କାଳିଆ ଯୋଜନା ସହାୟତା ବଣ୍ଟନ : କେହି ଯୋଗ୍ୟ ଚାଷୀ ବାଦ୍‌ ପଡ଼ିବେନି

ଗଞ୍ଜାମବାସୀଙ୍କୁ ୧୦୧୧ କୋଟିର ପ୍ରକଳ୍ପ ଭେଟି, ମଞ୍ଚରେ ବସିଲେ ୧୪ ଚାଷୀ, ପ୍ରଶଂସାରେ ଶତମୁଖ

ବ୍ରହ୍ମପୁର : ‘ଚାଷୀ ହେଉଛନ୍ତି ଅନ୍ନଦାତା। ସେମାନଙ୍କ ବିକାଶରେ ସମସ୍ତଙ୍କ ଉନ୍ନତି ସମ୍ଭବ। ଚାଷୀକୁଳର ହିତ ପାଇଁ କାଳିଆ ଯୋଜନା ଭଳି ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନିଆଯାଇଛି। ଆଉ ଏହି ଯୋଜନାରୁ କୌଣସି ଯୋଗ୍ୟ ଚାଷୀ ବାଦ୍ ପଡ଼ିବେନି। କାରଣ ଚାଷୀଙ୍କ ଖୁସିରେ ମୁଁ ଖୁସି’ ବୋଲି ଚାଷୀ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପ ଠାରେ ଆଜି ଆୟୋଜିତ ହୋଇଥିଲା କୃଷକ ସମାବେଶ। କାଳିଆ ଯୋଜନା ପାଇଁ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କାଳିଆ ଯୋଜନାର ସଫଳତା ବଖାଣି ଥିଲେ। ସେ କହିଥିଲେ ଯେ, କାଳିଆ ଯୋଜନାରେ ସବୁ ଯୋଗ୍ୟ ଚାଷୀ ସାମିଲ ହେବେ। ପ୍ରତିବର୍ଷ ଦୁଇଥର ଅକ୍ଷୟ ତୃତୀୟାରେ ଖରିଫ୍‌ ଚାଷ ପାଇଁ ୫ ହଜାର ଏବ˚ ନୂଆଖାଇରେ ରବି ଚାଷ ପାଇଁ ସହାୟତା ୫ ହଜାର ପ୍ରଦାନ କରାଯିବ। ଏହାସହିତ ମୁଖ୍ୟମନ୍ତ୍ରୀ ଭାଗଚାଷୀ ମାନଙ୍କୁ କାଳିଆ ଯୋଜନାର ସହାୟତା ଅର୍ଥ ରାଶି ବଣ୍ଟନର ସୁଇଚ୍‌ ଟିପି ଶୁଭାରମ୍ଭ କରିବା ସହ ୨୫ ହଜାର ଚାଷୀଙ୍କୁ ବିଭିନ୍ନ କୃଷି ଉପକରଣ ଓ ସହାୟତା ବଣ୍ଟନ କରିଥିଲେ। ୧୪ଜଣ ଚାଷୀଙ୍କୁ କାଳିଆ ଯୋଜନାର ସହାୟତା ପତ୍ର ବଣ୍ଟନ କରିଥିଲେ।

ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାସ୍ଥଳରେ ଗଞ୍ଜାମ ଜିଲ୍ଲାରେ ୨୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୩୧ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୭୧୬କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ୪୮ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ହେଲିକେପ୍ଟର ଯୋଗେ ଆସି ରଙ୍ଗେଇଲୁଣ୍ତା ଏୟାର୍ ଷ୍ଟ୍ରିପରେ ମଧ୍ୟାହ୍ନ ୧୨ଟା ୧୦ରେ ଅବତରଣ କରିଥିଲେ। ଶଙ୍ଖ, ବାଦ୍ୟ ଆଦି ବିଶାଳ ପଟୁଆରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ସେଠାରୁ ଏକ ବ୍ୟାଟେରୀ ଚାଳିତ ଗାଡିରେ ସେ ସଭାସ୍ଥଳକୁ ଆସି ଥିଲେ। ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୧୪ଜଣ ଚାଷୀ ଉପସ୍ଥିତ ଥିଲେ।
ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ଆସିକା ସାଂସଦ ଲଡୁ କିଶୋର ସ୍ବାଇଁ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ଯୋଜନା ସମନ୍ବୟ ମନ୍ତ୍ରୀ ଉଷା ଦେବୀଙ୍କ ସମେତ ଜିଲ୍ଲାର ବିଧାୟକ ମାନେ ଉପସ୍ଥିତ ଥିଲେ। କୃଷି ବିଭାଗର ସଚିବ, ସମବାୟ ସଚିବ, ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅଭିନେତ୍ରା କୁନା ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର