେଇ ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲାର ରାଜନେତା ଓ ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖି ମିଲର୍ସମାନଙ୍କ ସହିତ ମଧୁଚନ୍ଦ୍ରିକା କରି ଟାର୍ଗେଟ ପ୍ରଦାନରେ ବ୍ୟାପକ କିକବ୍ୟାକ ହୋଇଥିବା ଅଭିଯୋଗ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଟାର୍ଗେଟ ବଣ୍ଟନ ପୂର୍ବରୁ ମିଲ ମାନଙ୍କର ଷ୍ଟକ ଯାଞ୍ଚ କରିବାକୁ ସାଧାରଣରେ ଦାବୀ ହୋଇଛି । ଗୋଟିଏ ପଟେ ବର୍ଷା ଓ ଅନ୍ୟପଟେ କଟନୀ ଛଟନୀ ଯୋଗୁଁ ଚାଷୀ ମଣ୍ଡିରେ ଭାଗ୍ୟକୁ ଆଦରି ପଡି ରହିଛି । ତୁରନ୍ତ ରାଜ୍ୟ ସରକାର ଏନେଇ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର