ଯାଜପୁର/ଧର୍ମଶାଳା : ରାଜ୍ୟର ଅନ୍ୟତମ ଧନୀ ଧର୍ମଶାଳା ତହସିଲ ଅଞ୍ଚଳରେ ଶହଶହ କୋଟି ଟଙ୍କାର କଳାପଥର କେଳେଙ୍କାରୀକୁ ନେଇ ବର୍ଷ ବର୍ଷ ଧରି ଚର୍ଚ୍ଚା ଜାରି ରହିଛି। ଏପରିକି ଲୋକାୟୁକ୍ତ, ସୁପ୍ରିମକୋର୍ଟ, ଭିଜିଲାନ୍ସ କୋର୍ଟରେ ଏକାଧିକ ମାମଲା ବିଚାରାଧୀନ ରହିଛି। କଳାପଥର(ଗ୍ରାନାଇଟ) ଖାଦାନ ଓ କ୍ରସର ଜରିଆରେ ମୁଷ୍ଟିମେୟ ବ୍ୟକ୍ତି ଶହଶହ କୋଟିର ମାଲିକ ହୋଇପଡ଼ିଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଯାହାକୁ ନେଇ ପ୍ରଶାସନ ତଥା ସରକାର ଚିନ୍ତାରେ ପଡିଛନ୍ତି। କଳାପଥର ବ୍ୟବସାୟରେ କୋଟି କୋଟି ଟଙ୍କା ଟକସ ଫାଙ୍କି ନେଇ ମଧ୍ୟ ଅଭିଯୋଗ ହେଉଛି। ଯାହାକୁ ଭିତ୍ତି କରି ଗତକାଲି ଠାରୁ ଆୟକର ବିଭାଗ ଡେପୁଟି ଡାରେକ୍ଟର ନେତୃତ୍ବରେ ଏକାଧିକ ଟମ୍ ଶ୍ରୀବାସ ଜେନାଙ୍କ ଏସ୍ଟି ମିନେରାଲସ, ନିରଞ୍ଜନ ଦେଓଙ୍କ କୋଣାର୍କ ଟ୍ରାନ୍ସପୋର୍ଟ, ପ୍ରଶାନ୍ତ କୁମାର ଜେନା (ବାବୁଲି)ଙ୍କ ପିକେ ଜେନା ମିନେରାଲସ ଓ ଅପୂର୍ବ ସାହୁ (ଝାଲୁ)ଙ୍କ ଅରୁଣୀ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ଯାଞ୍ଚ ଜାରି ରଖିଛନ୍ତି। ଆଜି ରାତି ପର୍ଯ୍ୟନ୍ତ ଚଢ଼ଉ ଚାଲିଥିଲା ପ୍ରକାଶ ଥାଉକି ଗତକାଲି ଭୋର ସମୟରୁ ଛାନଭିନ୍ ଆରମ୍ଭ ହୋଇଥିଲା।
ଧର୍ମଶାଳାର ଡଙ୍କାରୀ, ରାହାଡ଼ପୁର, ବିଛାଖଣ୍ଡି, କୁସୁନପୁର, ବାଜବାଟି, ଆରୁହା, ଲୁଣିବର ପ୍ରଭୃତି ଖାଦାନରୁ ହଜାର ହଜାର କୋଟି ଟଙ୍କାର କଳାପଥର ଚୋରି ସହିତ ଲିଜ୍ ଅଞ୍ଚଳରୁ ମଧ୍ୟ ମାତ୍ରାଧିକ ବେଆଇନ୍ ଖନନ ହୋଇଛି। ଯାହାକି ଆରୁହା ଓ ଡଙ୍କାରୀରେ ଧରାପଡ଼ିଛି। ଅନ୍ୟ ଗୁଡ଼ିକ ଅନୁସନ୍ଧାନ ହୋଇଥିଲେ ହେଁ ତାହା ଲୋକଲୋଚନକୁ ଆସିନାହିଁ। ବିଶେଷ କରି ରାଜସ୍ବ, ଜଙ୍ଗଲ ଓ ପରିବେଶର ଅସାଧୁମେଣ୍ଟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବେଆଇନ ଖଣିଖାଦାନ କାରବାର ଚାଲିଛି। ଆୟକର ବିଭାଗ ଚଢ଼ଉ ଅନେକ ଖାଦାନ ଓ କ୍ରସର ମାଲିକଙ୍କର ନିଦ ହଜାଇ ଦେଇଥିବା ବେଳେ ରାଜନେତା, ପ୍ରଶାସକ ମଧ୍ୟ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ଆୟକର ବିଭାଗର ଚଢ଼ଉର ଫଳାଫଳ ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/33-13.jpg)