କାଶୀପୁରକୁ ଫେରିବ କି କଲେରା! ୨୦୦୭ ଓ ୨୦୧୦ରେ ରଚିଥିଲା ତାଣ୍ଡବ, ଗଡ଼ିଥିଲା ଶତାଧିକ ମୁଣ୍ଡ

ମୃତ ଓ ଆକ୍ରାନ୍ତ ଗ୍ରାଫକୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ 

ରାୟଗଡ଼ା: କାଶୀପୁରକୁ ଫେରିବ କି କଲେରା ଭୂତାଣୁ! ଝାଡ଼ାବାନ୍ତି ଆକ୍ରାନ୍ତ ଓ ମୃତକଙ୍କ ସ୍ଥିତିକୁ ଦେଖି ଏହି ଭୟ ପୁଣି ସୃଷ୍ଟି ହୋଇଛି ବ୍ଲକବାସୀଙ୍କ ମନରେ। ୨୦୦୭ରେ ଚିହ୍ନଟ ହୋଇଥିବା କଲେରା ଭୂତାଣୁ କାଶୀପୁରରେ ତାଣ୍ଡବ ରଚିଥିଲା। ବ୍ଲକର ସମସ୍ତ ଗାଁକୁ ମାଡ଼ିବା ସହ ଶତାଧିକଙ୍କୁ ଆକ୍ରାନ୍ତ କରିଥିଲା। ସରକାରୀ ଭାବେ ମୃତ୍ୟୁବରଣ କ‌ରିଥିଲେ ୭୦। ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାରଙ୍କୁ ଲାଗିଥିଲା ୩ ମାସ।

୨୦୨୨ରେ ପୁଣି ଝାଡ଼ାବାନ୍ତି ପ୍ରକୋପ ବଢ଼ିବା ପରେ ଗତ ୫ ଦିନରେ ୭ ଜଣଙ୍କ ଜୀବନ ଗଲାଣି। ଆକ୍ରାନ୍ତ ହେଲେଣି ୫୦ରୁ ଉର୍ଧ୍ବ। ସେବାଶ୍ରମର ୧୧ ଛାତ୍ରୀ ମଧ୍ୟ ଝାଡ଼ାବାନ୍ତି କବଳରୁ ବର୍ତ୍ତି ପାରିନାହାନ୍ତି। ଧୀରେ ଧୀରେ ଆକ୍ରାନ୍ତ ସଂଖ୍ୟା ବଢ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରି ସ୍ଥିତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛି। ତିନୋଟି ପର୍ଯ୍ୟାୟରେ ୧୩ଟି ଜଳ ଓ ମଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ରାୟଗଡ଼ା ଆରଏମଆରସି ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିନଥିଲେ ମଧ୍ୟ ସ୍ଥିତିକୁ ଦେଖି ଚିନ୍ତାରେ ପଡିଛି ସ୍ବାସ୍ଥ୍ୟ ବିଭାଗ। ୨୦୦୭ରେ ସମାନ୍ ସ୍ଥିତି ହୋଇଥିବା ବେଳେ କାଶୀପୁର ବ୍ଲକର ମାଇକଞ୍ଚ ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଥିଲା।

ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ପ୍ରକୋପ ଅକ୍ଟୋବର ମାସରେ ନିୟନ୍ତ୍ରଣକୁ ଆସିଥିଲା। ସରକାରୀ ଭାବେ ୭୦ ଜଣଙ୍କ ମୃତ୍ୟୁ ଘୋଷଣା କରାଯାଇଥିବା ବେଳେ ବେସରକାରୀ ଭାବେ ଏହି ରିପୋର୍ଟ କିନ୍ତୁ ବହୁତ ଅଧିକ ଥିଲା। ରାଜ୍ୟ ସରକାରଙ୍କ ବହୁ ବିଭାଗର ମନ୍ତ୍ରୀ ସମେତ ତତ୍କାଳୀନ ବିରୋଧୀ ଦଳ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ କାଶୀପୁର ଗସ୍ତ କରି ଆକ୍ରାନ୍ତ ଓ ମୃତକଙ୍କ ପରିବାରକୁ ଭେଟିବା ସହ ସ୍ଥାୟୀ ପ୍ରତିକାର ନିମନ୍ତେ ଦାବି କରିଥିଲେ। କିନ୍ତୁ ଏହାର ଦୁଇ ବର୍ଷର ପରେ ଅର୍ଥାତ୍ ୨୦୧୦ରେ ପୁଣି ଘାଇଲା କରିଥିଲା କଲେରା ଭୂତାଣୁ। ଗାଁକୁ ଗାଁ ବ୍ୟାପିବା ସହ ବ୍ଲକର ସିରିପାଇ ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଥିଲା। ଘରେ ‌ଘରେ ଜ୍ବର, ଝାଡ଼ାବାନ୍ତି ଆକ୍ରାନ୍ତ ପଡି ରହିବା ସହ ୩୦ ଜଣଙ୍କ ମୃତ୍ୟୁ ପରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିଲେ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସ୍ବାସ୍ଥ୍ୟ ସଚିବ। ଏହା ପରେ ୨୦୧୪ ରେ ବ୍ଲକର ସିପିଯୋଡ଼ି ଗାଁରେ ଝାଡ଼ାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

୨୦୧୪ ପରଠୁ ଝାଡ଼ାବାନ୍ତିର ଭୟାବହତା ନଥିଲେ ମଧ୍ୟ ପ୍ରତି ବର୍ଷ କାଶୀପୁର ବ୍ଲକରେ ମୁଣ୍ଡ ଗଡ଼ାଇ ଚାଲିଛି ଏହି ମହାମାରୀ। ଚଳିତ ବର୍ଷ ଦୁଡୁକାବାହଲ ଗାଁରୁ ବିପର୍ଯ୍ୟୟ ରଚିବା ଆରମ୍ଭ କରିଛି ଏହି ଭୂତାଣୁ। ପ୍ରଥମେ ଦୁଡୁକାବାହଲ ଗ୍ରାମର ସବିତା ନାୟକଙ୍କ ମୃତ୍ୟୁ ହେବା ସହ ବହୁ ଲୋକ ଆକ୍ରାନ୍ତ ହୋଇଥିଲେ। ହେଲେ ଏହି ଘଟଣାକୁ ଗୁରୁତର ସହ ନେଇନଥିଲା ସ୍ବାସ୍ଥ୍ୟ ବିଭାଗ। ଦୁଡୁକାବାହଲ ପରେ କରାକୁପଲିର ଧୋବା ମାଝିଙ୍କ ମୃତ୍ୟୁ ପରେ ଟିକିରି ଝୋଡ଼ିଆ ସାହିକୁ ବ୍ୟାପିଥିଲା। ଗୋଟିଏ ଦିନରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବା ଝୋଡ଼ିଆ ସାହିର ସରୋଜିନୀ ଝୋଡ଼ିଆ, ରଜନୀ ଝୋଡ଼ିଆ, ଅଞ୍ଜନ ଝୋଡ଼ିଆଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଥିଲା। ଏହା ପରେ ଶୁକ୍ରବାର ରାୟଗଡ଼ା ମେଡ଼ିକାଲରେ କହ୍ନେଇ ମାଝି, ଶନିବାର ପାଞ୍ଚାଳି ଗ୍ରାମର ଅଗାଧୁ ଗରଡ଼ାଙ୍କ ମୃତ୍ୟୁ ପରେ କଲେରା ଭୂତାଣୁକୁ ନେଇ ଚିନ୍ତା ବଢ଼ିଛି! ତେବେ ଆରଏମଆରସି ରିପୋର୍ଟ ପରେ ହିଁ ଏହା ସ୍ପଷ୍ଟ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, କାଶୀପୁର ଅଞ୍ଚଳର ସମସ୍ତ ଗ୍ରାମରେ ବର୍ଷା ଦିନ ପୂର୍ବରୁ ଜଳ ପରୀକ୍ଷଣ ପାଇଁ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ସରକାରଙ୍କ କଡ଼ା ନିର୍ଦେଶ ରହିଛି। ଏଥି ପାଇଁ ବିଭାଗ ଜଳ ନମୁନା ପରୀକ୍ଷଣ କିଟ୍ କିଣୁଛି। କିନ୍ତୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଠିକ୍ ଭାବରେ ଦାୟିତ୍ବ ତୁଲାଉନଥିବା ଅଭିଯୋଗ ହୋଇଛି। ଗାଁ ଗାଁ ବୁଲି ଆଶା କର୍ମୀମାନେ ଜଳ ନମୁନା ସଂଗ୍ରହ କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ପରେ ସେଠାରୁ ପରୀକ୍ଷଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରୀକ୍ଷାଗାରକୁ ଆସୁଛି। ଫଳରେ ସ୍ଥିତି ନିୟନ୍ତ୍ରଣ କରିବା କଷ୍ଟକର ବ୍ୟାପର ହୋଇ ପଡୁଛି ବୋଲି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର