କାଳିଆପାଣି ତାରିଣୀ ବଜାର ହତ୍ୟାକାଣ୍ଡ: ଅଭିଯୁକ୍ତର ଟ୍ରକ୍‌ ଓ ଘର ଜାଳିଦେଲେ

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ତାରିଣୀ ବଜାରରେ ଗତକାଲି ରାତି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ବୁଧବାର ଦିନ ଦିନତମାମ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ବୁଧବାର ସକାଳୁ ଅଭିଯୁକ୍ତର ୧୪ ଚକିଆ ଟ୍ରକ୍‌(ଓଡି-୦୪ଇ-୦୦୧୮)କୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଥିଲେ। ସେହିପରି ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ସନ୍ଦେହରେ ଉକ୍ତ ବଜାରରେ ଥିବା ଅଭିଯୁକ୍ତର ୩ ବଖରା ଘରକୁ ପୁଲିସ ସିଲ୍‌ କରିବା ସତ୍ତ୍ବେ ଲୋକେ ଏହାର ଗେଟ୍‌ ଭାଙ୍ଗି ନିଆଁ ଲଗାଇ ଦେଇଥିଲେ।

ହତ୍ୟାକାରୀ ବିରେନ ସାମଲ ଓରଫ୍‌ ଶାନ୍ତନୁକୁ ଫାଶୀଦଣ୍ଡ, ହତ୍ୟାରେ ସଂପୃକ୍ତି ଓ ଲୋକଙ୍କୁ ଧମକଚମକ ଦେଇଥିବା ଅଭିଯୁକ୍ତର ସାନଭାଇ ସମ୍ରାଟ ସାମଲକୁ ଗିରଫ, ବଜାର ପଛ ପାର୍ଶ୍ବରେ ଅଭିଯୁକ୍ତର ବେଆଇନ ଘର ଉଚ୍ଛେଦ, ସାଧାରଣ ଚଳପ୍ରଚଳ ସ୍ଥାନରେ ପଡ଼ି ରହିଥିବା ଅଭିଯୁକ୍ତର ଏକାଧିକ ଅଚଳ ଟ୍ରକ୍‌କୁ ହଟାଇନେବା, ବସ୍ତି ଓ ବଜାର ବାସିନ୍ଦାଙ୍କ ସୁରକ୍ଷା ଓ ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଦାବିରେ ବୁଧବାର ଭୋରୁ ରାଁସୋଳ ପଞ୍ଚାୟତ ୬ ନଂ ଓ ୭ ନଂ ୱାର୍ଡ ବାସିନ୍ଦାଙ୍କ ପକ୍ଷରୁ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ଅବରୋଧ କରାଯାଇଥିଲା। ଖଣି ପ୍ରଭାବିତ ଟ୍ରକ୍‌ ମାଲିକ ସଂଘ ଅଫିସରୁ ଟାଟା ପାର୍କିଂୟାର୍ଡ ମଧ୍ୟରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ଜରିପାଲ ପକାଇ ବସି ରାସ୍ତାରେ ରହିଥିଲେ। ଘଟଣାସ୍ଥଳରେ ଥିବା ଅଭିଯୁକ୍ତର ୧୪ ଚକିଆ ଟ୍ରକ୍‌(ଓଡି-୦୪ଇ-୦୦୧୮)କୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେବା ସହ ୩ ବଖରା ଘରକୁ ନିଆଁ ଲଗାଇଦେଇଥିଲେ। ଟାଟାଷ୍ଟିଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ(ଏଏସ୍‌ପି) ସିଲଭେରିଅସ୍‌ ଟପ୍ପୋ, ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ, ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ନେତୃତ୍ବରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥାଇ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ପକ୍ଷରୁ ଏଏସ୍‌ଓ କେ. ବିଜୟ କୁମାର, ସହଯୋଗୀ ମନୋଜ କୁମାର ଦାଶ, କାଳିଆପାଣି ଥାନାର ଏଏସ୍‌ଆଇ ତ୍ରିଲୋଚନ ସାହୁ ଘଟଣାସ୍ଥଳରୁ ମୃତକଙ୍କ ରକ୍ତ ନମୁନା ଓ ଜୋତା ସଂଗ୍ରହ କରିଥିଲେ। ଏଠାରେ ପଡ଼ିଥିବା ଧୂଳିମାଟି ମଧ୍ୟରୁ ପୁଲିସ ଅଭିଯୁକ୍ତର ସୁନାଚେନ୍‌ ଜବତ କରିଥିଲା। ସଂଧ୍ୟାରେ ମୃତକଙ୍କ ମରଶରୀର ବଜାର ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉଭୟ ୬ ଓ ୭ ନମ୍ବର ୱାର୍ଡ ଶାନ୍ତି କମିଟି ପକ୍ଷରୁ ସଂଯୁକ୍ତା ଜେନା, ପ୍ରମିଳା ପୃଷ୍ଟି, ଗୀତାଞ୍ଜଳି ମହାନ୍ତ, ମନୋଜ ପଣ୍ଡା, ସୁରେନ୍ଦ୍ର ହେମ୍ବ୍ରମ, ଦିପୁ ଗୋପ୍ ପ୍ରମୁଖଙ୍କ ନେତୃତ୍ବରେ ଲୋକେ ରାସ୍ତା ଉପରେ ଶବ ରଖି ଦାବି ଦୋହରାଇଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ସରପଞ୍ଚ କନକଲତା ସର୍ଦ୍ଦାର, ସମିତିସଭ୍ୟା ଉମାରାଣୀ ପ୍ରଧାନ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। ୧୨ ଘଣ୍ଟା ଧରି ରାସ୍ତାରୋକ ପରେ ପ୍ରଶାସନ ଲୋକଙ୍କୁ ବୁଝାଇବାରେ ସଫଳ ହୋଇଥିଲା। ‌ ଏଏସ୍‌ପି ଶ୍ରୀ ଟପ୍ପୋ, ତହସିଲଦାର ଓ ଥାନା ଅଧିକାରୀ ସମସ୍ତ ଦାବି ଗ୍ରହଣ କରିଥିଲେ। ଯଥାଶୀଘ୍ର ଅନ୍ୟତମ ଅଭିଯୁକ୍ତ ସମ୍ରାଟ ସାମଲକୁ ଗିରଫ ଏବଂ ମାସକ ମଧ୍ୟରେ ଆଇନାନୁଯାୟୀ ଅଭିଯୁକ୍ତର ବେଆଇନ ଘର ଉଚ୍ଛେଦ ଓ ଅଚଳ ଟ୍ରକ୍‌ ହଟାଇ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବାରେ ରାସ୍ତାରୋକ ହଟିଥିଲା।

