ବାଲସି, ଉତ୍କେଲା, କିକିଆ ମଣ୍ଡିରୁ ଧାନ ଉଠୁନି, ଆତ୍ମାହୁତି ଧମକ ଓ ରାସ୍ତାରୋକ ପାଇଁ ସଜବାଜ

କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ ଧାନ କିଣା ଅବ୍ୟବସ୍ଥା ଉତ୍କଟ ରୂପ ନେଲାଣି। କେସିଙ୍ଗା ବ୍ଲକ୍‌ର ବାଲ୍‌ସି, ଉତ୍କେଲା, କିକିଆ ମଣ୍ଡିର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଧାନ କିଣା ସମସ୍ୟା ସମାଧାନ ନହେଲେ ଉତ୍କେଲା ମଣ୍ଡିରେ ଚାଷୀ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି। ବାଲ୍‌ସି ମଣ୍ଡିରେ ଗତ ୭ ଦିନ ହେଲା ପ୍ରତିଶ୍ରୁତି ପରେ ଧାନ ଉଠୁନଥିବାରୁ କଂଗ୍ରେସର ଯୁବ ସଙ୍ଗଠକ ରାସ୍ତାରେ ଧାରଣା ଦେବାକୁ ଚେତାବନୀ ଦେଇଛି।

ସବୁ ମଣ୍ଡିରେ ୫ ହଜାରରୁ ଅଧିକ ବସ୍ତା ଧାନ ପଡ଼ିରହିଛି। ୧୨ ଓ ୧୩ ତାରିଖରେ ଟୋକନ୍‌ ପାଇ ଆଣିଥିବା ଚାଷୀଙ୍କ ଧାନ ବି ଉଠିନାହିଁ। ଉତ୍କେଳା ମଣ୍ଡି ଏକ ବଡ଼ ମଣ୍ଡି ହୋଇଥିବାରୁ ଏହାର ଅଧୀନରେ କିକିଆ ଡଙ୍ଗରମୂର୍ଲିରେ ଆଉ ଏକ ଧାନ କିଣା କେନ୍ଦ୍ର ହୋଇଛି। କିନ୍ତୁ ସେହି ଅନୁସାରେ ମିଲର୍ସ ଦିଆଯାଉନାହିଁ। ଗୋଟିଏ ପଟେ ଟାର୍ଗେଟ୍‌ ଅଭାବ ତ ଅନ୍ୟପଟେ ମିଲର୍ସ ଅଭାବ ଏଠିକାର ମଣ୍ଡି ବ୍ୟବସ୍ଥାକୁ ପ୍ରହସନ କରିଛି। ଯେଉଁଠି ମଣ୍ଡି ଅଛି ଗୁରୁବାର ସେଠାରେ ସାପ୍ତାହିକ ବଜାର ବସିବ। ଫଳରେ ଘୋର ଅସୁବିଧାର ସମ୍ମୁଖୀନ ହେବେ ଲୋକେ। ୭ ଦିନ ତଳର ଧାନ ବି ମଣ୍ଡିରେ ପଡ଼ିରହିଛି। କିଛି ଚାଷୀ ତ ଟୋକନ୍‌ ଧରି ବୁଲୁଛନ୍ତି। ମଣ୍ଡିରେ ପାଖାପାଖି ୬ ହଜାର ବସ୍ତା ଧାନ ପଡ଼ିରହିଛି।

ଗୁରୁବାର ସାପ୍ତାହିକ ବଜାର ଥିବାରୁ ଧାନ ଉଠିବା ନେଇ ସନ୍ଦେହ ଉପୁଜିଛି। ସେହିଭଳି ମଣ୍ଡିରେ ଥିବା ମିଲର୍ସ ସ୍ଥାନ ଅଭାବରୁ ଧାନ ଉଠାଇବା ପାଇଁ ହାତ ଟେକି ଦେଲେଣି। ଧାନ କିଣା ଅଧାରୁ ଏପରି ହେବା ଦ୍ୱାରା ଚାଷୀ ଧାନ ବିକ୍ରି ନେଇ ଦୋଛକିରେ ପଡ଼ିଯାଇଛି। କାରଣ ଧାନ କିଣା ମଝିରେ ନୂଆ ମିଲର୍ସ ଦେବାରେ ସମସ୍ୟା ହେବ ବୋଲି ଖୋଦ୍‌ ଯୋଗାଣ ଅଧିକାରୀ କହୁଛନ୍ତି। ସେହିଭଳି କିକିଆ ମଣ୍ଡି କଥା ନକହିବା ଭଲ, ବିନା ସୁରକ୍ଷାରେ ଏଠାରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ିଛି। ଚାଷୀଙ୍କ ସମସ୍ୟା ସମାଧାନ ପାଇଁ କେହି ଧରାଛୁଆଁ ଦେଉନାହାନ୍ତି ବୋଲି ଚାଷୀ ଯୁଧିଷ୍ଠିର ମାଝୀ, ନରେନ୍ଦ୍ର ମେହେର, ରାମ ମାଝୀ, ଶେଷଦେବ ସାହୁ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର