ଦେବେନ୍ଦ୍ର କୁମାର ବିଶି
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଜଳସେଚନ ବୃଦ୍ଧି ପାଇଥିବାବେଳେ ଭଟାମୁଗଠାରୁ ଆରମ୍ଭ କରି ଲହବିରି ପର୍ଯ୍ୟନ୍ତ ପାରମ୍ପରିକ ଚାଷ ଲୋପ ପାଇବାକୁ ବସିଛି। ଜିଲ୍ଲାରେ ୪୨.୦୩ ପ୍ରତିଶତ ଚାଷଜମି ଜଳସେଚିତ ହେବା ପରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ଦେଶୀଧାନ ବିଲୁପ୍ତ ହୋଇ ଏହା ବଦଳରେ ହାଇବ୍ରିଡ୍ ଧାନ ନିଜର ଆସ୍ଥାନ ଜମାଇ ସାରିଲାଣି। ଜିଲ୍ଲାରେ ୩ ଲକ୍ଷ ୯୧ ହଜାର ହେକ୍ଟର ଜମିରେ ଚାଷ ହେଉଥିବାବେଳେ ୨ ଲକ୍ଷ ୩୭ ହଜାର ୮୫୬ ହେକ୍ଟର ଭଟା ଜମି, ୮୫ ହଜାର ୨୭୯ ହେକ୍ଟର ବାଇଲି ଜମି ଓ ୭୬ ହଜାର ୮୬୫ ହେକ୍ଟର ବାହାଲ ଜମି ରହିଛି। ଇନ୍ଦ୍ରାବତୀ ପ୍ରକଳ୍ପ ହେବା ପରେ ଜିଲ୍ଲାରେ ଜଳସେଚନ ହାର ବୃଦ୍ଧି ପାଇ ବର୍ତ୍ତମାନ ୪୨.୦୩ ପ୍ରତିଶତରେ ପହଞ୍ଚିଛି। ଜିଲ୍ଲାରେ କୃଷି ଉତ୍ପାଦନ ଦିଗରେ ଜଳସେଚନ ଏକ ପ୍ରମୁଖ ଭୂମିକା ନେଇଛି, ଅନ୍ୟପକ୍ଷରେ ପାରମ୍ପରିକ ଚାଷଗୁଡ଼ିକ ହଜିବାରେ ଲାଗିଛି।
ଜିଲ୍ଲାରେ ଭଟାମୁଗ, ଲହବିରି, କୋଳଥ, କାଙ୍ଗୋ, ଗୁର୍ଜି, କୋଶଲା, କାନ୍ଦୁଲ, ମାଣ୍ଡିଆ, କଳାମୁଗ, ଦେଶୀ ମକା, ଖେଡଜନା, ବନକ, ଲାଏଟକନ୍ଦା, ଟେଭା ଭଳି ଚାଷ ବିଲୁପ୍ତ ହେବାରେ ଲାଗିଛି। ଜଳସେଚନ ପରେ ଧାନ ଚାଷ ଉତ୍ପାଦନ ବୃଦ୍ଧି ପାଇଥିବାବେଳେ ଦେଶୀ ଧାନ କିନ୍ତୁ ଜମିରୁ ଗାଏବ ହୋଇଗଲାଣି। ପୂର୍ବରୁ ଜିଲ୍ଲାରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ପ୍ରଜାତିର ଦେଶୀ ଧାନ ଚାଷ ହେଉଥିଲା। ବର୍ତ୍ତମାନ କେବଳ ହାଇବ୍ରିଡ୍ ଧାନ ଚାଷ ଯୋଗୁଁ ଅତ୍ୟଧିକ ସାର ଓ କୀଟନାଶକ ବ୍ୟବହାର ଫଳରେ ଜମିର ଉର୍ବରତା ହ୍ରାସ ପାଇବା ସହିତ ଜୈବିକ ଚାଷ ପ୍ରଭାବିତ ହୋଇଛି। ଏଥିଯୋଗୁଁ ଜମିରେ ଆଉ ଜିଆ ଦେଖିବାକୁ ମିଳୁନାହିଁ। ସେହିଭଳି ଦୁର୍ଗମ ଅଞ୍ଚଳରେ କାନ୍ଦୁଲ ଚାଷ ମଧ୍ୟ ପ୍ରଭାବିତ ହେବାରେ ଲାଗିଛି।
ପୋଡ଼ୁ ଚାଷ ହେଉଥିବା ଅଞ୍ଚଳରେ ଲୋକେ କାନ୍ଦୁଲ ଚାଷ କରୁଥିବାବେଳେ ବର୍ତ୍ତମାନ ଏଥିରୁ ଦୂରେଇ ଗଲେଣି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ର ବନ୍ଧାଗାଁ ଅଞ୍ଚଳ କଳା ମୁଗ ପାଇଁ ପରିଚିତ ଥିଲା। ଏବେ କିନ୍ତୁ ସେଠାରେ ଆଉ କଳାମୁଗ ଦେଖିବାକୁ ମିଳୁନାହିଁ। ସେହିଭଳି ପାହାଡ଼ି ଅଞ୍ଚଳରେ ଦେଶୀମକା ବଦଳରେ ଏବେ ହାଇବ୍ରିଡ୍ ମକା ଚାଷ କରାଯାଉଛି। ଡଙ୍ଗର୍ଲା ଅଞ୍ଚଳରେ କଳା କୋଳଥ ଚାଷ ମଧ୍ୟ ଲୋପ ପାଇସାରିଛି। ଏହି ବିଲୁପ୍ତ ପ୍ରଜାତିର ବିଭିନ୍ନ ଚାଷ ହଜି ଯାଉଥିବାବେଳେ ଏହାର ପୁନରୁଦ୍ଧାର ପାଇଁ କାହାର ଆଗ୍ରହ ପ୍ରକାଶ ପାଉନାହିଁ। ଭଟ୍ଟା ଜମିରେ ଲୋକେ ମକା ଓ କପା ଚାଷ କରୁଥିବାବେଳେ ଜଳସେଚିତ ଅଞ୍ଚଳରେ କେବଳ ଧାନଚାଷ କରି ଚାଷୀମାନେ ଅଧିକ ଉତ୍ପାଦନ କରୁଥିବାରୁ ପାରମ୍ପରିକ ଚାଷ ପ୍ରତି ବିମୁଖ ହେବାରେ ଲାଗିଛନ୍ତି। ଜିଲ୍ଲାରେ ଜୈବିକ ଚାଷ ପ୍ରତି ସଚେତନ ସୃଷ୍ଟି କରିବା ଓ ଧାନର ବିକଳ୍ପ ପାଇଁ କୃଷି ବିଭାଗ ପକ୍ଷରୁ ମଧ୍ୟ ଠୋସ୍ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ କଳାହାଣ୍ଡିର ପାରମ୍ପରିକ ଚାଷ ନିଜର ପରିଚୟ ହଜାଇବାରେ ଲାଗିଛି।