ଓଡିଶାର ସ୍ବାଭିମାନ ବୃଦ୍ଧିରେ ଚାଷୀଙ୍କ ରହିଛି ବଡ଼ ଭୂମିକା: ମୁଖ୍ୟମନ୍ତ୍ରୀ

୩୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ୬୯୩ କୋଟି ୯୪ ଲକ୍ଷ ‘କାଳିଆ’ ଟଙ୍କା

ଭୁବନେଶ୍ୱର: ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘କାଳିଆ’ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିବା ନେଇ ଘୋଷଣା କରିଛନ୍ତି। ପବିତ୍ର ଓଡ଼ିଶା ଦିବସ ଅବସରରେ ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ‘କାଳିଆ’ ଯୋଜନାରେ ୬୯୩ କୋଟି ୯୪ ଲକ୍ଷ ଟଙ୍କା ଜମା ହୋଇଛି। ରବି ଋତୁ ପାଇଁ ଚାଷୀମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ପବିତ୍ର ଓଡିଶା ଦିବସ। ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ଏହି ଅବସରରେ ଆମର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି। ଆଜି ଠାରୁ ମଧ୍ୟ ଆମର ନୂଆ ଆର୍ଥିକ ବର୍ଷ ୨୦୨୧-୨୨ ଆରମ୍ଭ ହେଉଛି। ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ହିଁ ମୁଁ ଆଜି ନୂଆ ଆର୍ଥିକ ବର୍ଷ ଆରମ୍ଭ କରୁଛି।

କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ ୭୦୦ କୋଟି ଟଙ୍କା ଜମା କରାଗଲା। କାଳିଆ ଯୋଜନାରେ ୩୪ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ସେହିପରି ୧୭ ଲକ୍ଷ ଜମିହୀନ ଗରିବ ଲୋକ ମଧ୍ୟ ଲାଭବାନ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି। ଚାଷୀର ତ୍ୟାଗ ଓ ସ୍ବାଭିମାନ ହିଁ ଆଜି ଓଡିଶାର ସ୍ବାଭିମାନ ବୃଦ୍ଧି କରିଛି । ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି । ଚାଷୀକୁ ବିନା ସୁଧରେ ଋଣ, ନୂଆ କୃଷି ନୀତି ଆଦି ଅନେକ କାର୍ଯ୍ୟକ୍ରମ ଆମର ଚାଷୀ ଭାଇଙ୍କୁ ଉତ୍ସାହିତ କରିଛି । ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ମୁଁ ଗର୍ବିତ।

ଚାଷୀ ଆମ ଅର୍ଥନୀତିର ମହାଶକ୍ତି । କୋଭିଡ ସମୟରେ ଚାଷୀ ଭାଇ ହିଁ ଆମର ଅର୍ଥନୀତିକୁ ରକ୍ଷା କରିଛି । ତେଣୁ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ । ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍‌ଏସ୍‌ପି) କାହାର ଦୟା ନୁହେଁ । ଏହା ଚାଷୀର ହକ୍‌ । ଚାଷୀକୁ ତାର ହକ୍‌ ଦେବାପାଇଁ ଆମର ଲଢେଇ ଜାରି ରହିଛି ।

ସବୁ କଠିନ ପରିସ୍ଥିତିରେ ଚାଷୀ ଦେଶ ପ୍ରତି ତାର ଦାୟିତ୍ବ ନିଷ୍ଠାର ସହ କରିଚାଲିଛି। ଚାଷୀର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ ଜଣାଉଛି । ମାଟି ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ ବୋଲି ମୁଖ୍ୟମନ୍ତ୍ରୀ ବର୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଯୋଗ  ଦେଇ ମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ।

କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ପିପିଲି ନିର୍ବାଚନ ଯୋଗୁଁ ପୁରୀ ବ୍ୟତୀତ ସବୁ ଜିଲ୍ଲାର ଚାଷୀଙ୍କୁ ବର୍ତ୍ତମାନ କାଳିଆ ସହାୟତା ଦିଆଗଲା।

ସମ୍ବନ୍ଧିତ ଖବର