ଶତାଧିକ ଚାଷୀଙ୍କ କାଳିଆ ସହାୟତା ହଡ଼ପ, ଥାନାରେ ଏତଲା ଦେଲେ ଚାଷୀ

ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‌ର ଶତାଧିକ ହିତାଧିକାରୀଙ୍କ କାଳିଆ ଯୋଜନା ସହାୟତା ହଡ଼ପ ଘଟଣାରେ ପ୍ରଶାସନର ଅଡ଼ୁଆ ବଢ଼ିବାରେ ଲାଗିଛି। କାରଣ ୩ବର୍ଷ ଧରି ହିତାଧିକାରୀଙ୍କ ନାମରେ ଜାଲ୍‌ ଆକାଉଣ୍ଟ କରି ଟଙ୍କା ହେରଫେର ଚାଲିଥିବା ବେଳେ ବ୍ଲକ୍‌ ପ୍ରଶାସନ କେମିତି କିଛି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ ଉଠିଛି। ନିଶ୍ଚିତ ରୂପେ କିଛି ସରକାରୀ କର୍ମଚାରୀଙ୍କ ସିଧାସଳଖ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି। ତେଣୁ, ଏକୋରୀ ପଞ୍ଚାୟତ ଅନ୍ତର୍ଗତ ଅଲେଖଗୁଡା ଗ୍ରାମର ହିତାଧିକାରୀ ଏହି ମହାଦୁର୍ନୀତିର ତଦନ୍ତ ପାଇଁ କୋଡ଼ିଙ୍ଗା ଥାନାରେ ଏତଲା ଦେଇଛନ୍ତି।

ଚାଷୀଙ୍କ ଅଭିଯୋଗ ହେଲା, କାଳିଆ ସହାୟତା ପାଇଁ ସେମାନେ ଏସ୍‌ବିଆଇର କିଓସ୍କ ବ୍ୟାଙ୍କରେ ଖୋଲିଥିବା ଆକାଉଣ୍ଟ ନମ୍ବର ଦେଇଥିଲେ। ଏହି ଆକାଉଣ୍ଟରେ କାଳିଆ ଯୋଜନାର ଦୁଇଟି କିସ୍ତି ମିଳିଥିଲା। ଏହାପରେ ୩ବର୍ଷ ହେଲା କୌଣସି ପ୍ରକାର ଆର୍ଥିକ ସହାୟତା ମିଳିନାହିଁ। ସରକାରୀ ପୋର୍ଟାଲରେ ଏହି ବିଷୟରେ ଅଧିକ ଖୋଳତାଡ଼ କରିବାରୁ ଚକିତ କରିବା ଭଳି ତଥ୍ୟ ମିଳିଥିଲା। ଯେମିତି ସରକାର ନିୟମିତ ଭାବେ ସହାୟତା ଅର୍ଥ ସଂପୃକ୍ତ ହିତାଧିକାରୀଙ୍କ ନାମରେ ଜମା କରୁଛନ୍ତି। କିନ୍ତୁ, ପ୍ରକୃତ ହିତାଧିକାରୀ ଦେଇଥିବା ଆକାଉଣ୍ଟ ନୁହଁ ଭିନ୍ନ ଆକାଉଣ୍ଟରେ ଜମା ହେଉଥିବା ଜାଣିବାକୁ ପାଇଥିଲେ। ଆକାଉଣ୍ଟ ନମ୍ବର ପରିବର୍ତ୍ତନ ପାଇଁ ସେମାନେ ଲିଖିତ ଭାବେ ସ୍ବୀକୃତି ଆଦୌ ପ୍ରଶାସନକୁ ଦେଇ ନଥିଲେ। ତଥାପି କାହିଁକି ଆକାଉଣ୍ଟ ନମ୍ବର ପରିବର୍ତ୍ତନ ହେଲା, ତାହାର ଖୋଳତାଡ଼ ନିଜେ ହିତାଧିକାରୀ କରିଥିଲେ। ଏକ ଘରୋଇ ବ୍ୟାଙ୍କରେ ସେମାନଙ୍କ ନାମରେ ଜାଲିଆତି କରି ନୂଆ ଆକାଉଣ୍ଟ ଖୋଲିଥିବା ପ୍ରମାଣ ପାଇବାରୁ ଗତକାଲି ପ୍ରଶାସନକୁ ଜଣାଇଥିଲେ। ନିୟମିତ ବ୍ୟବଧାନରେ ସେହି ଜାଲ୍‌ ଆକାଉଣ୍ଟରୁ ୧୨ରୁ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଉଠିବା ହିତାଧିକାରୀଙ୍କୁ ବିସ୍ମିତ କରିଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ସଂପୂର୍ଣ୍ଣ ନିରବ ରହିଛନ୍ତି। ପ୍ରାଥମିକ ଆକଳନରୁ କେବଳ ଅଲେଖଗୁଡା ଗାଁର ହିତାଧିକାରୀଙ୍କ ପାଖାପାଖି ୨୦ଲକ୍ଷ ଟଙ୍କା ବାଟମାରଣା ହୋଇଛି। ହିତାଧିକାରୀ ଏତଲା ଦେଇଥିଲେ ସୁଦ୍ଧା ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ମାମଲା ରୁଜୁ କରି ନଥିଲା। ଅପରପକ୍ଷରେ ଥାନା ଅଧିକାରୀ ଗାଁକୁ ଯାଇ ତଦନ୍ତ କରିବେ ବୋଲି କହିଛନ୍ତି।

ଉପରୋକ୍ତ ଘଟଣା କିନ୍ତୁ ଅନେକ ପ୍ରଶ୍ନ ଉଠାଇଥିଲେ ସୁଦ୍ଧା ଏହାର ଉତ୍ତର ପ୍ରଶାସନ ନିକଟରେ ନାହିଁ। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବରକୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ପରିବର୍ତ୍ତନ କରଥିଲେ ? ବିନା କୌଣସି ଯାଞ୍ଚରେ ନୂଆ ଆକାଉଣ୍ଟ ନମ୍ବରରେ କାଳିଆ ଟଙ୍କା ଜମା କରିବା ପାଇଁ କିଏ ଅନୁମତି ଦେଇଥିଲେ? ଆହୁରି ମଧ୍ୟ, ଯୋଜନା ପାଇଁ ଶତାଧିକ ହିତାଧିକାରୀଙ୍କ ଆକାଉଣ୍ଟ ନମ୍ବର ପରିବର୍ତ୍ତନ ହୋଇଥିବାରୁ କିଭଳି କୌଣସି ସରକାରୀ କର୍ମଚାରୀ ସନ୍ଦେହ କଲେ ନାହିଁ? ଏବେ ଏହିଭଳି ଭାବେ ଅନେକ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ତେଣୁ ନିଶ୍ଚିତ ରୂପେ ଯୋଜନା ସହ ସଂପୃକ୍ତ କୌଣସି କର୍ମଚାରୀ ହିଁ ଏହି ଦୁର୍ନୀତିର ମୁଖ୍ୟ ସୂତ୍ରଧର ବୋଲି ଅନୁମାନ କରାଯାଉଛି। ଯାହାର ତଦନ୍ତ କରିବା ପାଇଁ ବହୁ ହିତାଧିକାରୀ ଦାବି କରିଛନ୍ତି। ପୁଲିସର ତଦନ୍ତ ତ୍ବରାନ୍ବିତ ହେଲେ ବହୁ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିବା ନିଶ୍ଚିତ ବି ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର