ଡରାଇବ କାଳବୈଶାଖୀ : ୨୦ ଜିଲ୍ଲା ଉପରେ ପ୍ରଭାବ

ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ, ୨୮ ପରେ ପାଗ ବଦଳିବ, ଉତ୍ତରରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ମାଡ଼ିଆସୁଛି କାଳବୈଶାଖୀ ବର୍ଷା। ୪ ଦିନ ଯାଏ ଡରାଇବ। ଅର୍ଧାଧିକ ଜିଲ୍ଲାରେ ବର୍ଷା ଆଶଙ୍କା ଥିବା ବେଳେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ। ବଜ୍ରପାତ ସହ ଘଡ଼ଘଡ଼ିର ବି ସମ୍ଭାବନା ରହିଛି। ଠାଏ ଠାଏ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଭ୍ୟନ୍ତରୀଣ ଓଡ଼ିଶାରୁ ଛତିଶଗଡ଼, ‌ତେଲେଙ୍ଗାନା ଓ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ପର୍ଯ୍ୟନ୍ତ ଏକ ଟ୍ରପ୍‌ଲାଇନ୍‌ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ କାଳବୈଶାଖୀ ବର୍ଷା ହେବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ସୂଚନା ବି ଜାରି କରାଯାଇଛି। ୨୫ ତାରିଖ ପାଇଁ ୨୦ ଜିଲ୍ଲାରେ ସ୍ଥିତି ବିଗିଡ଼ିବ। ୨୬ ଓ ୨୭ ତାରିଖରେ ଘଣ୍ଟାପ୍ରତି ୫୦ କିମି ବେଗରେ ପବନ ସହ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ ହୋଇଛି। ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ବି କୁହାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ୨୫ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର ୧୪ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି। ବଜ୍ରପାତ ସହ ପବନ ହୋଇପାରେ। ୨୫ ତାରିଖ ପୂର୍ବାହ୍ନରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ସ୍ଥିତି ସାଙ୍ଘାତିକ ହେବ। ୨୦ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକ, ଅନୁଗୁଳ, କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ଏହି ସମୟରେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୟାଗଡ଼, ଖୋର୍ଧା, ପୁରୀ, ଜଗତ୍‌ସିଂହପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ହାଲକା ବର୍ଷା ସହ ପବନ ହେବ। ବଜ୍ରପାତର ବି ଆଶଙ୍କା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଗୋଟିଏ ଗୋଟିଏ ସ୍ଥାନରେ ୬୦ ମିମିରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

୨୬ ତାରିଖ ମଧ୍ୟାହ୍ନ ପରେ କିଛି ସ୍ଥାନରେ ପାଗରେ ପରିବର୍ତ୍ତନ ହେବ। ତଥାପି ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କଟକ ଓ ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ କାଳବ‌ୈଶାଖୀ ବର୍ଷା ହେବ। ୨୮ ତାରିଖଠାରୁ ପାଗରେ ସୁଧାର ଆସିବ। ତେବେ ୨୬ ଓ ୨୭ ତାରିଖରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ତେଣୁ ଏହି ସମୟରେ ମତ୍ସ୍ୟଜୀବୀମାନେ ଓଡ଼ିଶା ଉପକୂଳ ସମୁଦ୍ର ଓ ଉତ୍ତର-ପଶ୍ଚିମ ବ‌ଙ୍ଗୋପସାଗରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଆଜିଠାରୁ ତାପମାତ୍ରା କମିଛି। ରାତିରେ କେତେକ ସ୍ଥାନରେ ବର୍ଷାର ଆଶଙ୍କା ରହୁଛି। ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ ବର୍ଷାର ସମ୍ଭାବନା ରହିଛି। ୨୮ ତାରିଖରୁ ପାଗ ଶୁଖିଲା ରହିବ। ମାର୍ଚ୍ଚ ୩ ଓ ୪ ତାରିଖରୁ ପୁଣି ତାପମାତ୍ରା ବଢ଼ିବ। ଆକାଶ ସଫା ରହିବା, ଓଡ଼ିଶା, ଆନ୍ଧ୍ର, ବିଦର୍ଭ ଅଞ୍ଚଳରେ ଭଲ ବର୍ଷା ହେଉ ନଥିବାରୁ ତାପମାତ୍ରା ବଢ଼ି ଯାଇଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୫ରୁ ୬ ଡିଗ୍ରି କମିବ।

ଅନ୍ୟପକ୍ଷରେ ଆଜି ଅପରାହ୍‌ଣଠାରୁ ସାରା ଓଡ଼ିଶାରେ ପାଗରେ ପରିବର୍ତନ ହୋଇଛି। କୋହଲା ପାଗ ଜାରି ରହିଛି। ତାପମାତ୍ରା ବି ହ୍ରାସ ପାଇଛି। ଦୁଇ ଦିନ ହେଲା ଦେଶର ଉତ୍ତପ୍ତ ସହର ପରିଣତ ହୋଇଥିବା ଭୁବନେଶ୍ବରର ତାପମାତ୍ରା ୩୬.୮ ଡିଗ୍ରିକୁ ଖସିଛି। ମାଲକାନଗିରିରେ ୩୯ ଡିଗ୍ରି ରହିଥିଲା। ୯ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ଝାରସୁଗୁଡ଼ା ସମେତ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ରାତିରେ ବର୍ଷା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର