କାଳବୈଶାଖୀର ପ୍ରଭାବ ଆଉ ୨୪ ଘଣ୍ଟା : ୨୭ଟି ସହର ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର :ଜାରି ରହିଛି କାଳବୈଶାଖୀ। ଏହାର ପ୍ରଭାବରେ ଆଜି ଦିନତମାମ ସାରା ରାଜ୍ୟରେ ବର୍ଷା ହୋଇଛି। ଉପକୂଳ, ଅଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ କୋହଲା ପାଗ ସହ ଅଳ୍ପ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଚାନ୍ଦବାଲିରେ ସର୍ବାଧିକ ୫୮.୮ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୫୨ ମିମି, ତାଳଚେରରେ ୪୦, ଭୁବନେଶ୍ୱରରେ ୩୧.୩, ପାରାଦ୍ୱୀପରେ ୨୯.୨, ଢେଙ୍କାନାଳରେ ୨୬, ସମ୍ବଲପୁରରେ ୨୩, କଟକରେ ୨୦ ମିମି ବର୍ଷା ହୋଇଛି।

ଆଉ ୩ ଦିନ ଯାଏ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ୧୫ ତାରିଖରେ ୨୭ଟି ଜିଲ୍ଲା ଲାଗି ଝଡ଼ବର୍ଷା ହେବା ନେଇ ଲୋକଙ୍କୁ ସତର୍କ କରାଯାଇଛି। ଖୋର୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଗଞ୍ଜାମ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଦେଓଗଡ଼, ଅନୁଗୁଳ, କନ୍ଧମାଳ, ନୟାଗଡ଼, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଜିଲ୍ଲାରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବ। ଘଡ଼ଘଡ଼ି ସହ ବଜ୍ରପାତର ବି ଭୟ ରହିଛି।

୧୬ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବ କମିବ। କେନ୍ଦୁଝର, ମୟୂଭରଞ୍ଜ, ବାଲେଶ୍ୱର, ଭଦ୍ର୍ରକ, ଯାଜପୁର ଜିଲ୍ଲାରେ ଝଡ଼ବର୍ଷାର ଆଶଙ୍କା ରହିଛି। ୧୭ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ୧୮ ତାରିଖଠାରୁ ପାଗରେ ପରିବର୍ତନ ହେବ। ପୁଣିଥରେ ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟବାସୀଙ୍କୁ ତାତିରୁ ଟିକିଏ ଆଶ୍ୱସ୍ତି ମିଳିଛି। ଦୁଇ ଦିନ ହେଲା ସାରା ଓଡ଼ିଶାରେ ବର୍ଷା ହେଉଥିବାରୁ ସବୁଠି ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଆଜି ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ଭବାନୀପାଟଣାରେ ୪୦.୨ ଡିଗ୍ରି ଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଛି।

ସମ୍ବନ୍ଧିତ ଖବର