କାଳବୈଶାଖୀ: ବୀରଗୋବିନ୍ଦପୁରରେ ୨୦ରୁ ଊର୍ଦ୍ଧ୍ବ ଘରର ଛପର ଉଡ଼ିଗଲା

ବଜ୍ରପାତରେ ନଡ଼ିଆଗଛ ଜଳିଲା

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡରେ କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ ସାଙ୍ଗକୁ ଚାରିଘଣ୍ଟା‌ ଧରି ବର୍ଷା ହୋଇଛି। ଝଡ଼ତୋଫାନ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହ ତାର ଛିଡ଼ିଯିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି। ଘସିପୁରା ବ୍ଲକ୍‌ ବୀରଗୋବିନ୍ଦପୁର ପଞ୍ଚାୟତ ରଙ୍ଗମାଟିଆ ହୁଡ଼ିତଳସାହିରେ ୨୦ରୁ ଉର୍ଦ୍ଧ୍ବ ଘରର ଛପର ଉଡ଼ିଯାଇଛି। ଅନ୍ୟପକ୍ଷରେ ଦୀର୍ଘଦିନ ଧରି ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଥିବା ଲୋକେ କିଛିଟା ଆଶ୍ବସ୍ତି ଲାଭ କରିଛନ୍ତି।

ମଙ୍ଗଳବାର ଅପରାହ୍‌ଣ ସାଢ଼େ ୩ଟାରୁ ହଠାତ୍ ବର୍ଷାପବନ ଆରମ୍ଭ ହୋଇଥିଲା। କିଛି ସ୍ଥାନରେ କୁଆପଥର ମାଡ଼ ହୋଇଛି। ଝଡ଼ତୋଫାନ ଯୋଗୁଁ କୋଳିମାଟି ପଞ୍ଚାୟତ କନ୍ତୋ ବଜାରରେ ଏକ ପୁରୁଣା ନିମଗଛ ଉପୁଡ଼ି ପଡ଼ି ୨୦ ନମ୍ବର ଜାତୀୟ ରାଜପଥ ଉପରେ ପଡ଼ିଛି। ରାସ୍ତାରେ ଗଛ ପଡ଼ିବା ଯୋଗୁଁ ଗୋଟିଏ ପାର୍ଶ୍ବରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି କନ୍ତୋ ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ତାର ଛିଡ଼ି ଯାଇଥିବା ଜଣାପଡ଼ିଛି। ସେହିପରି ଦେଓଗାଁ ପେଟ୍ରୋଲ ପମ୍ପ ଓ ହାତୀଶିଳା ବନ୍ଧ ନିକଟରେ ଗଛପଡ଼ି ବିଦ୍ୟୁତ୍ ତାର ଛିଡି ଯାଇଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ବୀରଗୋବିନ୍ଦପୁର ପଞ୍ଚାୟତ ହୁଡ଼ିତଳସାହିରେ ଲୋକଙ୍କ ଘରର ଛପର ଉଡ଼ି ଯାଇଥିବାରୁ ଲୋକଙ୍କ ଜିନିଷପତ୍ର ନଷ୍ଟ ହୋଇଯାଇଛି। ବିପନ୍ନ ପରିବାର ଖୋଲାଆକାଶ ତଳେ ଅଛନ୍ତି।

ବଜ୍ରପାତରେ ନଡ଼ିଆଗଛ ଜଳିଲା
ହାଟଡିହି : ମଙ୍ଗଳବାର ଅପରାହ୍ଣରେ କାଳବୈଶାଖୀ ଯୋଗୁଁ ହାଟଡିହି ବ୍ଲକ୍‌ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ସ୍ଥାନରେ ଗଛ ଭାଙ୍ଗିପଡ଼ିଥିବାବେଳେ ଅନେକ ଲୋକଙ୍କ ଚାଳଛପର ଘର ଉଡ଼ିଯାଇଛି। ଅପରାହ୍ଣର ୫ଟାବେଳେ ତୁହାକୁ ତୁହା ପବନ ସହିତ ପ୍ରବଳ ବର୍ଷା ହୋଇଛି। ଅକରୁଆ, ବଞ୍ଚୋ, ଶାସଙ୍ଗ, ହାଟଡିହି, ସଢ଼ା, ପନ୍ଦାଡୋ, ପଞ୍ଚୁଗୋଛିଆ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଳଛପର ଉଡ଼ିଯାଇଛି। ବଞ୍ଚା ପଞ୍ଚାୟତ ଶିବନାରାୟଣପୁର ଗ୍ରାମ ରାଉତରାପୁର ସାହିରେ ବଜ୍ରପାତ ଘଟି ସନାତନ ମହାନ୍ତିଙ୍କ ଦୁଇଟି ନଡ଼ିଆ ଗଛ ପୋଡ଼ି ଯାଇଛି। ଗଛରେ ନିଆଁ ଲାଗିଥିବା ଦେଖି ଗଛତଳେ ବସବାସ କରୁଥିବା ଲୋକମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଖବରପାଇ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର