ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କାଳିଆ ପଢ଼ିଆରୀ ଓରଫ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟାକାଣ୍ଡ ଘଟଣାରେ ଆଜି ପୁଲିସ ପୁଣି ୪ ଜଣ ଅଭିଯୁକ୍ତଙ୍କୁ କୋରାପୁଟ୍ରୁ ଗିରଫ କରିଛି। ଏହି ଚାରି ଜଣଙ୍କୁ ମିଶାଇ ଏହି ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ଆଜି ପୁଲିସ ଅଭିଯୁକ୍ତ ଟୁଟୁ ଓରଫ ପ୍ରଫୁଲ୍ଲ ମହାପାତ୍ର, କୁନମୁନ୍ ଓରଫ ଲକ୍ଷ୍ମଣ ସୁଆର, ହରିହର ପଣ୍ଡା ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ଜଗନ ଖଟେଇଙ୍କୁ ଗିରଫ କରିଥିବା ଏସ୍ପି ଡା. କେ. ବିଶାଳ ସିଂହ କହିଛନ୍ତି।
ଏସ୍ପି କହିଛନ୍ତି, ଅଭିଯୁକ୍ତ ଟୁଟୁଠାରୁ ୨ ରାଉଣ୍ଡ ଗୁଳି ଓ ୯ ଏମ୍ଏମ୍ ବୋର୍ର ଗୋଟିଏ ପିସ୍ତଲ ଜବତ କରାଯାଇଛି। ଏହି ୪ ଜଣ ଅଭିଯୁକ୍ତ କୋରାପୁଟରୁ ପଡ଼ୋଶୀ ରାଜ୍ୟକୁ ଖସିଯିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନେ ଗତ ୧୬ ତାରିଖ ଦିନ କାଳିଆ ପଢ଼ିଆରୀଙ୍କୁ ହତ୍ୟା କରିବା ପରେ ୨ ଦିନ ସାତପଡ଼ାରେ ରହି ପୁଣି ଚିଲିକାକୁ ଚାଲିଯାଇ ସେଠାରେ ଏକ ଡଙ୍ଗାରେ ଦୁଇ ଦିନ ଦୁଇ ରାତି ରହିଥିଲେ। ଆଜି ଗିରଫ ୪ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨୦୧୨ ମସିହାରେ ଘଟିଥିବା ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବାପାଇଁ ତାଙ୍କ ବଡ଼ଭାଇ କାଳିଆ ସିହାରୀ ଓରଫ ତଳୁଚ୍ଛ ନିତ୍ୟାନନ୍ଦ ମହାପାତ୍ର, ପୁତୁରା ଦୋଳଗୋବିନ୍ଦ ସିଂହାରୀ ଓରଫ ତଳୁଚ୍ଛ ଆଶିଷ ମହାପାତ୍ର ଦ୍ବାରିକା ଲଜ୍ର ମ୍ୟାନେଜର କାଳୁ ଓରଫ ସତ୍ୟନାରାୟଣ ପାଣିଗ୍ରାହୀକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ କହିଥିଲେ। ସେହିପରି ସିଧାସଳଖ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ପ୍ରଥମେ ଦୁଇ ଲକ୍ଷ ଟଙ୍କା ଓ ବନ୍ଧୁକ ପାଇଁ ୭୦ ହଜାର ଦିଆଯାଇଥିଲା। ତେଣୁ କାଳୁ ମୃତ କାଳିଆ ପଢ଼ିଆରୀଙ୍କ ହତ୍ୟା ଯୋଜନକୁ ସଫଳ କରାଇବା ପାଇଁ କୁନମୁନ, ଟୁଟୁ, ହରି ପଣ୍ଡା, ବାବା ମହାପାତ୍ର ସହିତ ଯୋଗାଯୋଗ କରିଥିଲା। ସେହିପରି ବନ୍ଧୁକ ଯୋଗାଇବା ପାଇଁ ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେଣ୍ଢାର ମୁନା ପାତ୍ର ଓ ଆଳୁପାଟଣାର ସନ୍ଦୀପ ଜେନାକୁ ଟିମ୍ ଭିତରେ ସାମିଲ କରିଥିଲା। ଯୋଜନା ଅନୁଯାୟୀ ସେମାନେ ଗତ ୧୬ ତାରିଖ ଦିନ ବାରବାଟି ଜାଗା ପରିସରରେ କାଳିଆ ପଢ଼ିଆରୀଙ୍କୁ ଗୁଳି କରି ହତ୍ୟାକରି ଫେରାର ହୋଇଯାଇଥିଲେ।