ବାଲେଶ୍ବର/ଖଇରା/ଭଦ୍ରକ: ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ‘କାଳିଆ’ ଯୋଜନା ପ୍ରଣୟନ କରିଛନ୍ତି। ଗତକାଲି ବାଲେଶ୍ବର ଜିଲ୍ଲାର ବାଲିଆପାଳ ଅଞ୍ଚଳରେ ଏଭଳି ଫର୍ମ ବିକ୍ରି ହେଉଥିବା ନେଇ ସଂଗିନ ଅଭିଯୋଗ ଆସିବା ପରେ ଆଜି ଖଇରା ଓ ଭଦ୍ରକର ତିହିଡ଼ିରୁ ମଧ୍ୟ ସମାନ ଅଭିଯୋଗ ଆସିଛି। ଏପରିକି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଫର୍ମ ବିକ୍ରି କରି ଅର୍ଥ ଆଦାୟ କରୁଥିବାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ଏଭଳି ଅଭିଯୋଗ ଆସିବା ପରେ ବାଲେଶ୍ବର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ଏବଂ ବାଲିଆପାଳ ଓ ଖଇରାରେ ଫର୍ମ ବିକ୍ରି କରିଥିବା ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସଂପୃକ୍ତ ବ୍ଲକ୍ର ବିଡିଓମାନଙ୍କୁ ନିର୍ଦ୍ଦେଶ ଦେବା ସହ ବାଲେଶ୍ବର ଏସ୍ପିଙ୍କୁ ସୁପାରିସ୍ କରିଛନ୍ତି। ଜିଲ୍ଲାପାଳଙ୍କ ନିେର୍ଦ୍ଦଶ ଅନୁଯାୟୀ ଆଜି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦୁଇଟି ଥାନାରେ ମାମଲା ରୁଜୁ ହୋଇଥିବାବେଳେ ବାଲିଆପାଳ ଥାନାରେ ଅଭିଯୁକ୍ତକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ‘କାଳିଆ’ ଭଳି ଏକ ମହାତ୍ବାକାଂକ୍ଷୀ ଯୋଜନା ଜରିଆରେ ରାଜ୍ୟ ସରକାର ଖରିଫ ଓ ରବି ଋତୁରେ ବିଭିନ୍ନ ଚାଷ କରିବା ପାଇଁ କୃଷକକୁ ସିଧାସଳଖ ପ୍ରୋତ୍ସାହନ ରାଶି ଯୋଗାଇବା ସାଙ୍ଗକୁ ବିନା ସୁଧରେ ଋଣ ମଧ୍ୟ ଯୋଗାଇଦେବାକୁ ଘୋଷଣା କରିଛନ୍ତି। ତେଣୁ ଏହାକୁ ନେଇ ଗାଁ ଗଣ୍ଡାରେ ଚାଷୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି ହୋଇଛି। ଏବେ କାଳିଆ ଯୋଜନାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଗ୍ରାମାଞ୍ଚଳରେ ଲୋକଙ୍କୁ ମାଗଣାରେ ଆବେଦନ ଫର୍ମ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବାରୁ ପ୍ରତିିଦିନ ଶହ ଶହ ଚାଷୀ ଫର୍ମ ପାଇବାକୁ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ମୁଖରେ ଭିଡ଼ ଜମାଉଛନ୍ତି। ତେବେ ଆଶାୟୀ ଚାଷୀଙ୍କ ତୁଳନାରେ ଅଳ୍ପସ˚ଖ୍ୟାରେ ଫର୍ମ ପଞ୍ଚାୟତ ଅଫିସକୁ ଆସିଥିବାରୁ ବହୁ ସ୍ଥାନରେ ଫର୍ମ ନ ପାଇ ହୋଇ ଚାଷୀ ନିରାଶ ହୋଇ ଫେରି ଯାଉଛନ୍ତି। ଏହାର ସୁଯୋଗ ନେଇ କେତେକ ଅଞ୍ଚଳରେ କିଛି ଅସାଧୁ ବ୍ୟକ୍ତି ଗରିବ ଚାଷୀଙ୍କୁ କାଳିଆ ଯୋଜନାର ଫର୍ମ ବିକ୍ରି କରୁଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଗତକାଲି ପ୍ରଥମେ ବାଲିଆପାଳ ବ୍ଲକ୍ର ମଧୁପୁରା ପଞ୍ଚାୟତରୁ କାଳିଆ ଫର୍ମ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ଆସିଥିଲା। ଏହି ପଞ୍ଚାୟତ ଅନ୍ତର୍ଗତ ସିମୁଳିଆ ସ୍ଥିତ ସୁଚିତ୍ରା ପ୍ରିଣ୍ଟର୍ସର ସୁଶାନ୍ତ ପରମାଣିକ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କୁ ୧୦/୧୫ ଟଙ୍କା ନେଇ କାଳିଆ ଫର୍ମ ବିକ୍ରି କରୁଥିବା ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ଏହା ଜାଣିବା ପରେ ଆଜି ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାରୁ ବାଲିଆପାଳ ବିଡିଓ ସଂପୃକ୍ତ ବ୍ୟକ୍ତି ନାମରେ ଥାନାରେ ଏତଲା ଦେଇଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ପରେ ସୁଶାନ୍ତ ପରମାଣିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଗାଁ ଗଣ୍ଡାରେ ବିକ୍ରି ହେଉଛି ‘କାଳିଆ’ ଫର୍ମ
/sambad/media/post_attachments/wp-content/uploads/2019/01/Untitled-29-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)