ରାଜଧାନୀରେ କାଳବୈଶାଖୀ ତାଣ୍ଡବ: ୯୧ କିମି ବେଗରେ ପବନ
ଦେଢ଼ ଘଣ୍ଟାରେ ୧୦ ମିମି ବର୍ଷା, ଗଛ ଭାଙ୍ଗିଲା, ବିଜୁଳି କଟିଲା
ଭୁବନେଶ୍ବର: ସକାଳୁ ସକାଳୁ ମୁଣ୍ଡଫଟା ଖରା। ସହରବାସୀ ଆଖି ଖୋଲିଲା ବେଳକୁ ପାରଦ ୩୫ ଡିଗ୍ରି ପାଖାପାଖି ପହଞ୍ଚି ଯାଇଥିଲା। ପୂର୍ବାହ୍ନ ବେଳକୁ ତାପମାତ୍ରା ୩୯ ଡିଗ୍ରିରେ। ତାତି ସାଙ୍ଗକୁ ଗୁଳୁଗୁଳି ସହରବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା। ତାପମାତ୍ରା ଯେଉଁ ମାତ୍ରାରେ ବୃଦ୍ଧି ପାଉଥିଲା ଅପରାହ୍ଣ ବେଳକୁ ୪୦ ଡିଗ୍ରୀ ଡେଇଁଯିବା ପରି ମନେ ହେଉଥିଲା। କିନ୍ତୁ ପାଗର ମିଜାଜ୍ ହଠାତ୍ ବଦଳି ଯାଇଥିଲା। ଅପରାହ୍ଣ ପ୍ରାୟ ସାଢ଼େ ଦୁଇଟା ବେଳକୁ ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିିଲା। ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ଅନ୍ଧାର ହେବା ସହ ଧୂଳିଝଡ଼ରେ ଅଧା ଅନ୍ଧକାରମୟ ହୋଇଯାଇଥିଲା। ତୁହାକୁ ତୁହା ପବନ ସାଙ୍ଗକୁ ବର୍ଷାମାଡ଼ ଜନଜୀବନକୁ ପ୍ରଭାବିତ କରିପକାଇଲା। କାଳବୈଶାଖୀ ପ୍ରଭାବରେ ଆଜି ଭୁବନେଶ୍ବରରେ ପ୍ରାୟ ୩ ଘଣ୍ଟା ଧରି ଏଭଳି ସ୍ଥିତି ଉପୁଜିଥିଲା। ଅପରାହ୍ଣ ୩ଟା ୩୧ରୁ ୩ଟା ୩୪ ମଧ୍ୟରେ ଭୁବନେଶ୍ୱରର ବିମାନବନ୍ଦର ଅଞ୍ଚଳରେ ଘଣ୍ଟା ପ୍ରତି ୮୦କିମି ବେଗରେ ପବନ ହୋଇଥିଲା। କେବଳ ସେତିକି ନୁହେଁ, ଓୟୁଏଟିର ସ୍ୱୟଂଚାଳିତ ପର୍ଯ୍ୟବେକ୍ଷଣ ଯନ୍ତ୍ର ଦ୍ୱାରା ରାଜଧାନୀ ଭୁବନେଶ୍ୱରରେ ଘଣ୍ଟା ପ୍ରତି ସର୍ବାଧିକ ୯୧ କିମି ବେଗରେ ପବନ ହୋଇଥିବା ରେକର୍ଡ କରାଯାଇଥିଲା। ଏହି ସମୟରେ ସହରରେ ୧୦ ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କାଳବୈଶାଖୀ ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ବଡ଼ଗଛ ଡାଳ ଭାଙ୍ଗି ପଡ଼ିଥିଲା। ରାସ୍ତା ଉପରେ ଗଛଡାଳ ଭାଙ୍ଗି ପଡ଼ିବାରୁ ଚଳାଚଳ ପ୍ରଭାବିତ ହୋଇଥିଲା। ରାସ୍ତାକଡ଼ରେ ଲାଗିଥିବା ହୋର୍ଡିଂଗୁଡ଼ିକ ମଧ୍ୟ କେତେକ ସ୍ଥାନରେ ଉଡ଼ିଯାଇଥିଲା। କାଳବୈଶାଖୀ ତାଣ୍ଡବ ରଚିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସେବା ଯୋଗାଇ ଦେବାକୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି) ନିର୍ଦ୍ଦେଶ ଦେଇଥିଲେ। ରାସ୍ତା ଉପରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ କାଟିବା ଦିଗରେ ପଦକ୍ଷେପ ନେବାକୁ ଅଗ୍ନିଶମ ବାହିନୀ, ଓଡ୍ରାଫ୍, ଓଡ଼ିଶା ବନ ଉନ୍ନୟନ ନିଗମର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅତିରିକ୍ତ ଏସ୍ଆରସିଙ୍କ ତତ୍ତ୍ବାବଧାନରେ ଗଛ କଟାଯିବା ସହ ରାସ୍ତା ସଫା କରାଯାଇଥିଲା। ସେହିପରି ଜୋର୍ରେ ପବନ ବହିବାରୁ ରାଜଧାନୀର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିଲା। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସେବା ମରାମତି ହୋଇ ନ ପାରିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଟିପିସିଓଡିଏଲ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲା। ଏହାପରେ ଟିପିସିଓଡିଏଲ୍ ପକ୍ଷରୁ ‘ଏକ୍ସ’ ମାଧ୍ୟମରେ କୁହାଯାଇଥିଲା ଯେ କାଳବୈଶାଖୀ ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଭିତ୍ତିଭୂମିର କ୍ଷୟକ୍ଷତି ଘଟିଛି। ତେଣୁ କିଛି ସ୍ଥାନରେ ବିଦ୍ୟୁତ ସରବରାହରେ ବାଧା ଉପୁଜିଛି। କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ଯଥାଶୀଘ୍ର ସମସ୍ୟାର ସମାଧାନ କରି ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଚେଷ୍ଟା କରାଯାଉଛି।