କାଳନ୍ଦୀ ଚରଣ ରଥଙ୍କ ପରଲୋକ

ଖଣ୍ଡପଡ଼ା : ଖଣ୍ଡପଡ଼ା ସହରାଞ୍ଚଳ ୬ନଂ ୱାର୍ଡ ଦାଣ୍ଡସାହିର ବାସିନ୍ଦା ପୂର୍ବତନ ପ୍ରଧାନଶିକ୍ଷକ କାଳନ୍ଦୀ ଚରଣ ରଥ(୯୨)ଙ୍କ ପରଲୋକ ଘଟିଛି। କିଛିଦିନ ଧରି ଅସୁସ୍ଥ ଥିବା ସ୍ବର୍ଗତ ରଥଙ୍କର ଆଜି ଭୋର୍‌ ସମୟରେ ପରଲୋକ ଘଟିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି।

ଦୀର୍ଘବର୍ଷ ହେବ ଶିକ୍ଷକତା ବୃତ୍ତି ସହିତ ଖଣ୍ଡପଡା ଅଞ୍ଚଳର ଲୋକକଳା ଢୁମ୍ପା ସଙ୍ଗୀତ ପ୍ରତି ତାଙ୍କର ସ୍ବତନ୍ତ୍ର ଅବଦାନ ରହିଥିଲା। ଗଦାଧର ଢୁମ୍ପା ସଙ୍ଗୀତକୁ ପରବର୍ତ୍ତୀ ପିଢି ନିକଟରେ ପହଞ୍ଚାଇବା ପାଇଁ ସେ ସ୍ବତନ୍ତ୍ର ଉଦ୍ୟମ କରିଥିଲେ। ଇଷ୍ଟର୍ଣ୍ଣ ଜୋନାଲ‌୍ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଗୁରୁଶିଷ୍ୟ ପରମ୍ପରାର ମୁଖ୍ୟ ଗୁରୁ ଭାବେ ସ୍ବର୍ଗତ ରଥ ପରିଚିତ ଥିଲେ। ତାଙ୍କ ବିୟୋଗରେ ଦାଣ୍ଡସାହିସ୍ଥିତ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ର, ନଗର ବିଜେଡି ସଭାପତି କିଶୋର ଚନ୍ଦ୍ର ଦାଶ, ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ପ୍ରମୁଖ ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଶୋକାକୁଳ ପରିବେଶରେ ସହରାଞ୍ଚଳ ଅଧୀନ ମା’ ଉମାଦେବୀ ମନ୍ଦିର ନିକଟସ୍ଥ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡପୁଅ ମାଧବାନନ୍ଦ ରଥ ମୁଖାଗ୍ନି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ତାଙ୍କ ପୁତ୍ର ଲୋକପ୍ରିୟ କାର୍ଟୁନିଷ୍ଟ ତଥା କଟାକ୍ଷ କିଶୋର ଭାବେ ପରିଚିତ କିଶୋର ରଥଙ୍କର ଗତବର୍ଷ ନଭେମ୍ବର ୮ ତାରିଖରେ ପରଲୋକ ଘଟିଥିଲା।

ସମ୍ବନ୍ଧିତ ଖବର