ପୁନର୍ବାସ କଲୋନି ବୁଲିଲେ, ହିତାଧିକାରୀଙ୍କ ସୁବିଧା ଅସୁବିଧା ବୁଝିଲେ ମନ୍ତ୍ରୀ

କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରବିବାର କଳାହାଣ୍ଡି ଗସ୍ତରେ ଆସିଛନ୍ତି। ସକାଳେ କଳାହାଣ୍ଡି ଜିଲ୍ଲାର ଉତ୍କେଲା ଏୟାରଷ୍ଟ୍ରିପ ଠାରେ ଅବତରଣ କରିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା। ସାଂସଦ ବସନ୍ତ ପଣ୍ଡା, ପିଡି ଡିଆର୍‌ଡିଏ ସୋମେଶ ଉପାଧ୍ୟାୟଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ବିଜେପିର ତୁଙ୍ଗନେତା ଉପସ୍ଥିତ ଥିଲେ। ଆକାଂକ୍ଷୀ ଜିଲ୍ଲାର ରୂପାନ୍ତରଣ ଯୋଜନାରେ କଳାହାଣ୍ଡି ସାମିଲ ହୋଇଥିବା ଯୋଗୁ କେନ୍ଦ୍ରୀୟ ଯୋଜନାର ସଠିକ ରୂପାୟନ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ ପାଇଁ ସେ କଳାହାଣ୍ଡି ଗସ୍ତରେ ଆସିଥିବା ସୂଚନା ମିଳିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା ଉତ୍କେଲା ଏୟାରଷ୍ଟ୍ରିପରେ ଅବତରଣ ପରେ ‌କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ବୋରିଂପଦରସ୍ଥିତ ପୁନର୍ବାସ କଲୋନି ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୪ ଜଣ ହିତାଧିକାରୀ ପରିବାରବର୍ଗଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ପ୍ରଶାସନ ତରଫରୁ ନିର୍ମାଣ କରାଯାଇଥିବା ରାସ୍ତା, ଲାଇଟ, ଡ୍ରେନ ଓ ପାରିପାର୍ଶ୍ବିକ ଅବସ୍ଥିତି ପରିଦର୍ଶନ କରିଥିଲେ। କେସିଙ୍ଗା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସ୍କୁଲର ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରି, ଶୌଚାଳୟ ପରିଦର୍ଶନ କରିଥିଲେ ଓ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।

କେସିଙ୍ଗାସ୍ଥିତ ସିଏଚ୍‌ସି ଡାକ୍ତରଖାନା ପରିଦର୍ଶନ କରି କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ବିଷୟ ଉପରେ ପଚାରି ବୁଝିଥିଲେ। ସୁକୁନାଭଟାଠାରେ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ଗ୍ରାମ୍ୟ ପାର୍କ ପରିଦର୍ଶନ କରି ସ୍ଥାନୀୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କୁ ଭେଟିଥିଲେ। ଭଙ୍ଗାବାରିଠାରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଭବାନୀପାଟଣା ସହରସ୍ଥିତ ମାଣିକେଶ୍ଵରୀ ହାଇସ୍କୁଲ ପରିଦର୍ଶନ କରିଥିଲେ। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ପଲିଟେକନିକ୍ କେନ୍ଦ୍ରର ତାଲିମ ନେଉଥିବା ଶିକ୍ଷାର୍ଥୀଙ୍କ ସହ ବାର୍ତ୍ତାଳାପ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ପରିଦର୍ଶନ କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଜିତ ବାବୁ, ସିଡିଏମ୍‌ଓ ଡା. କସ୍ତୁରୀ ମିଶ୍ର, ଯୋଜନା ଓ ସମନ୍ବୟ ବିଭାଗ ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଡିଇଓ ସୁଶାନ୍ତ ଚୋପଦାର, ଡିଆଇପିଆରଓ ମନୋଜ ବେହେରା, କେସିଙ୍ଗା ଏନ୍‌ଏସି ନିର୍ବାହୀ ଅଧିକାରୀ କିରଣ ବେହେରା, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଅଜିତ ଉତ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର ଜିଲ୍ଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ ସହ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଏକ ସମୀକ୍ଷା ବୈଠକର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର