ଅନୁଗୁଳ : ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କୁ ଆଜି ଭାରତ ସରକାରଙ୍କ ପକ୍ଷରୁ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ସ୍ବାଧୀନ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମନ୍ତ୍ରାଳୟ ଦ୍ବାରା ପରିଚାଳିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ଏହି ପଦରେ ସେ ଆସନ୍ତା ତିନି ବର୍ଷ ଲାଗି ରହିବେ। ଏହି ନୂତନ ନିଯୁକ୍ତି ନେଇ ଶ୍ରୀ ସାମଲଙ୍କୁ ଆଜି ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମନ୍ତ୍ରାଳୟର ଉପ ସଚିବ ଏସ୍.କେ. ବର୍ମା ଚିଠି ଦ୍ବାରା ଅବଗତ କରାଇଛନ୍ତି।
ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଜନ୍ମିତ ଶ୍ରୀ ସାମଲ ବିଜେପିରେ ଯୋଗଦେଇ ତାଳଚେର ନିର୍ବାଚନ ମଣ୍ଡଳୀରୁ ୨୦୧୪ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିଲେ। ଅବଶ୍ୟ ଏଥିରେ ସେ ପରାଜୟବରଣ କରିଥିଲେ। ପୁନର୍ବାର ୨୦୧୯ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ସ୍ବଳ୍ପ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ। ଜାତୀୟସ୍ତରରେ ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପାଇବା ପରେ ଶ୍ରୀ ସାମଲ ‘ସମ୍ବାଦ’କୁ କହିଛନ୍ତି ଯେ ରାଜ୍ୟର ସ୍ବାର୍ଥ ପାଇଁ ତାଙ୍କର ଏହି ଦାୟିତ୍ବ ଅଧିକ ଉପଯୋଗୀ ହୋଇପାରିବ। ରାଜ୍ୟର କ୍ଷୁଦ୍ରଶିଳ୍ପ ଉଦ୍ଦ୍ୟୋଗୀମାନଙ୍କୁ ପ୍ରାଥମିକତା ଦେଇ ପ୍ରେତ୍ସାହନ ଦିଆଯିବ। ଫଳରେ ରାଜ୍ୟରେ ବୃଦ୍ଧି ପାଉଥିବା ବେକାର ଯୁବକଯୁବତୀଙ୍କ ସଂଖ୍ୟା ଅନେକାଂଶରେ ହ୍ରାସ ପାଇବ।