ସାର୍ଟିଫିକେଟ ଧରାଇଲେ: ଆର୍ଥିକ ପରିଚାଳନା ପାଇଁ ଓଡ଼ିଶାକୁ ପ୍ରଶଂସା

କୃଷକଙ୍କ ‘କାଳିଆ’ ଏକ ଉତ୍ତମ ଯୋଜନା

ଭୁବନେଶ୍ବର: ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କୁ ପଞ୍ଚଦଶ ଅର୍ଥ ଆେୟାଗ ବଡ଼ ସାର୍ଟିଫିକେଟ ଧରାଇଛନ୍ତି। ଓଡ଼ିଶା ଅର୍ଥନୀତିର ସମୀକ୍ଷା କରିବା ପରେ ଆୟୋଗ ଅଧ୍ୟକ୍ଷ ନନ୍ଦ କିଶୋର ସିଂହ ଓ ଅନ୍ୟ ସଦସ୍ୟମା‌ନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। କହିଛନ୍ତି, ନବୀନଙ୍କ ନେତୃତ୍ବରେ ଚାଲିଥିବା ସ୍ଥିର ସରକାର ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ମୁଣ୍ଡପିଛା ଆୟ ବୃଦ୍ଧିରେ ମଧ୍ୟ ଯଥେଷ୍ଟ ଅଗ୍ରଗତି କରିଛି ଓଡ଼ିଶା। ସ୍ବାସ୍ଥ୍ୟ ସୂଚକାଙ୍କ କ୍ଷେତ୍ରରେ ବି ଯଥେଷ୍ଟ ଅଗ୍ରଗତି େହାଇଛି। ସବୁଠାରୁ ବଡ଼ କଥା େହଉଛି, ରାଜ୍ୟ ସରକାରଙ୍କ େଯଉଁ କାର୍ଯ୍ୟକ୍ରମକୁ ନେଇ ବିେରାଧୀ ଶାଣିତ ଆକ୍ରମଣ କରୁଛନ୍ତି, କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ସେହି ‘କାଳିଆ’ ଏକ ଉତ୍ତମ ଯୋଜନା ବୋଲି ଆୟୋଗର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ମତ ଦେଇଛନ୍ତି। କହିଛନ୍ତି, ଏହାଦ୍ବାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ବିଶେଷଭାବେ ଉପକୃତ ହେବେ। ତେବେ ପ୍ରକୃତ ହିତାଧିକାରୀ ଚୟନ ହୋଇପାରିଲେ ଯାଇ ସରକାରଙ୍କ ବିଶ୍ବସନୀୟତା ଓ ପାରଦର୍ଶିତା ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଓଡ଼ିଶାକୁ ମୁଣ୍ଡପିଛା ଆୟ ବୃଦ୍ଧି, ସ୍ବାସ୍ଥ୍ୟ ସୂଚକାଙ୍କରେ ଉନ୍ନତି ପାଇଁ ଅନେକ କିଛି କରିବାକୁ ହେବ ବୋଲି ଆୟୋଗର ଅଧ୍ୟକ୍ଷ ଶ୍ରୀ ସିଂହ ମତ ଦେଇଛନ୍ତି। କାରଣ ୧୦ ହଜାର ଲୋକରେ ଜଣେ ଡାକ୍ତର ଓଡ଼ିଶାରେ ଏବେ ରହିଛନ୍ତି। ମେଡିକାଲ କଲେଜ ସଂଖ୍ୟା ବଢ଼ାଇବା ସହିତ ଅଧିକରୁ ଅଧିକ ସଂଖ୍ୟକ ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀ ନିଯୁକ୍ତି ଦେବା ଲାଗି ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। ସେହିଭଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଅଧିକ ଉତ୍ତରଦାୟୀ କରିବାକୁ ସେ ମତ ଦେଇଛନ୍ତି। ଶିକ୍ଷା ଓ ସାକ୍ଷରତା କ୍ଷେତ୍ରରେ ଓଡ଼ିଶା ଅନେକ ଅଗ୍ରଗତି କରିଥିଲେ ମଧ୍ୟ ଏ କ୍ଷେତ୍ରରେ ଆହୁରି କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଛନ୍ତି। ଚାଷର ବିକାଶ ପାଇଁ ରାଜ୍ୟ ସରକାର ଜଳସେଚନରେ ଯଥେଷ୍ଟ ଅଗ୍ରଗତି କରିଥିଲେ ମଧ୍ୟ କୃଷକମାନେ ‌କିଭଳି ବିବିଧ ପ୍ରକାରର ଫସଲ କରିବେ ଏବଂ ଉତ୍ପାଦିକା କିଭଳି ବୃଦ୍ଧି ପାଇବ ତାହା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

ଶିକ୍ଷା, ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ପରାମର୍ଶ
ବିପର୍ଯ୍ୟୟ ପାଇଁ ସ୍ବତନ୍ତ୍ର ପାଣ୍ଠି ଦାବିକୁ ସମର୍ଥନ

ଆେୟାଗ କହିଛନ୍ତି, ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅନେକ ଆଗରେ ଥିଲେ ମଧ୍ୟ ଏବେ ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ କାରଣରୁ ଏହା ହ୍ରାସ ପାଇଛି। ତେଣୁ ନିରନ୍ତର ଉଚ୍ଚ ଅଭିବୃଦ୍ଧି ହାସଲ ଅବ୍ୟାହତ ରଖାଯିବା ଉଚିତ। ରାଜ୍ୟ ପକ୍ଷରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କରାଯାଉଥିବା ଦାବି ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ କହିଥିଲେ, ଏଭଳି ଦାବି ଅନ୍ୟ ରାଜ୍ୟମାନେ ମଧ୍ୟ କରୁଛନ୍ତି। ଆନ୍ଧ୍ର ପ୍ରଦେଶ ପକ୍ଷରୁ ଏ ପ୍ରକାର ଦାବି ନିକଟରେ କରାଯାଇଛି। କିନ୍ତୁ ଏହା ଅର୍ଥ ଆୟୋଗଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ସେହିଭଳି ରାଜ୍ୟ ଗୁଡ଼ିକୁ ୪୨% ପରିବର୍ତ୍ତେ ୫୦% ଟିକସ ରାଜସ୍ବ ଦେବା ଲାଗି ଯେଉଁ ଦାବି ହେଉଛି ସେ ନେଇ ଅଧ୍ୟକ୍ଷ ଶ୍ରୀ ସିଂହ କହିଥିଲେ, ଏ ନେଇ କିଛି ସ୍ଥିର ହୋଇନାହିଁ। କେନ୍ଦ୍ର ସରକାରଙ୍କ ଠାରୁ ମଧ୍ୟ ଏ ପର୍ଯ୍ୟନ୍ତ ରିପୋର୍ଟ ମିଳିନାହିଁ। ସବୁ ରାଜ୍ୟ ଗସ୍ତ ଏବଂ କେନ୍ଦ୍ର ସରକାରଙ୍କ ରିପୋର୍ଟ ମିଳିବା ପରେ ଏ ନେଇ ଯାହା କିଛି ନିଷ୍ପତ୍ତି ନିଆଯିବ। ସେହିଭଳି ଜିଏସଟି କ୍ଷତିପୂରଣ ଅବଧି ବୃଦ୍ଧି ସମ୍ପର୍କରେ ଆୟୋଗ କହିଥିଲେ, ଏହାର ପ୍ରଭାବ କ’ଣ ରହିଛି ତାହାକୁ ଆୟୋଗ ଏବେ ଅନୁଧ୍ୟାନ କରୁଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ପାଇଁ ୧୫୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ ନେଇ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହା ଉପରେ ଆୟୋଗ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି। ଆୟୋଗ ଏ ନେଇ ଯଥେଷ୍ଟ ସହାନୁଭୂତିଶୀଳ ରହିଥିବା ଅଧ୍ୟକ୍ଷ ଶ୍ରୀ ସିଂହ କହିଛନ୍ତି। ଶ୍ରୀ ସିଂହଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ ଓଡ଼ିଶା ପକ୍ଷରୁ ଏ ନେଇ ଦିଆଯାଇଥିବା ପ୍ରସ୍ତାବକୁ ପଞ୍ଚଦଶ ଅର୍ଥ ଆୟୋଗ ଗ୍ରହଣ କରିବା ସହିତ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ରକୁ ସୁପାରିସ କରିପାରନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ଆୟୋଗର ସଦସ୍ୟ ଡ. ଅଶୋକ ଲାହିରି କହିଥିଲେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଦ୍ରୁତଗତିରେ ହେଉଛି। ରାଜ୍ୟରେ ବିଭିନ୍ନ ଯୋଜନାକୁ ଉତ୍ତମ ଭାବେ କାର୍ଯ୍ୟକାରୀ କରାଯିବା ସହିତ ବ୍ୟୟରେ ମଧ୍ୟ ଉନ୍ନତି ଆସିଛି। ସେହିଭଳି ସଦସ୍ୟ ଅନୁପ ସିଂହ ଏବଂ ଡ. ରମେଶ ଚାନ୍ଦ ମଧ୍ୟ ଓଡ଼ିଶାରେ କିଛିବର୍ଷ ମଧ୍ୟରେ ବଡ଼ ପରିବର୍ତ୍ତନ ଦେଖାଦେଇଛି ବୋଲି ମତ ଦେଇଥିଲେ।

ସମ୍ବନ୍ଧିତ ଖବର