କଳାହାଣ୍ଡି ଜିଲ୍ଲାର ବୋଡ଼ାଦରିଂ ଗାଁ, ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବିକାଶର ସୂର୍ଯ୍ୟ ଦେଖିନାହାନ୍ତି ଏଠାକାର ଲୋକେ

ଭବାନୀପାଟଣା, ୧୪|୯(ଇମିସ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏଭଳି ଏମିତି ଏକ ଗାଁ ଅଛି, ଯେଉଁଠି ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଯୋଜନା ଏମାନଙ୍କ ପାଇଁ ସାତ ସପନ ହୋଇ ରହିଛି । ଘଞ୍ଚ ଜଙ୍ଗଲ ଭିତରେ ବନବାସୀ ଜୀବନ କାଟୁଛନ୍ତି ୩୦ରୁ ଉର୍ଦ୍ଧ୍ବ ପରିବାର । ଏହି ଅପହଞ୍ଚ ଇଲାକାର ଲୋକେ କେବେ ମଧ୍ୟ ବିଧାୟକ, ସାଂସଦ ବା ମନ୍ତ୍ରୀଙ୍କୁ ଦେଖିନାହାନ୍ତି କିମ୍ବା ରାଜନେତା ମଧ୍ୟ ଏଠାରେ ବସବାସ କରୁଥିବା ଲୋକଙ୍କୁ ଦେଖି ନାହାନ୍ତି । ଗ୍ରାମବାସୀ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବିକାଶର ସୂର୍ଯ୍ୟ ଦେଖିନଥିବା ନେଇ ସାଧାରଣରେ ଉଦବେଗର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ମଦନ ରାମପୁର ବ୍ଲକ ସୀମାନ୍ତ ପଂଚାୟତ ଉର୍ଲଦାନୀ ପଂଚାୟତର ସୀମାନ୍ତ ଗାଁ ହେଉଛି ବୋଡ଼ାଦରିଂ, ଯାହାର ଦୂରତା ବ୍ଲକ କାର୍ଯ୍ୟାଳୟଠାରୁ ୬୩ କିଲୋମିଟର ଏବଂ ପଂଚାୟତ କାର୍ଯ୍ୟାଳୟ ଉର୍ଲଦାନୀଠାରୁ ପ୍ରାୟ ୪୮ କିଲୋମିଟର । ଏହି ପଂଚାୟତର ପୁଟ୍ରିମହୁଲ ୱାର୍ଡ଼ ଅଧୀନରେ ଥିବା ଏହି ଗାଁକୁ ପାଦରେ ଚାଲି ଚାଲି ଯିବାକୁ ହେଲେ ଦୁଇଟି ପାହାଡକୁ ପାଦରେ ଚାଲି ପାରିହେଇ ଯିବାକୁ ପଡ଼ିଥାଏ । ଆଉ ଏକ ରାସ୍ତା ରହିଛି ଉର୍ଲଦାନୀ ପଂଚାୟତ ମାର୍ଦ୍ଦିଂ ୱାର୍ଡ଼ର ଖଡ଼କାବାହାଲି ଗ୍ରାମରୁ ୧୫ କିଲୋମିଟର ପଡେ । ଯାହା ଚାରୋଟି ନାଳ, ଝରଣା ଓ ଚାରୋଟି ଘାଟି ଡ଼େଇଁ ଯିବାକୁ ପଡ଼ିଥାଏ । ସେହିଭଳି ରାସ୍ତାରେ ଯିବାକୁ ହେଲେ କନ୍ଧମାଳ ଜିଲ୍ଲା କୃତମଗଡ଼ଠାରୁ ଗୁମୁଡ଼ୁମାହା ରାସ୍ତାରେ ୯ କିଲୋମିଟର ଗଲାପରେ ବାମକୁ ତିନି କିଲୋମିଟର ଜଙ୍ଗଲୀ ରାସ୍ତାରେ ନାଳ ଡ଼େଇଁ, ଉଠାଣି ଗଡ଼ାଣି ସହିତ ଜଙ୍ଗଲୀ ସଂକୀର୍ଣ୍ଣ ରାସ୍ତାରେ ବାଇକ ଯୋଗେ ବହୁ କଷ୍ଟରେ ଯାଇହୁଏ । ଅନେକ ବର୍ଷ ତଳୁ କିଛି ଲୋକେ ଉର୍ଲାଦାନୀ ପଂଚାୟତର ବିଡ଼ାବାରୁ ଗାଁରୁ ଯାଇ ସେଠାରେ ଜଙ୍ଗଲ ସଫା କରି ବସତି ସ୍ଥାପନ କରିବା ଆରମ୍ଭ କରିଥିଲେ ଏବଂ ଏବେ ଏହି ଗାଁରେ ପ୍ରାୟ ୩୦ ପରିବାର ।

ତିରିଶ ପରିବାରର ସମୁଦାୟ ଜନସାଧାରଣ ୨୦୦ରୁ ଉର୍ଦ୍ଧ୍ୱ । ସବୁଠୁ ବଡ଼ ପରିତାପର ବିଷୟ ହେଲା ଏହି ଗାଁରେ ଥିବା କେହି ବି ଗ୍ରାମବାସୀ ରହୁଥିବା ଜାଗାର ପଟ୍ଟା ପାଇନାହାନ୍ତି। ଯାହା ସେମାନଙ୍କ ପାଇଁ ଏକ ବିରାଟ ସମସ୍ୟା ହେଇ ଆଜିଯାଏ ରହିଛି । ଫଳ ସ୍ୱରୂପ କୌଣସି ପ୍ରକାର ସୁବିଧା ସେମାନେ ପାଇ ପାରୁନାହାନ୍ତି । ଗାଁରେ ଦୁଇଶହ ଜନସଂଖ୍ୟା ପାଇଁ କେବଳ ଗୋଟିଏ ନଳକୂପ ରହିଥିବା ବେଳେ ଗାଧୁଆପାଧୁଆ ପାଇଁ ବର୍ଷର ସବୁସମୟରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି । ପିଇବାଠାରୁ ଆରମ୍ଭ କରି ଶୌଚ ପର୍ଯ୍ୟନ୍ତ କେବଳ ନଳକୁପ ଭରସା ଯାହା ଖରା ଦିନଗୁଡ଼ିକରେ ନଳକୁପରୁ ପାଣି ବାହାରିବା କଷ୍ଟ ସାଧ୍ୟ ହେଇପଡ଼େ । ଏପଟେ ଗାଁର ପରିସୀମା ମଧ୍ୟରେ କୌଣସି ନାଳ କିମ୍ବା ଝରଣା ପ୍ରବାହିତ ହେଉନଥିବା ଦେଖିବାକୁ ମିଳିଛି । ଜଳକଷ୍ଟ ସାଙ୍ଗକୁ ଗମନାଗମନର କଷ୍ଟ କହିଲେ ନସରେ । ଏହି ଗାଁର ଛାତ୍ରଛାତ୍ରୀମାନେ ବିଭିନ୍ନ ସେବାଶ୍ରମ ବିଦ୍ୟାଳୟରେ ପାଠ ପଢୁଥିବାବେଳେ ପ୍ରାଥମିକ ଶିକ୍ଷା ପାଇଁ ରହିଛି କୁଟେଡ଼ପଟା ପ୍ରାଥମିକ ବିଦ୍ୟାଳୟ,ଯାହାର ଦୂରତା ଏହି ଗାଁରୁ ପ୍ରାୟ ୪କିଲୋମିଟର ଦୁଇଟି ପାହାଡ଼ ଓ ଘଂଚ ଜଙ୍ଗଲ ଦେଇ ଯିବାକୁ ପଡ଼େ । ଫଳରେ ଏହି ଗାଁର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ହେଇପଡ଼ିଛି ଅପହଂଚ । ପ୍ରାକ ପ୍ରାଥମିକ ବିଦ୍ୟାଶିକ୍ଷା ସହିତ ସମନ୍ୱିତ ଶିଶୁ ବିକାଶର ବିଭିନ୍ନ ସେବା ପାଇଁ ରହିଛି ସେହି କୁଟେଡ଼ପଟା ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର । ଜଣେ ଗର୍ଭବତୀ ମା’, କିଶୋରୀ ବାଳିକା, ପ୍ରସୂତି ମା’ ତଥା ତିନିରୁ ଛଅ ବର୍ଷର ଶିଶୁମାନେ ଏହି ସବୁ ସେବା କିଭଳି ଭାବରେ ପାଉଥିବେ ତାହା ଅତି ସହଜରେ ଅନୁମେୟ । ସ୍ୱାସ୍ଥ୍ୟ ସେବା କଥା ନ କହିଲେ ଭଲ । ଯଦି କେହି ଅଚାନକ କିଛି ରୋଗର ଶିକାର ହୁଅନ୍ତି ବିଶେଷ କରି ଗର୍ଭବତୀ,ପ୍ରସୂତୀ ମା’ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ଏମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହିଜ ଅନକେ ସମୟରେ ଜୀବନ ବି ଅକାଳରେ ହାନି ହେଇଥାଏ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ପ୍ରତିମାସରେ ଏହି ଗାଁର ହିତାଧିକାରୀମାନେ ନିଜ ନିଜର ରାସନ ଏବଂ ଭତ୍ତା ପାଇଁ ଉର୍ଲଦାନୀ ପଂଚାୟତକୁ ଆସିଥାନ୍ତି ଏବଂ ଅଟୋ ସାହାଯ୍ୟରେ ଗାଁ ପାଖକୁ ଆଣିବା ପରେ ପ୍ରାୟ ଦୁଇ କିଲୋମିଟର ବୋହି ବୋହି ନିଜ ରାସନ ସାମଗ୍ରୀ ଘରକୁ ପହଂଚାଇଥାନ୍ତି ବୋଲି କହିଥିବାବେଳେ ଏନେଇ ଉର୍ଲଦାନୀ ସରପଂଚ ଗନ୍ଧର୍ବ ପୁଝାରୀଙ୍କୁ ପଚାରିବାରୁ ସେମାନଙ୍କୁ ଏକ କାଳୀନ ୪ମାସର ରାସନ ବିଶେଷ କରି ବର୍ଷା ଋତୁରେ ପ୍ରଦାନ କରାଯାଇଥାଏ ବୋଲି କହିଥିଲେ । ଗାଁରେ କାହାର ପଟ୍ଟା ନଥିବା କାରଣରୁ ଏମାନେ ବିଭିନ୍ନ ଆବାସ ଯୋଜନାରୁ ମଧ୍ୟ ବାଦପଡ଼ୁଥିବା ଦେଖାଯାଇଛି । କଳାହାଣ୍ଡି ସୀମାରୁ ଗତବର୍ଷ ମନରୋଗା ଯୋଜନାରେ କିଛି ବାଟ ରାସ୍ତା କାମ ତିଆରି ଆରମ୍ଭ କରାଯାଇଥିଲେ ହେଁ ତାହା ଅଧପନ୍ତରିଆ ହେଇପଡ଼ିରହିଛି । ତୁରନ୍ତ ରାଜ୍ୟ ସରକାର ଏ ଗାଁ କୁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ସାଧାରଣରେ ଦ।ବି ହୋଇଛି।

ସମ୍ବନ୍ଧିତ ଖବର