ତିଗିରିଆ: କଟକ ଜିଲ୍ଲା ତିଗିରିଆ ବନଖଣ୍ଡ ଅନ୍ତର୍ଗତ ଭିରୁଡ଼ା ପଞ୍ଚାୟତର ବନ୍ଦାଣ ତଇଲାରେ ବାର୍ହା ଶିକାର ପାଇଁ ବିଛା ଯାଇଥିବା ଫାସରେ ପଡ଼ି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ମୃତ ମାଈ କଲରାପତରିଆ ବାଘର ବୟସ ୮ରୁ ୧୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପାରିପାର୍ଶ୍ବିକ ଅବସ୍ଥାରୁ ଦିନେ ଦୁଇଦିନ ତଳୁ ବାଘଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ, ଆଜି ଭୋର୍ ସମୟରେ ବାଘଟି ମରିଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି।
ଆଜି ସକାଳେ ସ୍ଥାନୀୟ ଲୋକେ ବାଘର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ସେଠାରେ ପହଞ୍ଚି ବାଘର ମୃତଦେହ ଜବତ କରି ତଦନ୍ତ କରିଥିଲେ। ଏହାପରେ ଆଠଗଡ଼ର ବଉଦା ବନଖଣ୍ଡି ସଂରକ୍ଷିତ ଜଙ୍ଗଲ ପରିସରରେ ବାଘର ଶବ ବ୍ୟବଚ୍ଛେଦ କରାଯାଇଛି। ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ, ଆଠଗଡ଼ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ ବେହେରା, ବନ ବିଭାଗ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର କିଶୋର ସାହୁ ଓ ତିଗିରିଆ ବ୍ଲକ୍ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଚୌଧୁରୀ ଦୀପକ ମହାପାତ୍ରଙ୍କ ସମେତ ବନବିଭାଗ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।
ପ୍ରକାଶଥାଉ କି, ତିଗିରିଆ ବନଖଣ୍ଡ ଅଞ୍ଚଳରେ ମଣିଷ ଓ ବନ୍ୟପ୍ରାଣୀଙ୍କ ଲଢ଼େଇରେ କେତେବେଳେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟୁଛି ତ କେତେବେଳେ ମଣିଷଙ୍କ ଜୀବନ ଯାଉଛି। ପୂର୍ବରୁ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୯ ମସିହାରେ ତିଗିରିଆ ବନଖଣ୍ଡ ଅନ୍ତର୍ଗତ ହରିଡ଼ାପଶି ଗ୍ରାମ ନିକଟ ଜଙ୍ଗଲରୁ ୧୦ ବର୍ଷୀୟା ମାଈ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା। ଏହାଛଡ଼ା ହାଟମାଳ ପଞ୍ଚାୟତର ଶୁଣ୍ଠିପାଳ ଗ୍ରାମରେ କିଛିଦିନ ତଳେ ବିଲକୁ କାମ କରିବାକୁ ଯାଇଥିବା ଲୋକଙ୍କୁ ବାର୍ହା ଆକ୍ରମଣ କରିଥିଲେ। ଏଥିରେ ବହୁ ଲୋକ କ୍ଷତାକ୍ତ ହୋଇଥିଲେ। ବନ ବିଭାଗ ପକ୍ଷରୁ ଠିକ୍ ଭାବେ ପାଟ୍ରୋଲିଂ କରାଯାଉ ନ ଥିବାରୁ ଏଭଳି ଅଘଟଣ ଘଟୁଥିବା ସେତେବେଳେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଏହାସତ୍ତ୍ବେ ବନ ବିଭାଗ ନ ଚେତିବାରୁ ପୁଣି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।