ରାଜ୍ୟ ବାହାରେ ଗବେଷଣା ହେବ ‘କଳାବତୀ’; ଆସାମ କୃଷି ବିଶ୍ବବିଦ୍ୟାଳୟ ଗଲା ଧାନ

କୋରାପୁଟ: ଧାନ ଗବେଷଣା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିବାକୁ ଯାଉଛି କୋରାପୁଟିଆ ଧାନ ‘କଳାବତୀ’। ସ୍ବତନ୍ତ୍ରତା ତଥା ଭିନ୍ନ ବିଶେଷତ୍ବ ନିମନ୍ତେ ପୂର୍ବରୁ ସ୍ବୀକୃତି ମିଳି ସାରିଥିଲେ ବି ଅଧିକ ପରୀକ୍ଷାନିରୀକ୍ଷା କରାଯିବ। ଏଥିପାଇଁ ଆସାମ କୃଷି ବିଶ୍ବବିଦ୍ୟାଳୟ ଗବେଷଣା କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଆଜି ସ୍ବତନ୍ତ୍ର ଗାଡ଼ିରେ କଳାବତୀ ଧାନ କୋରାପୁଟରୁ ବାହାରିଛି। ଜିଲ୍ଲାପାଳ ଅବଦଲ ଏମ୍‌. ଅଖତର ପତାକା ଦେଖାଇ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି।

ହାଇବ୍ରିଡ୍‌ ଧାନ ବିହନ ଓ ଆଧୁନିକ କୃଷି ପ୍ରଣାଳୀ ସତ୍ତ୍ବେ କୋରାପୁଟ ଜିଲ୍ଲାରେ ପାରମ୍ପରିକ ତଥା ଜୈବିକ ପଦ୍ଧତିରେ ଏବେ ବି ଚାଷ ହେଉଛି। ବିଷମ ପରିସ୍ଥିତିରେ ବି ପାରମ୍ପରିକ ବିହନରୁ ଭଲ ଉତ୍ପାଦନ ହେଉଛି। ସେଥିମଧ୍ୟରୁ କଳାବତୀ ଅନ୍ୟତମ। ଏହି କିସମ ଧାନ ଏକର ପିଛା ୧୬ କୁଇଣ୍ଟାଲରୁ ଅଧିକ ଅମଳ ହୋଇଥାଏ। ତେଣୁ ଆସାମ କୃଷି ବିଶ୍ବବିଦ୍ୟାଳୟ ଔଷଧୀୟ ଗୁଣ ରହିଥିବା ଏହି ଧାନକୁ ଗବେଷଣା କରିବାକୁ ନିଷ୍ପତ୍ତି ନେଇ କୋରାପୁଟ ଜୈବିକ ଶ୍ରୀ ଫାର୍ମର ପ୍ରଡ୍ୟୁସର କମ୍ପାନି ଲିମିଟେଡ୍‌ ସହ ଚୁକ୍ତି କରିଛି। ଆଜି ୫୨ କ୍ବିଣ୍ଟାଲ କଳାବତୀ ଧାନ ଆସାମ ପଠାଯାଇଛି। ସେଥିରୁ କେଭି‌କେ ଶିବସାଗରକୁ ୭୫୦ କେଜି, କେଭିକେ ଗୋଳାଘାଟକୁ ୫୧୫ କେଜି, କେଭିକେ ଲକ୍ଷ୍ମୀପୁରକୁ ୫୧୫ କେଜି, କେଭିକେ କୋକ୍ରାଝରକୁ ୫୧୫ କେଜି, କେଭିକେ ଧୁବ୍ରିକୁ ୪୮୦ କେଜି, କେଭିକେ ବାରପେଟାକୁ ୪୮୦ କେଜି, କେଭିକେ କାମରୂପକୁ ୬୯୦କେଜି, କେଭିକେ କାଚରକୁ ୪୮୦ କେଜି, କେଭିକେ ଢେମନିକୁ ୩୦୦ କେଜି ଓ ଏଚ୍‌ଆର୍‌ଏସ୍‌ କାହିକୁଟିକୁ ୫୧୦ କେଜି ଧାନ ପଠାଯିବ ବୋଲି ସୂଚନା ମିଳିଛି।

ଏହି ଅବସରରେ ଜ଼ିଲ୍ଲାପାଳ କହିଛନ୍ତି, ଧାନ ଗବେଷଣା ଚାଷୀଙ୍କୁ ପ୍ରୋତ୍ସାହିତ କରିବ। ବର୍ତ୍ତମାନର ଆବଶ୍ୟକତାକୁ ପୂରଣ କରିବାକୁ ଚାଷୀ ବିରଳ କିସମ ଧାନ ଚାଷ କଲେ ଅର୍ଥନୈତିକ ଅଭିବୃଦ୍ଧି ନିଶ୍ଚିତ ହେବ। ଧାନ ପଠାଇଥିବା ଜୈବିକ ଶ୍ରୀ ଫାର୍ମର ପ୍ରଡ୍ୟୁସର କମ୍ପାନି ଲିମିଟେଡ୍‌ ସିଇଓ ମୁରଲୀଧର ଅଧିକାରୀ କହିଛନ୍ତି, କଳାବତୀ ଧାନରୁ ଚାଉଳ କଳା ବାହାରେ। କ୍ୟାନ୍‌ସର୍‌ ଭଳି ମାରାତ୍ମକ ରୋଗରେ ପ୍ରତିରୋଧକ ଭାବେ କାମ କରେ। ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଉପଯୋଗୀ। ପ୍ରଚୁର ପରିମାଣରେ ଭିଟାମିନ୍‌ ସହ ଆଣ୍ଟିଅକ୍ସିଡେଣ୍ଟ ରହିଛି। କୋରାପୁଟ ଜିଲ୍ଲାରେ କଳାବତୀ ଚାଉଳ କିଲୋ ପିଛା ୧୬୦ଟଙ୍କାରେ ବିକ୍ରି ହେଉଛି। ରାଜ୍ୟ ବାହାରେ ପ୍ରବଳ ଚାହିଦା ରହିଛି ଏବଂ ଦର ମଧ୍ୟ ଢେର ଅଧିକ। ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଏହି ଧାନ ଚାଷ କରାଯାଉଛି। ତେଣୁ ରାଜ୍ୟ ସରକାର ଗୁରୁତ୍ବ ଦେଇ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ଜିଆଇ ଟ୍ୟାଗ୍‌ ନିମନ୍ତେ ଆବେଦନ କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର