କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଦ୍ୱାରା କେତେ ଉପକୃତ ହେବେ ଜିଲ୍ଲାବାସୀ ?

ଯୁକ୍ତ ତିନି ଓ ପିଜିରେ ୪୫ ରୁ ୨୭ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଛି
୪୫ଟି ବିଭିନ୍ନ କର୍ମଚାରୀ ପଦବୀ ଖାଲି ପଡ଼ିଛି
ବିଶ୍ୱବିଦ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଯୋଗୁଁ ଶିକ୍ଷାଦାନ ବ୍ୟାଘାତ ହେବା ସମ୍ଭାବନା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାବାସୀ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ଦୀର୍ଘଦିନରୁ ବିଶ୍ୱବିଦ୍ୟାଳୟ ପାଇଁ ଦାବୀ କରି ଆସୁଥିଲେ । ଶେଷରେ ରାଜ୍ୟ ସରକାର ଜିଲ୍ଲାବାସୀଙ୍କ ଦାବୀକୁ ସମ୍ମାନ ଜଣାଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଘୋଷଣା କଲେ । ବର୍ତ୍ତମାନ ଭବାନୀପାଟଣା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଓ ପିଜି ବିଭାଗରେ ୪୫ ଟି ଅଧ୍ୟାପକ ପଦବୀରୁ ୨୭ ଟି ପଦବୀ ଖାଲି ପଡ଼ିଛି । ଏଥି ଯୋଗୁଁ ଶିକ୍ଷାଦାନରେ ବାଧା ପ୍ରାପ୍ତ ହେଉଥିଲା । ବର୍ତ୍ତମାନ ବିଶ୍ୱବିଦ୍ୟାଳୟର ବିଭିନ୍ନ ଦାୟିତ୍ୱରେ ଅଧ୍ୟାପକମାନଙ୍କୁ ଅତିରିକ୍ତ କାର୍ଯ୍ୟ ପ୍ରଦାନ କରିଥିବା ଯୋଗୁଁ ଆଗକୁ କଲେଜର ସୁନ୍ଦର ଶିକ୍ଷା ବାତାବରଣ କ୍ଷତିଗ୍ରସ୍ତ ହେବା ସମ୍ଭାବନା ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।

