କାଳିଆ ପାଇଁ ଫର୍ମ ମିଳୁନି: ୨ ହଜାର ଫର୍ମକୁ ୨୦ ହଜାର ଆବେଦନକାରୀ

ଯାଜପୁର/ହାଟଡିହି: ରାଜ୍ୟ ସରକାରଙ୍କ ସଦ୍ୟଘୋଷିତ ‘କାଳିଆ’ ଯୋଜନା ପାଇଁ ଫର୍ମ ମିଳୁନି। ଆବେଦନକାରୀଙ୍କ ତୁଳନାରେ ବହୁ କମ୍‌ ଆବେଦନପତ୍ର ରହିଛି। ଯାହାକୁ ନେଇ କେତେକ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁରରେ ଏଭଳି ଅନିୟମିତତା ହୋଇଥିବା ଅଭିଯୋଗ ଉଠାଇ କଂଗ୍ରେସ ପକ୍ଷରୁ କୃଷି ଉପ‌ନିର୍ଦ୍ଦେଶକଙ୍କୁ ଘେରାଉ କରାଯାଇଛି। କେନ୍ଦୁଝର ଜିଲ୍ଲା ହାଟଡିହିରେ ଫର୍ମ ଅଭାବକୁ ନେଇ କେତେକ ପଞ୍ଚାୟତରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ମିଳିଥିବା ସୂଚନା ଅନୁସାରେ, ଯାଜପୁରର କୋରେଇ ବ୍ଲକକୁ ମୋଟ ୨ ହଜାର ଫର୍ମ ଯୋଗାଇ ଦିଆଯାଇଥିବା ବେଳେ ହଜାର ହଜାର ଚାଷୀଙ୍କ ପାଇଁ ଏହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି। ବ୍ଲକ୍‌ର ୨୮ ପଞ୍ଚାୟତରେ ପାଖପାଖି ୨୦ ହଜାରରୁ ଅଧିକ ଲୋକ ଆବେଦନ କରିବା ପାଇଁ ପହଞ୍ଚି ଫର୍ମ ମାଗିଥିଲେ। ଏହାକୁ ନେଇ ନୋଡ଼ାଲ ଅଫିସର ହଟହଟା ହୋଇଥିଲେ। ତାରାକୋଟ, ଖମଣ, ବରୁଣ୍ତାଇ, ଧନେଶ୍ବର, ତୁଳତୀ ଆଦି ବହୁ ପଞ୍ଚାୟତରେ ଫର୍ମ ପାଇଁ ଲୋକଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଥିବାର ମଧ୍ୟ ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା, ପଞ୍ଚୁଗୋଛିଆ ଆଦି ପଞ୍ଚାୟତରେ ପ୍ରବଳ ଭିଡ଼ ଦେଖାଯାଇଥିଲା। ସମଣାରେ ମଧ୍ୟାହ୍ନ ୧୨ଟା ବେଳକୁ ଫର୍ମ ସରିଯିବାରୁ ସେଠାରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ନୋଡାଲ ଅଫିସର ବାଧ୍ୟ ହୋଇ କାର୍ଯ୍ୟାଳୟରେ ତାଲା ପକାଇ ବସିଥିଲେ। ସେହିପରି ପଞ୍ଚୁଗୋଛିଆ ପଞ୍ଚାୟତରେ ନୋଡାଲ ଅଫିସର ରହୁନଥିବାରୁ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବାହାରେ ୫ ଟଙ୍କାରେ ଫର୍ମ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ପଞ୍ଚାୟତକୁ ଆବଶ୍ୟକ ପରିମାଣର ଫର୍ମ ଆସୁନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସହକାରୀ କୃଷି ଅଧିକାରୀ ଚନ୍ଦ୍ରମୋହନ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର