ଭବାନୀପାଟଣା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାକୁ ସବୁବେଳେ ଫୋକସ୍ରେ ରଖୁଛନ୍ତି। ଜିଲ୍ଲାର ବିକାଶ ପାଇଁ ମାଳମାଳ ଯୋଜନା କରିଛନ୍ତି। ସବୁ ଯୋଜନାର ମୂଳ ଲକ୍ଷ୍ୟ ଜିଲ୍ଲାବାସୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା। ହେଲେ ଯେତିକି ବିକାଶ ହେବା କଥା ଆଜି ବି ହୋଇ ପାରି ନଥିବା ନିତି ଆୟୋଗର ୨୦୨୧ ମସିହା ତଥ୍ୟରୁ ଏକପ୍ରକାର ସ୍ପଷ୍ଟ ହୋଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଦାରିଦ୍ରୢ ସୂଚକାଙ୍କ ୪୭.୨୮% ଦର୍ଶାଯାଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ୧୯୯୨ ମସିହା ବିପିଏଲ୍ ଜନଗଣନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ୮୫.୭୭% ପରିବାର ଦାରିଦ୍ରୢ ସୀମାରେଖା ତଳେ ଥିଲେ। ୧୯୯୭ ମସିହାରେ ଏହା ହ୍ରାସ ପାଇ ୬୨.୭୧%ରେ ପହଞ୍ଚିଥିଲା। ନିତି ଆୟୋଗର ୨୦୨୧ ମସିହା ରିପୋର୍ଟ ଅନୁଯାୟୀ ବିଭିନ୍ନ ଦିଗରୁ ଦାରିଦ୍ରୢ ସୂଚକାଙ୍କରେ ନବରଙ୍ଗପୁର ଜିଲ୍ଲା ୫୯.୩୨%, ମାଲକାନଗିରି ୫୮.୭୧%, କୋରାପୁଟ ୫୧.୧୪%, ରାୟଗଡା ୪୮.୧୪%, କଳାହାଣ୍ଡି ୪୭.୨୮%, ମୟୂରଭଞ୍ଜ ୪୪.୯%, କନ୍ଧମାଳ ୪୪.୭୫% ଓ କେନ୍ଦୁଝର ଜିଲ୍ଲା ଖଣିଜ ସମ୍ପଦରେ ଭରପୂର ଥାଇ ମଧ୍ୟ ୪୧.୭୮% ରହିଛି। କଳାହାଣ୍ଡି ଜିଲ୍ଲା ଆକାଂକ୍ଷୀ ଜିଲ୍ଲାରେ ସାମିଲ ହୋଇଥିଲେ ମଧ୍ୟ ୩୯.୭% ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ଜିଲ୍ଲାର ତିନି ଚତୁର୍ଥାଂଶ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ଦାଦନ ସମସ୍ୟା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। କୃଷି ଦ୍ବାରା ପର୍ଯ୍ୟାପ୍ତ ରୋଜଗାର ଓ ସୁଯୋଗ ମିଳିପାରୁ ନଥିବା ଯୋଗୁଁ ବହୁମାତ୍ରାରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି।
୧୯.୫% ମହିଳା ପ୍ରସୂତିଜନିତ ସ୍ବାସ୍ଥ୍ୟ ସେବା ପାଇପାରୁ ନାହାନ୍ତି। ସେହିଭଳି ୫ ପ୍ରତିଶତ ଶିଶୁ ସ୍କୁଲକୁ ଯିବା ପାଇଁ ସୁବିଧା ପାଉନାହାନ୍ତି। ଜିଲ୍ଲାର ପ୍ରାୟ ୩ ପ୍ରତିଶତ ଲୋକ ବିଜୁଳି ସେବାରୁ ବଞ୍ଚିତ ଅଛନ୍ତି। କଳାହାଣ୍ଡି ଜିଲ୍ଲାରେ ସାକ୍ଷରତା ହାର ୫୯.୨ ପ୍ରତିଶତ ଥିବା ବେଳେ ପୁରୁଷ ସାକ୍ଷରତା ହାର ୭୧.୯ ପ୍ରତିଶତ ଓ ମହିଳା ସାକ୍ଷରତା ହାର ୪୬.୭ ପ୍ରତିଶତ । ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟଙ୍କିକିଆ ପିଡିଏସ୍ ଚାଉଳ ଯୋଗୁଁ ଦାରିଦ୍ରୢ ହ୍ରାସ ପାଇଥିଲେ ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧିରେ ବାଧକ ସାଜିଛି। ଏବେ ମଧ୍ୟ ଜିଲ୍ଲାର ପ୍ରାୟ ୫ଶହରୁ ଅଧିକ ଗାଁକୁ ରାସ୍ତା ନଥିବା ଯୋଗୁଁ ସରକାରଙ୍କ ଯୋଜନା ବାଟବଣା ହେବାରେ ଲାଗିଛି। ସେହିଭଳି ଉଦ୍ୟୋଗ ଏବଂ ଶିଳ୍ପଭିତ୍ତିକ ଅଭିବୃଦ୍ଧି ହେଉ ନଥିବାରୁ ଯୁବକମାନେ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଗୋଟିଏ ପଟେ କଳାହାଣ୍ଡି ଜିଲ୍ଲାରେ କୃଷି, ଜଙ୍ଗଲ ଓ ଖଣି ସମ୍ପଦରେ ଭରପୁର ଥିଲେ ମଧ୍ୟ ଏହାର ଉପଯୋଗିତା ଅଭାବ ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ଓ ମୁଣ୍ଡପିଛା ଆୟ ବୃଦ୍ଧିରେ ବାଧକ ସାଜିଛି। ଇନ୍ଦ୍ରାବତୀ ପ୍ରକଳ୍ପ ପରେ ଧର୍ମଗଡ଼ ଉପଖଣ୍ଡ ଜଳସେଚିତ ହୋଇଥିବା ବେଳେ ଏବେ ମଧ୍ୟ ଭବାନୀପାଟଣା ଉପଖଣ୍ଡର ଥୁଆମୂଳ ରାମପୁର, ଲାଞ୍ଜିଗଡ଼ ଓ ମଦନପୁର ରାମପୁର ଅଞ୍ଚଳରେ ଅନିୟମିତତା ବର୍ଷା କୃଷିକୁ ପ୍ରଭାବିତ କରିଥାଏ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜିଲ୍ଲାକୁ ପାଇପ୍ ଲାଇନ ହୋଇ ଆସୁଥିବା ବେଳେ ଏହାର କାର୍ଯ୍ୟକାରିତା ଓ ଦୁର୍ନୀତି ଯୋଗୁଁ ବିକାଶ ବାଟବଣା ହେବାରେ ଲାଗିଛି।