gacbhawanipatna.org

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଦୀର୍ଘଦିନ ଧରି ଜିଲ୍ଲାବାସୀ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ଦାବୀ ହୋଇ ଆସୁଥିଲା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଲାବାସୀଙ୍କ ଦାବୀ ଥିବା ବେଳେ ବର୍ତ୍ତମାନ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଉନ୍ନୀତ କରାଯାଇ ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ଅନ୍ୟ ଅଧ୍ୟାପକ ମାନଙ୍କୁ ମଧ୍ୟ ବିଭିନ୍ନ କାର୍ଯ ନିମନ୍ତେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ବର୍ତ୍ତମାନ ଭବାନୀପାଟଣା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯୁକ୍ତ ତିନି ଓ ପିଜି ବିଭାଗର ଆନ୍ତ୍ରପୋଲୋଜି ବିଭାଗରେ ୨ଟି ଅଧ୍ୟାପକ ପଦବୀ ଥିବା ବେଳେ ଗୋଟିଏ ପଦବୀ ଖାଲି ପଡ଼ିଛି । ବୋଟାନୀ ବିଭାଗରେ ୩ ଟି ପଦବୀରୁ ଗୋଟିଏ ପଦବୀ ଖାଲି ରହିଛି । କେମେଷ୍ଟ୍ରି ବିଭାଗରେ ୫ ଟି ପଦବୀ ରୁ ୪ ଟି ଖାଲି ରହିଛି । ବାଣିଜ୍ୟ ବିଭାଗରେ ୪ଟିରୁ ଗୋଟିଏ, ଅର୍ଥନୀତି ବିଭାଗରେ ୫ଟିରୁ ସମସ୍ତ ପଦବୀ ଖାଲି ରହିଛି । ଏଜୁକେସନ ବିଭାଗରେ ଗୋଟିଏ ମାତ୍ର ଅଧ୍ୟାପକ ପଦବୀ ଥିବା ବେଳେ ଏହି ପଦବୀ ଖାଲି ନାହିଁ । ଇଂରାଜୀ ବିଭାଗରେ ୮ ଟି ପଦବୀ ଥିବା ବେଳେ ୬ ଟି ପଦବୀ ଖାଲି ରହିଛି । ଇତିହାସ ବିଭାଗରେ ୫ ଟି ପଦବୀ ସମ୍ପୂର୍ଣ୍ଣ ରୂପେ ଖାଲି ରହିଛି। ଲଜିକ ଓ ଫିଲୋସଫି ବିଭାଗରେ କୌଣସି ପଦବୀ ନାହିଁ । ଗଣିତ ବିଭାଗରେ ୩ଟି ପଦବୀ ଥିବା ବେଳେ ସମସ୍ତ ପଦବୀ ଖାଲି ରହିଛି । ଓଡ଼ିଆ ବିଭାଗରେ ୫ ଟି ପଦବୀରୁ ୨ ଟି ପଦବୀ ଖାଲି ପଡ଼ିଛି । କଲେଜରେ ସମୁଦାୟ ଯୁକ୍ତ ତିନି ଓ ପିଜି ବିଭାଗରେ ୪୫ ଟି ପଦବୀ ଥିବା ବେଳେ ୨୭ ଟି ପଦବୀ ଖାଲି ପଡ଼ିଛି । ଅନ୍ୟ ପକ୍ଷରେ ଯୁକ୍ତ ଦୁଇ କଲେଜରେ ୧୧ଟି ବିଭାଗ ପାଇଁ ୧୯ ଟି ପଦବୀ ଥିବା ବେଳେ ୫ ଟି ପଦବୀ ଖାଲି ପଡ଼ିଛି । ଯୁକ୍ତ ତିନି ଓ ପିଜି ବିଭାଗ ରେ ୨୭ ଟି ପଦବୀ ଖାଲି ଥିବା ଯୋଗୁଁ ଯୁକ୍ତ ଦୁଇର ଅଧ୍ୟାପକମାନେ ଯୁକ୍ତ ତିନି ଓ ପିଜି ବିଭାଗରେ ଅଧ୍ୟାପନା କରୁଛନ୍ତି। ସେହିଭଳି ମହାବିଦ୍ୟାଳୟ ରେ ୭୩ଟି ଅଣଶିକ୍ଷକ ପଦବୀ ଥିବା ବେଳେ ୪୫ ପଦବୀ ଖାଲି ରହିଛି।

gacbhawanipatna.org

ବର୍ତ୍ତମାନ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଘୋଷଣା ହେବା ପରେ ଯୁକ୍ତ ଦୁଇ ବିଭାଗ ଭବାନୀପାଟଣା ସହରସ୍ଥିତ ବ୍ରଜମୋହନ ହାଇସ୍କୁଲକୁ ସ୍ଥାନାନ୍ତର ହେବା ପାଇଁ ପ୍ରସ୍ତାବ ରହିଛି । ବ୍ରଜ ମୋହନ ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଥିବା ଯୋଗୁଁ ଯୁକ୍ତ ଦୁଇ ବିଭାଗକୁ ଥଇଥାନ କରିବା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଭାବ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯୁକ୍ତ ଦୁଇ ବିଭାଗ ଅନ୍ୟତ୍ର ସ୍ଥାନାନ୍ତର ହେବା ପରେ ଯୁକ୍ତ ତିନି ଓ ପିଜିର ଶିକ୍ଷାଦାନ କରିଥିବା ଅଧ୍ୟାପକମାନେ ସୁଯୋଗ ହାତଛଡା କରିବେ । ଭବାନୀପାଟଣା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅର୍ଥନୀତି, ଇତିହାସ, ଓଡ଼ିଆ, ଇଂରାଜୀ ଓ ଭୂଗୋଳ ବିଭାଗରେ ପିଜି ଖୋଲା ଯାଇଛି । ବର୍ତ୍ତମାନ ଅଧ୍ୟକ୍ଷଙ୍କୁ ରେଜିଷ୍ଟ୍ରାର ଓ ଅନ୍ୟ ଅଧ୍ୟାପକମାନଙ୍କୁ ବିଶ୍ୱବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥି ଯୋଗୁଁ ନିୟମିତ ଶିକ୍ଷାଦାନ ରେ ବାଧା ସୃଷ୍ଟି ହେବ । ବିଶ୍ୱବିଦ୍ୟାଳୟ ପାଇଁ ଏପର୍ଯ୍ୟନ୍ତ ଜାଗା ଚିହ୍ନଟ ହୋଇନଥିବା ବେଳେ ମହାବିଦ୍ୟାଳୟର କ୍ୟାମ୍ପସକୁ ବ୍ୟବହାର ଯୋଗୁଁ ମହାବିଦ୍ୟାଳୟର ଶିକ୍ଷାର ବାତାବରଣରେ ପ୍ରତିବନ୍ଧକ ସୃଷ୍ଟି ହେବ । ବିଶ୍ୱବିଦ୍ୟାଳୟ ପାଇଁ କେବଳ ପିଜି ବିଭାଗକୁ ଅଲଗା ନ କରାଯାଇ ଯୁକ୍ତ ତିନି ବିଭାଗକୁ ଗୋଟିଏ ସ୍ଥାନରେ ରଖାଯାଇଥିବା ଯୋଗୁଁ ଉଚ୍ଚସ୍ତରୀୟ ଗବେଷଣା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସମସ୍ୟା ଦେଖାଯିବ । ପିଜି ବିଭାଗରେ ନୂଆ ବିଭାଗ ଖୋଲିବା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ଅଧ୍ୟାପକ ପଦବୀ ଖାଲି ପଡିଥିବା ଯୋଗୁଁ ପ୍ରତିବନ୍ଧକ ସୃଷ୍ଟି ହେବ ।

ପୂର୍ବରୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷାଦାନ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଗୌରବ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ସ୍ଥାପନ ଯୋଗୁଁ ଏହାର ଉନ୍ନତି ପରିବର୍ତେ ବୁମେରାଙ୍ଗ ସୃଷ୍ଟି ହେବ ବୋଲି ଅଭିଭାବକ ଓ ଶିକ୍ଷାବିତ ମହଲରେ ଉଦବେଗ ପ୍ରକାଶ ପାଇଛି । ଏନେଇ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଅକ୍ଷୟ ନନ୍ଦଙ୍କୁ ପଚାରିବାରୁ ସେ କହିଥିଲେ ଯେ ବର୍ତ୍ତମାନ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ରାଜ୍ୟ ସରକାର ପଦ୍ଧତି ଗବେଷଣା ଓ ଶିକ୍ଷାଦାନରେ ସହଯୋଗ ହେଲାଭଳି ଅନୁମେୟ ହେଉନାହିଁ । ବିଶ୍ୱବିଦ୍ୟାଳୟର ବିସ୍ତାର ନେଇ ବିଳମ୍ବ ଦେଖାଯିବ ତାହା ଅନ୍ୟ ପୂର୍ବରୁ ଘୋଷିତ ବିଶ୍ୱବିଦ୍ୟାଳୟ ମାନଙ୍କରେ ଦେଖିବାକୁ ମିଳିଛି । ତେଣୁ ରାଜ୍ୟ ସରକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ କେବଳ ପିଜିକୁ ଅଲଗା କରି ନୂଆ କ୍ୟାମ୍ପସ ସ୍ଥାପନ ପାଇଁ ତୁରନ୍ତ ପଦକ୍ଷେପ ର ଅବଶ୍ୟକତା ରହିଛି ବୋଲି କହିଥିଲେ । ଅବସର ପ୍ରାପ୍ତ ପ୍ରଫେସର ଡ଼ଃ ଗୋପବନ୍ଧୁ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଯେ, କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପିଜି ବିଭାଗକୁ ଅଲଗା କରି ସ୍ୱତନ୍ତ୍ର କ୍ୟାମ୍ପସ ନିର୍ମାଣ ହେବା ସହିତ ଅଧ୍ୟାପକ ପଦବୀ ପୁରଣ କରା ନ ଗଲେ ଶିକ୍ଷାଦାନ ଓ ଗବେଷଣା କାର୍ଯ୍ୟ ବାଧାପ୍ରାପ୍ତ ହେବ ।

 

ସମ୍ବନ୍ଧିତ ଖବର