ଗତକାଲି ଅଭିଯୁକ୍ତ ଶାନ୍ତନୁ ପ୍ରଥମେ ଜିତେନ୍ଦ୍ର ଓରଫ୍‌ କାହ୍ନା(୨୫)କୁ ହାଣିବା ପରେ ଖଣ୍ଡା ଧରି ତାଙ୍କ ବାପା ସନ୍ତୋଷ କୁମାର ମହାପାତ୍ର(ବାଇନ)ଙ୍କୁ ଗୋଡ଼ାଇଥିଲା। ଏହି ସମୟରେ ପଡ଼ୋଶୀ ଘରର ଟିଣ ଛପରରେ ବାଜି ଖଣ୍ଡାଟି ତଳେ ପଡ଼ି ଯାଇଥିଲା। ଗୃହ ମାଲିକ ଗୋବିନ୍ଦ ଦାସ ତୁରନ୍ତ ଉକ୍ତ ରକ୍ତଭିଜା ଖଣ୍ଡାକୁ ‌ସେହି ଅଗଣା ଭାଡ଼ି ଆଡ଼କୁ ଫିଙ୍ଗି ଦେଇଥିଲେ। ଯାହାଫଳରେ ବାଇନ ନିଶ୍ଚିତ ବିପଦରୁ ବର୍ତ୍ତି ଯାଇଥିଲେ। ବାଇନଙ୍କ ଏତଲା ଆଧାରରେ ଆଇପିସିର ୩୦୨/୩୪ ଧାରାରେ ଥାନାରେ ଏକ କେସ୍ ୧୨୧/୨୨ ରୁଜୁ ହୋଇଛି। ସେହିପରି ବଣିକସଂଘ ଓ ମହିଳା ସମିତି ପକ୍ଷରୁ ଅଭିଯୁକ୍ତ ଶାନ୍ତନୁ ଓ ତା’ ସାନଭାଇ ବିରୋଧରେ ଥାନାରେ ଆଉ ୨ଟି ଅଭିଯୋଗ ପତ୍ର ଦାଖଲ ହୋଇଛି। ସେ ନିଜେ ତଦନ୍ତ ଦାୟିତ୍ବ ନେଇଥିବା ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର