ପୁରୀ: ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ତଥା ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ ଅଭିଯୁକ୍ତ କାଳିଆ ଓରଫ କୃଷ୍ଣଚନ୍ଦ୍ର ପଢ଼ିଆରୀଙ୍କୁ ଆଜି ବାରବାଟି ଜାଗା ପରିସରରେ ଦୁବୃର୍ତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଏହାକୁ ନେଇ ପୁରୀରେ ଆତଙ୍କଜନକ ପରିସ୍ଥିିତି ସୃଷ୍ଟି ହୋଇଛି। ପୁଲିସ ଛାନଭିନ୍ ଆରମ୍ଭ କରିଥିଲେ ମଧ୍ୟ ହତ୍ୟାକାରୀ ଧରାପଡ଼ି ନାହାନ୍ତି।
କାଳିଆଙ୍କ ଭାଇ ନରସିଂହ ପଢ଼ିଆରୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ମାମଲାର ତଦନ୍ତ କରୁଛନ୍ତି। କାଳିଆଙ୍କୁ ୪ ଜଣ ଗୁଳି କରି ହତ୍ୟା କରିଥିବା ବେଳେ ଗୁନ ସିଂହାରୀ ଭାଇ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କ ନାମ ଏହି ଅଭିଯୋଗପତ୍ରରେ ରହିଛି।
ଏହି ଦୁଇ ଜଣଙ୍କ ଷଡ଼ଯନ୍ତ୍ରରେ ହିଁ କାଳିଆଙ୍କୁ ହତ୍ୟା କରାଯାଇଥିବା ନେଇ ନରସିଂହ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚାରିଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଏସ୍ପି କେ ବିଶାଲ ସିଂହ ହତ୍ୟା ଘଟଣାର ତନାଘନା ଆରମ୍ଭ କରିଛନ୍ତି। ପୂର୍ବ ଶତ୍ରୁତା ଏବଂ ଏକ ଜମି ବିବାଦକୁ କେନ୍ଦ୍ର କରି କାଳିଆଙ୍କୁ ହତ୍ୟା କରାଯାଇଥିବା ପୁଲିସ ପ୍ରାରମ୍ଭିକ ପର୍ଯ୍ୟାୟରେ ସନ୍ଦେହ କରୁଛି। କାଳିଆ ସୁଆର ମହାସୁଆର ନିଯୋଗର ସମ୍ପାଦକ ରହିଥିବା ବେଳେ ସେ ବାରବାଟି ଜାଗାର ସମ୍ପାଦକ ମଧ୍ୟ ଥିଲେ। ଏହା ସହିତ ସେ ସ୍ଥାନୀୟ ଅଞ୍ଚଳରେ ଶାସକ ଦଳର ପୂର୍ବତନ ପୌର ସଦସ୍ୟ ମଧ୍ୟ ରହିଥିଲେ।
ନରସିଂହ ଅଭିଯୋଗ କରିଛନ୍ତି ଯେ ଆଜି କାଳିଆ କୁନୁମୁନୁ ସୁଆର ଓ ଟୁଟୁ ମହାପାତ୍ରଙ୍କ ସହ ଏକ ଜମି ବିବାଦକୁ ନେଇ ଆଲୋଚନା କରିବା ପାଇଁ ବାରବାଟି ଜାଗାକୁ ନିଜର ଭଣଜା ସହିତ ଆସିଥିଲେ। ଆଲୋଚନା ପରେ ସେ ଶ୍ରୀମନ୍ଦିରକୁ ଯିବାର ଥିଲା। ତେଣୁ ଏହି ଜମିକୁ ନେଇ ଆଲୋଚନା ପରେ ଜମି ଦେଖିବାକୁ ନରସିଂହଙ୍କୁ ପରାମର୍ଶ ଦେଇ ଯାଇଥିଲେ। କାଳିଆ ବାରବାଟି ଜାଗାରେ ପହଞ୍ଚିବା ପରେ ଦିନ ପ୍ରାୟ ସାଢ଼େ ଦଶଟା ସମୟରେ ସେଠାରେ କୁନୁମୁନୁ ସୁଆର ଓରଫ ମହାପାତ୍ର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ବାବା ମହାପାତ୍ର ପହଞ୍ଚିଥିଲେ। ଏକ ଜମିର କାଗଜପତ୍ର ଆଣି କାଳିଆଙ୍କୁ ଦେଖାଇଥିଲେ। ଏହି ଜମିକୁ ନେଇ କୌଣସି ବିବାଦ ରହିଥିବାରୁ କିଣାବିକା ପାଇଁ ସେମାନେ କଥାବାର୍ତ୍ତା କରିଥିଲେ। କାଳିଆ ଉକ୍ତ ଜମିର କାଗଜପତ୍ର ଦେଖିବା ସମୟରେ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ସେମାାନ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ଦୁଇଟି ଗୁଳି ତାଙ୍କ ଛାତିରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସଙ୍ଗେ ସଙ୍ଗେ ନୃସିଂହ ପଣ୍ଡାଙ୍କ ଠାରୁ ଖବର ପାଇ ନରସିଂହ ବାରବାଟି ଜାଗାକୁ ଆସି କାଳିଆଙ୍କୁ ରକ୍ତାକ୍ତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।