ହରିଚନ୍ଦନପୁର : ଉତ୍ତର ଓଡିଶା ଏକ କୂର୍ମୀ (କୁଡୁମି )ବହୁଳ ଅଂଚଳ ହୋଇଥିବା ବେଳେ ଏହି ସବୁ ଅଞ୍ଚଳରେ ନିଆରା ଢଙ୍ଗରେ କାଳୀପୂଜା ପାଳିତ ହୋଇଥାଏ।
ବିଶେଷଜ୍ଞଙ୍କ ମତାନୁଯାୟୀ, ଅଶୋକଙ୍କ ସମୟରୁ ଭାରତର ସମସ୍ତ କୁଡୁମି ବୌଦ୍ଧଧର୍ମ ଗ୍ରହଣ କରିଥିଲେ। ସେହି ସମୟରୁ କୁଡୁମିମାନେ ସମସ୍ତ ରୀତିନୀତି ବୌଦ୍ଧିକ ବିଦ୍ଧି ଅନୁଯାୟୀ ପାଳନ କରି ଆସୁଅଛନ୍ତି। କିନ୍ତୁ ଅଶୋକଙ୍କ ପରେ ଗୁପ୍ତ ସାମ୍ରାଜ୍ୟ ପର୍ଯ୍ୟନ୍ତ ଅନେକେ ଧର୍ମ ପରିବର୍ତନ କରି ବୈଦିକ ନୀତିରେ ପୁନଃ ଅନୁପ୍ରାଣୀତ ହେଲେ। ବୌଦ୍ଧ ଧର୍ମରେ ସକଳ ଶ୍ରେଷ୍ଠ ବସ୍ତୁକୁ ମହା ଶବ୍ଦରେ ବିଭୂଷିତ କରାଯାଉଥିଲା । ଯଥା- ମହାବଂଶ, ମହାଧର୍ମ, ମହାନିର୍ବାଣ, ମହାନ୍ତ, ମହତ୍ତର ଇତ୍ୟାଦି। ପାଲ୍ଲୀ ଭାଷାରେ ଉକ୍ତ ମହାନ୍ତ ଶବ୍ଦ ରାଜା ଏବଂ ଆଞ୍ଚଳିକ ଶାସନ କର୍ତ୍ତାଙ୍କୁ ବୁଝାଇଥାଏ। ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ମହାନ୍ତ ଓ ମାହତୋଙ୍କର ଆଧିପତ୍ୟ ଥିବା କଥା ଐତିହାସିକ ରଧାମୁକୁନ୍ଦ ମୁଖାର୍ଜୀଙ୍କ 'ଅଶୋକ' ପୁସ୍ତକରେ ଲିଖିତ ଥିବା କୁହାଯାଇଛି।
କୁୁଡୁମିମାନେ ବାରମାସକୁ ତେରପର୍ବ ପାଳନ କରିଥାନ୍ତି। ଗୋରୁ ବନ୍ଦାଣ ପର୍ବକୁ ବୌଦ୍ଧମାନେ ଦିବ୍ୟବନ୍ଦନ ଏବଂ ଦବ୍ୟଙ୍କର ପୂଜା, ଆରାଧନା ଓ ବନ୍ଦନାର ସମଷ୍ଟିକୁ ବାନ୍ଦନା ପର୍ବ କୁହାଯାଏ। ଏହି ପର୍ବ ପ୍ରାଚୀନ କାଳରେ ସାତ ଦିନ ଧରି ପାଳିତ ହେଉଥିବାବେଳେ ଏବେ ତିନିଦିନ ଅନୁଷ୍ଠିତ ହେଉଥିବା ଦେଖାଯାଇଛି।
ଶ୍ରୀଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ଦେବୀ ପ୍ରାକ୍ ବୈଦିକ ଯୁଗର କାଁଚୀ-ଜିଓ-ରୀ ମନ୍ତ୍ରର ସାଂକେତିକ ରୂପ ମାତ୍ର ବୋଲି ଡ.ବୀରେନ୍ଦ୍ର ନାଥ ମହାନ୍ତଙ୍କ 'କୁର୍ମି ସଂସ୍କ୍ରୁତି ଓ ଶ୍ରୀଜଗନ୍ନାଥ 'ପୁସ୍ତକରେ ପ୍ରମାଣ ଦେଇଛନ୍ତି। ଉକ୍ତପୂଜା ସନ୍ଧାନରେ ଗୋରୁ ଗାଈ ଘରକୁ ଫେରିବା ପୂର୍ବରୁ ଘରର ପ୍ରଥମ ପ୍ରବେଶଦ୍ବାରର ଉଭୟପାର୍ଶ୍ବରେ,ଗୁହାଳ ଦ୍ବାରରେ, ଠାକୁର ପିଣ୍ଢା ବା ତୁଳସୀଚୌରାରେ ଦୀପ ସହିତ ସଦ୍ଯ ଶାଳପତ୍ରରେ ବହଳ ଚୂନା ଗୁଣ୍ଡ ଉପରେ ଘିଅବୋଳା ସଳିତା, ବିଯୋଡ ସଂଖ୍ଯାର ମଣନ୍ଦା ଘାସ ବିଡା, ଗୋବର ଉପରେ ମହାଦେବଙ୍କ ତ୍ରିଶୂଳ ପ୍ରତୀକ ତ୍ରିଶାଖାଯୁକ୍ତ ଅପାମାରଙ୍ଗ ଶାଖା,ସୂର୍ଯ୍ୟଙ୍କ ପ୍ରତୀକ ସ୍ବରୂପ ଗୋଟିଏ ନାଲୀ ଗେଣ୍ଡୁଫୁଲ ରଖାଯାଇଥାଏ। ଘରର ସଧବା ନାରୀମାନେ ଶୁଦ୍ଧପୂତ ନବବସ୍ତ୍ର ପରିଧାନପୂର୍ବକ କରିଥାଆନ୍ତି ବୋଲି 'କୁଡୁମିର ଅନ୍ତଃସ୍ବର'ର ଲେଖକ ରତ୍ନାକର ମହାନ୍ତ ଲେଖିଛନ୍ତି। ପୂଜକ ଜଣେ ଶ୍ରମଣ ଭାଇ ହିଁ ହୋଇଥାଆନ୍ତି। ସେ ଉକ୍ତଦିନ ନିର୍ଜଳା ଉପବାସ ରହି ପୂଜାକାର୍ଯ୍ୟ ସଂପାଦନ କରିଥାଆନ୍ତି।
ଅଗଣାରେ ହଳ ଜୁଆଳି ସହିତ ହଳଧର ଶ୍ରୀବଳଭଦ୍ରଙ୍କର ପୂଜା ସତେ ଅବା ବଡଦେଉଳର ତିନିଦିଅଁ କାଁଚୀ-ଜିଓ-ରୀ ରୂପରେ ପୂରପଲ୍ଲୀ ପର୍ଯନ୍ତ ଚାଲି ଆସିଛନ୍ତି। ରାତିରେ ଘରେଘରେ ପିଠାପଣାର ସମ୍ଭାର ଦେଖିବାକୁ ମିଳିଥାଏ। ଘର ଅଗଣା ଲପାଲିପି ପରେ ହଳଲଙ୍ଗଳ, ଜୁଆଳି, ମଇ କୋରଡ ଆଦି କୃଷି ଉପକରଣ ଧୋଇ ଧାନଖଳା ବା ଠାକୁରପିଣ୍ଢାରେ ସଜେଇ ରଖାଯାଏ। ସ୍ନାନ ସାରି କର୍ତା ନିଜ ବିଲରୁ ଧାନକେଣ୍ଡା କାଟି ଆଣି ଉଦିଷ୍ଟ ଗାଈ ବାଛୁରୀ ପାଇଁ ସୁନ୍ଦର ମଲ୍ଲରୀ ତିଆରି କରାଯାଏ। ଦିବଙ୍ଗତ ପିତୃପୁରୁଷ ଶ୍ରାଦ୍ଧପାଇଁ ନୂଆ ମାଟିହାଣ୍ଡି, ପଲ୍ଲମ, ଦୀପ, ଝାଡୁ, କୁଲା, ଡଲା ଓ ପୟା କାଠି ଇତ୍ୟାଦି ଅଣାଯାଇ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ। କାଁଚୀ-ଜିଓ-ରୀ ବା ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ ପ୍ରତୀକ ସ୍ବରୂପ ତିନୋଟି ମାଟି ପିଣ୍ଡୁଳାକୁ ସ୍ଥାପନ କରାଯାଇଥାଏ। ଏଥିରେ ଗିରିଗୋବର୍ଦ୍ଧନ ସହିତ ପୂଜା ପାଆନ୍ତି। ଗୁହାଳରେ ଗୋରୁଗାଈର ଉପସ୍ଥିତିରେ ଗୋ ବନ୍ଦାପନା ଓ ଦୀପଦାନ କରାଯାଇଥାଏ।
ପ୍ରାଚୀନ ଯୁଗର ନିଦର୍ଶନ ସ୍ବରୂପ ତିନୋଟି ସିନ୍ଦୂରଟିପା କାଁଚୀ-ଜିଓ-ରୀ(ଶ୍ରୀସୁଭଦ୍ରା-ବଳଭଦ୍ର-ଜଗନ୍ନାଥ)ଙ୍କୁ, ଚାରି ସିନ୍ଦୂରଟିପା ମହାଦେବ, ଶ୍ରୀଦେବୀ(ବସୁମାଚା), ଭୂଦେବୀ (ପ୍ରୁଥିବୀ ମାତା) ଓ ଗୌରୀ ଦେବୀଙ୍କ ବାହନ ବାଘୁୁୁତଙ୍କୁ ସମର୍ପଣ। ଏହା ସହିତ ମଧ୍ୟଯୁଗର ଧର୍ମକୁ ମିଶାଇ ପାଂଚଟି ସିନ୍ଦୁରଟିପା ଦିଆଯାଏ। ଶ୍ରୀମନ୍ଦିରର ସପ୍ତ ଦେବତାଙ୍କୁ ବି ଏଠାରେ ଆବାହନ ଓ ବନ୍ଦାପନ କରାଯାଇଥାଏ। ସାତ ସିନ୍ଦୂରଟିପାର ପ୍ରତୀକ ଭାବେ ଶ୍ରୀମାଧବ, ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଶ୍ରୀସୁଭଦ୍ରା, ଶ୍ରୀ ଭୂଦେବୀ, ଶ୍ରୀମହାଲକ୍ଷ୍ମୀ ଓ ଶ୍ରୀସୁଦର୍ଶନ ଏହିପରି ଶ୍ରୀମନ୍ଦିରର ରତ୍ନସିଂହାସନସ୍ଥ ସପ୍ତାବରଣ ନୀତି ସହିତ କୁଡୁମି(କୁର୍ମୀ) ଜାତିର ଗୋପନ ସଂପର୍କ ଓତଃପ୍ରୋତ ଭାବେ ଜଡିତ ବୋଲି ହରିଚନ୍ଦନପୁରର ନରହରି ମହାନ୍ତ ପ୍ରକାଶ କରିଛନ୍ତି।