କଳାହାଣ୍ଡିରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଆଇଟି ପାର୍କ ସ୍ଥାନାନ୍ତର ପାଇଁ ମସୁଧା

ଏପର୍ଯ୍ୟନ୍ତ ଜମି ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନକୁ ଚିଠି ଆସିନି, କଳାହାଣ୍ଡି ପରେ ଘୋଷଣା ହୋଇଥିବା ଜୟପୁର ପାର୍କ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ

ଭବାନୀପାଟଣା : କେନ୍ଦ୍ର ସରକାରଙ୍କ ସଫ୍ଟଓୟାର ଟେକ୍ନୋଲୋଜୀ ପାର୍କ ଅଫ ଇଣ୍ତିଆ(ଏସଟିପିଆଇ) ପକ୍ଷରୁ ଭବାନୀପାଟଣା ଠାରେ ଆଇଟି ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବା ତ ଦୂରର କଥା ଜିଲ୍ଲା ପ୍ରଶାସନକୁ ଜମି ପାଇଁ ଚିଠି ମଧ୍ୟ ନହେବା ନେଇ ସାଧାରଣରେ ପ୍ରକଳ୍ପର ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଭବାନୀପାଟଣା ପରେ ଜୟପୁର ଠାରେ ଆଇଟି ପାର୍କ ଘୋଷଣା ହୋଇ ଜମି ଲିଜ ପ୍ରଦାନ ଓ ବିଭାଗ ସହିତ ଜିଲ୍ଲା ପ୍ରଶାସନର ଚୁକ୍ତିନାମା ମଧ୍ୟ ଶେଷ ହୋଇଛି । ଫଳରେ ଭବାନୀପାଟଣା ଠାରେ ପ୍ରସ୍ତାବିତ ଆଇଟି ପାର୍କ ସ୍ଥାପନ ନେଇ ଅନିଶ୍ଚିତତା ଦେଖାଦେଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସଫ୍ଟଓୟାର ଟେକ୍ନୋଲୋଜୀ ପାର୍କ ଅଫ ଇଣ୍ତିଆ(ଏସଟିପିଆଇ) ପକ୍ଷରୁ ଭବାନୀପାଟଣା ଠାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆଇଟି ପାର୍କ ସ୍ଥାପନ ପାଇଁ ପ୍ରସ୍ତାବ ରହିଥିଲା । କିନ୍ତୁ ବର୍ତ୍ତମାନ ଏହାର ସ୍ଥାପନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଭବାନୀପାଟଣା ପରେ ଜୟପୁର ଠାରେ ବିଳମ୍ବରେ ଆଇଟି ପାର୍କ ସ୍ଥାପନ ଘୋଷଣା ହୋଇଥିଲେ ମଧ୍ୟ ଜୟପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ପ୍ରଦାନ ଓ ରାଜ୍ୟ ସରକାରଙ୍କ ସହିତ ଚୁକ୍ତିନାମା ମଧ୍ୟ ଶେଷ ହୋଇଛି । ଏପର୍ଯ୍ୟନ୍ତ ଭବାନୀପାଟଣା ଆଇଟି ପାର୍କ ପାଇଁ କୌଣସି ଜମି ଅଧିଗ୍ରହଣ ମଧ୍ୟ ହୋଇନାହିଁ । ଫଳରେ ଏହାର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି ।

ଓଡିଶାରେ ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ୱର ଠାରେ ଆଇଟି ପାର୍କ ରହିଛି । ସେହିଭଳି ଆଇଟି ପାର୍କ ରାଜ୍ୟର ସମ୍ବଲପୁର, ଅନୁଗୁଳ, ଯାଜପୁର, ରାୟଗଡା, ଜୟପୁର ଓ ଭବାନୀପାଟଣା ଠାରେ ଆଇଟି ପାର୍କ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବାନୀପାଟଣା ଠାରେ ଏକ ଆଇଟି ପାର୍କ ନିର୍ମାଣ ପାଇଁ ଘୋଷଣା କରିଥିଲେ । କିନ୍ତୁ ଭବାନୀପାଟଣାରେ ସ୍ଥାପନ ନିମିତ୍ତ ସମସ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଏହାର ସ୍ଥାପନ ନେଇ ଆଶଙ୍କା ପ୍ରକାଶ ପାଇଛି । ଏହି ଆଇଟି ପାର୍କ ନିର୍ମାଣ ପାଇଁ ୧୧,୫୦୦ ବର୍ଗଫୁଟର କୋଠା, ଉଚ୍ଚମାନର ଆଇଟି ସାମଗ୍ରୀ, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ୧୦୦କେଭିର ଡିଜିସେଟ୍, ୫୦ କେଭିର ୟୁପିଏସ ସୁବିଧା ଓ ଏହାସହ ଦ୍ରୁତ ଇଣ୍ଟରନେଟର ସୁବିଧା ରହିବାର ଆବଶ୍ୟକ ରହିଛି। ଏହି ପାର୍କ ପାଇଁ ଆବଶ୍ୟକ ପଡୁଥିବା ଭିତ୍ତିଭୂମି ମଧ୍ୟରେ ସୁବିଧାରେ ଜାତୀୟପଥ, ରେଳପଥ ଓ ବିମାନ ବନ୍ଦର ରହିଥିବା ଆବଶ୍ୟକ।

କଳାହାଣ୍ଡି ଜିଲ୍ଲାରେ ସମସ୍ତ ଭିତ୍ତିଭୂମି ଥିଲେ ମଧ୍ୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଅଭାବ ଯୋଗୁଁ ଏହି ପ୍ରକଳ୍ପ ନେଇ ବିଳମ୍ବ ଦେଖା ଦେଇଛି। କେନ୍ଦ୍ର ସରକାରଙ୍କ ଅବହେଳା ଓ ରାଜନେତା ମାନଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଭବାନୀପାଟଣା ଠାରେ ଆଇଟି ପାର୍କ ସ୍ଥାପନ ପ୍ରସ୍ତାବ ଏବେ ମରୀଚିକା ପାଲଟିଛି । ଏନେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ପଚାରିବାରୁ ଜିଲ୍ଲା ପ୍ରଶାସନ ସହିତ କଥା ହୋଇ ଏହାର ଅଗ୍ରଗତି ନେଇ ବୁଝିବି ବୋଲି କହିଥିଲେ । କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦଙ୍କୁ ପଚାରିବାରୁ ଜମି ଅଧିଗ୍ରହଣ ନେଇ ଏ ନେଇ କୌଣସି ଚିଠି ଆସିନାହିଁ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର