ଭୁବନେଶ୍ବର: ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର ‘କାଳିଆ’ ସହାୟତା-୨୦୨୪ ପ୍ରଦାନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ରାଶି ପ୍ରଦାନ କରିବା ସହ ସମସ୍ତ ଜିଲ୍ଲାରେ ଚାଷୀଙ୍କୁ କୃଷି କାର୍ଯ୍ୟରେ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ ‘କାଳିଆ’ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ‘କାଳିଆ’ ଯୋଜନାର ସମୟ ଅବଧି ଆଉ ୩ ବର୍ଷ ଅର୍ଥାତ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ। ଏଥି ପାଇଁ ରାଜ୍ୟ ସରକାର ୬,୦୩୦ କୋଟି ଟଙ୍କା ଖର୍ଚ୍ଚ କରିବେ।
ଚାଷୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ ହୁଅନ୍ତୁ ଓ ଓଡ଼ିଶାର ସମୃଦ୍ଧିରେ ଯୋଗଦାନ ରଖନ୍ତୁ। ଚାଷୀ ଭାଇର ସମୃଦ୍ଧି ହିଁ ରାଜ୍ୟର ସମୃଦ୍ଧି। ଶିକ୍ଷା କେବଳ ଗୋଟିଏ ବ୍ୟକ୍ତିକୁ ନୁହେଁ, ପୂରା ପରିବାରକୁ ଓ ସମାଜକୁ ସଶକ୍ତ କରିଥାଏ। ତେଣୁ ‘କାଳିଆ’ ହିତାଧିକାରୀ ପିଲାମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଚଳିତ ଶିକ୍ଷାବର୍ଷରୁ ‘କାଳିଆ’ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିଛନ୍ତି। ଏନ୍ଆଇଟି, ଆଇଆଇଟି, ଆଇଆଇଏମ୍, ଏମ୍ସ୍ ପରି ସମ୍ମାନଜନକ ଶିକ୍ଷାନୁଷ୍ଠାନ ସହ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଘରୋଇ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଚାଷୀ ପରିବାରର ପିଲାମାନଙ୍କୁ ଏଣିକି ‘କାଳିଆ’ ଛାତ୍ରବୃତ୍ତି ପ୍ରଦାନ କରାଯିବ। ଆଜି ଉଦ୍ଘାଟିତ ହୋଇଥିବା ‘କାଳିଆ’ କେନ୍ଦ୍ରଗୁଡ଼ିକ କୃଷି କ୍ଷେତ୍ରରେ ଅଭିନବ ଚିନ୍ତାଧାରା ଓ ସମ୍ବଳ କେନ୍ଦ୍ର ଭାବରେ କାମ କରିବ।
୪୬ ଲକ୍ଷ ଚାଷୀଙ୍କୁ ୯୩୩ କୋଟି ଟଙ୍କା ପ୍ରଦାନ
ସବୁ ଜିଲ୍ଲାରେ ଖୋଲିଲା କାଳିଆ କେନ୍ଦ୍ର
କାଳିଆ ଯୋଜନାର ଅବଧି ଆଉ ୩ ବର୍ଷ ବଢ଼ିଲା
ଚାଷୀ ଭାଇଙ୍କ ସମୃଦ୍ଧି ହିଁ ରାଜ୍ୟର ସମୃଦ୍ଧି: ମୁଖ୍ୟମନ୍ତ୍ରୀ
କେବଳ ଓଡ଼ିଶାରେ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ମିଳୁଛି: ୫-ଟି ଅଧ୍ୟକ୍ଷ
ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଭୂମିହୀନ ଚାଷୀ ପରିବାରକୁ ଚଳିତ ଖରିଫ ଋତୁ ପାଇଁ ଅତିରିକ୍ତ ଦୁଇ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏଥିରେ ରାଜ୍ୟର ୧୮ ଲକ୍ଷରୁ ଉର୍ଦ୍ଧ୍ବ ଭୂମିହୀନ ଚାଷୀ ପରିବାର ଉପକୃତ ହେବେ। ସମୁଦାୟ ୩୬୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଖରିଫ-୨୦୨୪ ପାଇଁ ରାଜ୍ୟର ଚାଷୀ ଭାଇଭଉଣୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ‘କାଳିଆ’ ସହାୟତା ବାବଦରେ ଦୁଇ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହାଦ୍ବାରା ୪୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ।
କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ରାଜ୍ୟରେ ଚାଷୀ ଭାଇମାନଙ୍କ ସ୍ଥିତିକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଏହାର ଆକାର ଓ ପରିମାଣକୁ କ୍ରମାଗତ ଭାବେ ସଂପ୍ରସାରଣ କରୁଛନ୍ତି। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ୨୦୧୯ ମସିହାରେ ଐତିହାସିକ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଇତି ମଧ୍ୟରେ ୬୪ ଲକ୍ଷ ଚାଷୀ ଭାଇ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଗତ ୫ ବର୍ଷ ମଧ୍ୟରେ ୧୩,୭୯୩ କୋଟି ଟଙ୍କାର ସହାୟତା ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଛି। ଭାରତବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପି. କେ. ଜେନା, ଉନ୍ନୟନ କମିସନର ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କୃଷି ଓ କୃଷକ ସଶକ୍ତୀରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।