ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଳାହାଣ୍ଡି ରାଜନୀତି ସରଗରମ: ଶାସକ-ବିରୋଧୀ ବଳ କଷାକଷି

ଦିବ୍ୟଶଙ୍କର ଉପସ୍ଥିତ ରହିବେ କି ନା ସେ ନେଇ ଚର୍ଚ୍ଚା ଜୋର୍‌

କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ ମମିତା ହତ୍ୟା ମାମଲାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ବିରୋଧୀ କଂଗ୍ରେସ ଓ ବିଜେପି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ସରକାରଙ୍କୁ ଘେରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଭଳି ସ୍ଥିତିରେ ଆସନ୍ତା ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲାର ରାଜନୈତିକ ବାତାବରଣ ଆହୁରି ତେଜିବାରେ ଲାଗିଛି। ବିଶେଷକରି, ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୁଖ୍ୟ ମଞ୍ଚରେ ସ୍ଥାନ ମିଳିବ କି ନାହିଁ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଗୋଟିଏପଟେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ନକରିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଢ଼ ବିରୋଧ କରିବାକୁ ବିରୋଧୀ ସଜବାଜ ହେଉଛନ୍ତି। ଅନ୍ୟପଟେ ଏହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବିଜେଡି ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମମିତା ହତ୍ୟା ଘଟଣାରେ ବିରୋଧୀଙ୍କ ତୁମ୍ବିତୋଫାନ ଦଳକୁ କିଛି ଫରକ ପକାଇବ ନାହିଁ ବୋଲି ପ୍ରାୟ ୫ ହଜାର ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବାହାରେ ସାମିଲ କରିବା ଏବଂ ଜିଲ୍ଲାର କିଛି ଅନ୍ୟ ଦଳର ତୁଙ୍ଗ ନେତାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଅଣ୍ଟାଭିଡ଼ିଛି। ବିଶେଷକରି ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ଭରପୂର ଉଦ୍ୟମ ଆରମ୍ଭ କରିଛି ଦଳ।

ଶନିବାର ପୁଣି ବିଜେପି ମହିଳା ମୋର୍ଚ୍ଚା କର୍ମକର୍ତ୍ତାମାନେ ଏସ୍‌ପି ଅଫିସ ଆଗରେ କର୍ଡନ ଭାଙ୍ଗି ଗିରଫ ହୋଇଛନ୍ତି। ସେପଟେ କଂଗ୍ରେସର ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଶନିବାର ଜୁନାଗଡ଼, ଧର୍ମଗଡ଼ ଅଞ୍ଚଳରେ ରାଲି ଓ ପଥପ୍ରାନ୍ତ ସଭା କରି ସରକାର ଓ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ୭ ତାରିଖ ମମିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ ଜିଲ୍ଲାବ୍ୟାପୀ ୨ ମିନିଟ ନିରବ ପ୍ରାର୍ଥନା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ ପାଇଁ ୮ତାରିଖ ଦିନ ଜନତା କର୍ଫ୍ୟୁ କରିବାକୁ ଆହ୍ବାନ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଏ ସମ୍ପର୍କିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧୀ ବିରୋଧ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଶାସକ ଦଳ ବି ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତି ଜୋରସୋରରେ ଚଳାଇଛି। ମମିତା ହତ୍ୟା ମାମଲାରେ ସମାଲୋଚନାର ଶରବ୍ୟ ହୋଇଥିବା ବିଜେଡି ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରି ଦଳର ଭାବମୂର୍ତ୍ତି ସୁଧାରିବା ପାଇଁ ଉଦ୍ୟମ ଜାରି ରଖିଛି।

ଭବାନୀପାଟଣା କୃଷି ମହାବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସରକାରୀ। ଏଥିପାଇଁ ଦୁଇଟି ମଞ୍ଚ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ କାର୍ଯ୍ୟକ୍ରମ ହେଉଥିବା ଅଡିଟୋରିୟମ ଭିତରେ ମାତ୍ର ୨୭୪ ଲୋକଙ୍କୁ ସ୍ଥାନ ଦିଆଯାଇଛି। ଅନ୍ୟମାନେ ବାହାରେ ଥାଉ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବେ। ବିଶେଷକରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ବସିବେ କି ନାହିଁ ଚର୍ଚ୍ଚା ଜୋର୍‌ ଧରିଛି। କିଏ କିଏ ମଞ୍ଚରେ ବସିବେ ତା’ର ବିବରଣୀ ଯଥା ସମ୍ଭବ ଗୋପନ ରଖାଯାଇଛି। ସେହିଭଳି ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ମୁଖ୍ୟ କାର୍ଯ୍ୟକ୍ରମରେ ସାମିଲ କରାଯାଇ ନାହିଁ। କାଳେ କିଏ କଣ ପଚାରିଦେବ, ମୁଖ୍ୟମନ୍ତ୍ରୀ ଅଡ଼ୁଆରେ ପଡ଼ିଯିବେ ବୋଲି ତାଙ୍କୁ ବାହାରେ ରଖାଯାଇଛି। ତେଣୁ ଏହାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ଫଳରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସେଥିପାଇଁ ପ୍ରଶାସନକୁ ନାକେଦାମ ହେବାକୁ ପଡୁଛି। ସରକାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ବିଭିନ୍ନ ବ୍ଲକ୍‌ ଓ ଏନ୍‌ଏସିରେ ଏହି କାର୍ଡ ବଣ୍ଟନ ପାଇଁ ମନ୍ତ୍ରୀ, ସାଂସଦ ଓ ଶାସକ ଦଳର ବିଭିନ୍ନ ପଦବିରେ ଥିବା ଦଳୀୟ ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ସେସବୁ ସ୍ଥାନରେ ବି ବିରୋଧୀ ବିରୋଧ କରିବାର ସଜବାଜ ହେଉଥିବା ଜଣାପଡ଼ିଛି। ଏହି ଛକାପଞ୍ଝାକୁ ଜନସାଧାରଣ କେତେଦୂର ଗ୍ରହଣ କରୁଛନ୍ତି, ତାହା ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର