କାଳିଆ ପଢ଼ିଆରୀ ହତ୍ୟା ମାମଲା: ଗୁନଙ୍କ ଭାଇ, ପୁତୁରା ସମେତ ୫ ଅଟକ

ଗୁନାରୀ ସିଂହାରୀ ହତ୍ୟା ଘଟଣାର ପ୍ରତିଶୋଧ!

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପଢ଼ିଆରୀ ହତ୍ୟା ଘଟଣାରେ ପୁଲିସ ଏବେ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓରଫ ତଳୁଚ୍ଛ ନିତ୍ୟାନନ୍ଦ ମହାପାତ୍ର, ପୁତୁରା ଦୋଳଗୋବିନ୍ଦ ଓରଫ ତଳୁଚ୍ଛ ଆଶିଷ ମହାପାତ୍ରଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି। ସେମାନଙ୍କ ପାଖରୁ ପୁଲିସ ଅନେକ ତଥ୍ୟ ହାସଲ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଗୁନ ହତ୍ୟାକାଣ୍ଡ ଘଟଣାରେ କାଳିଆ ଷଡ଼୍‌ଯନ୍ତ୍ରକାରୀ ରହିଥିବା ହେତୁ ତାଙ୍କୁ ହତ୍ୟା କରିବାରେ ଗୁନ ପରିବାରର ହାତ ରହିଥିବା ପୁଲିସ ପ୍ରାରମ୍ଭିକ ପର୍ଯ୍ୟାୟରେ ସନ୍ଦେହ କରିଥିଲା। ତେଣୁ ଏହି ସନ୍ଦେହକୁ ଆଧାର କରି ପୁଲିସର ତଦନ୍ତ ଆଗେଇଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପ୍ରଥମେ ବାବା ମହାପାତ୍ରଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ତାଙ୍କୁ ଅଟକ ରଖି ପଚରାଉଚରା କରିବାରେ ଏହି ଘଟଣାରେ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦ ନାମ ଆସିଥିଲା। ତେଣୁ ପୁଲିସ ଆଜି ସେମାନଙ୍କୁ ଘରୁ ଉଠାଇ ଆଣିବା ପରେ ସମସ୍ତ ଘଟଣା ପଦାକୁ ଆସିଯାଇଥିଲା।

ସୂଚନା ଅନୁସାରେ, ଗୁନ ସିଂହାରୀ ମାମଲାର ଶୁଣାଣି ପରେ ତାଙ୍କ ଭାଇ କାଳିଆ ଓ ପୁତୁରା ଦୋଳଗୋବିନ୍ଦଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଯାଇଥିଲା। ତେଣୁ ସେମାନେ କାଳିଆ ପଢ଼ିଆରୀଙ୍କୁ ଟାର୍ଗେଟ କରିଥିଲେ। ଏଥିପାଇଁ ସେମାନେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କୁ ଗୁଳିମାଡ଼ ଘଟଣାର ଅଭିଯୁକ୍ତ କାଳୁ ପାଣିଗ୍ରାହୀର ସହଯୋଗ ନେଇଥିଲେ। ମାସେ ପୂର୍ବେ କାଳୁ ସହିତ ବସାଉଠା କରୁଥିବା କୁନୁମୁନି, ଟୁଟୁଙ୍କୁ ଯୋଗାଯୋଗ କରିଥିଲେ। ଏଥିପାଇଁ ସେମାନେ ପାପୁଡ଼ିଆ ମଠ ତଳେ ଥିବା ଦ୍ବାରିକା ଲଜ୍‌ରେ ମିଟିଂ କରିଥିଲେ। ଏହାପରେ କାଳିଆ ସିଂହାରୀଙ୍କୁ ହତ୍ୟା ପାଇଁ ସେମାନେ ସୁପାରୀ ୨ ଲକ୍ଷ ଟଙ୍କା ଏବଂ ପିସ୍ତଲ କିଣିବା ପାଇଁ ୭୦ ହଜାର ଟଙ୍କା ଦେଇଥିଲେ। ଏହାପରେ ସେମାନେ ବାଲି ହରଚଣ୍ଡି ମନ୍ଦିରରେ ଏକ ଭୋଜି ଏବଂ ମିଟିଂର ଆୟୋଜନ କରି ସେଠାରେ ଯୋଜନା କରାଯାଇଥିଲା। ଯୋଜନା ମୁତାବକ ମହେଶ୍ବର ମହାନ୍ତିଙ୍କୁ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା କାଳୁର ଜେଲ୍‌ରେ ବ୍ରହ୍ମଗରି ରେଣ୍ଢାର ଜଣେ ବନ୍ଧୁକ ବେପାରୀ ସହିତ ପରିଚୟ ହୋଇଥିଲା। ତେଣୁ କାଳିଆ ସିଂହାରୀ ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲ ସେହି ବେପାରୀ ଠାରୁ ୭୦ ହଜାର ଟଙ୍କାରେ ଆସିଥିଲା। ପିସ୍ତଲ ସହିତ ୯ଏମ୍‌ଏମ୍‌ ଗୁଳି ୯ଟି ଆସିଥିଲା। କାଳିଆ ପଢ଼ିଆରୀଙ୍କୁ ହତ୍ୟା କରିବା ପାଇଁ ସେମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏହି ବ୍ଲୁ ପ୍ରିଣ୍ଟ ଅନୁଯାୟୀ ବାରବାଟୀ ଜାଗା ଭିତରକୁ କୁନୁମୁନି ଓ ଟୁଟୁ ଯାଇଥିଲେ। ହରି ପଣ୍ଡା ଓ ବାବା ମହାପାତ୍ର ଯାଗାର ଗେଟ୍‌ ନିକଟରେ ଗାଡ଼ି ଧରି ଅପେକ୍ଷା କରିଥିଲେ। କାଳିଆ ପଢ଼ିଆରୀଙ୍କୁ ଟୁଟୁ ଗୁଳି କରିବାପରେ ସେମାନଙ୍କୁ ହରି ଓ ବାପା ନେଇ ସେଠାରୁ ଫେରାର ହୋଇଯାଇଥିଲେ। ବାବା ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ବାଇପାସ୍‌ ରାସ୍ତାକଡ଼ରେ ଥିବା ଜଙ୍ଗଲରେ ଲୁଚି ରହିଥିବାବେଳେ ଅନ୍ୟମାନେ ପୁରୀରୁ ଫେରାର ହୋଇଯାଇଥିଲେ। ପୁଲିସ କୌଶଳକ୍ରମେ ବାବାକୁ ଧରିବା ପରେ ସମସ୍ତ ଯୋଜନା ପୁଲିସ ଜାଣିପାରିଥିଲା।

ସମ୍ବନ୍ଧିତ ଖବର