କାଳିଆ ସହାୟତା ବନ୍ଦ ନକରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଲା ବିଜେଡି

୨୦ ଲକ୍ଷ ଚାଷୀଙ୍କ ସ୍ବାର୍ଥକୁ ବିଚାରକୁ ନିଆଯାଉ: ବିଜେଡି

ଭୁବନେଶ୍ବର : ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଓଡ଼ିଶା ସରକାର ଚାଷୀଙ୍କ ସହାୟତା ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲେ। କାଳିଆ ଯୋଜନାରେ ଅତିରିକ୍ତ ୨୦ ଲକ୍ଷ ହିତାଧିକାରୀ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ସରକାର ସମସ୍ତ ପ୍ରସ୍ତୁତି ସାରିଛନ୍ତି। କିନ୍ତୁ ଏହି ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ସହୟତା ରାଶି ବଣ୍ଟନ ବ୍ୟବସ୍ଥାକୁ ବନ୍ଦ କରିବାକୁ ବିଜେପି ନିର୍ବାଚନ ଆୟୋଗଙ୍କ ଉପରେ ଚାପ ପକାଉଛି। ଏହାକୁ ନେଇ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜୁ ଜନତା ଦଳ ଫେରାଦ ହୋଇଛି। ବିଜେପି ଏହି ଉଦ୍ୟମରେ ସଫଳ ହେଲେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଖରିଫ ଫସଲ ପାଇଁ ଏପ୍ରିଲ ପହିଲାରେ ବଣ୍ଟନା କରାଯିବାକୁ ଥିବା ସହାୟତା ପ୍ରଭାବିତ ହେବ। ଯାହାଦ୍ବାରା ୨୦ ଲକ୍ଷ ଅତିରିକ୍ତ ଚାଷୀ ସେମାନଙ୍କର ଖରିଫ ଋତୁ ଚାଷ କାର୍ଯ୍ୟ ପାଇଁ ହଇରାଣ ହେବେ ବୋଲି ବିଜେଡି ସ୍ମାରକ ପତ୍ରରେ ଦର୍ଶାଇଛି।

ଶନିବାର ବିଜେଡିର ୧୨ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଭେଟି କାଳିଆ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ବଣ୍ଟନ ବ୍ୟବସ୍ଥା ଜାରି ରଖିବାକୁ ନିବେଦନ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛି। ବିଜେଡି ଦର୍ଶାଇଛି ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ ସ୍ବରୁପ ଚାଷୀଙ୍କ ସହାୟତା ପାଇଁ କାଳିଆ ଯୋଜନା ଆରମ୍ଭ ହେବା ଦିନଠାରୁ ୩୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଏହି ଯୋଜନା ଦ୍ବାରା ଲାଭବାନ ହୋଇଛନ୍ତି। ଏହି ଯୋଜନା ଗରିବ ଚାଷୀଙ୍କୁ ଯଥେଷ୍ଟ ସହାୟକ ହେଉଛି ବୋଲି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅର୍ଥନୀତିଜ୍ଞ ଓ କୃଷି ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି। କିନ୍ତୁ, ବିଜେପି ଲଗାତାର ଭାବେ ଏହି ଯୋଜନାର ଲାଭ ଯେପରି ଚାଷୀଙ୍କୁ ନମିଳେ, ରାଜନୈତିକ ସ୍ବାର୍ଥ ପାଇଁ ଏହି ଯୋଜନାରେ ଗରିବ ହିତାଧିକାରୀ ଚାଷୀଙ୍କୁ ପ୍ରଦାନ କରାଯିବାକୁ ଥିବା ସହାୟତା ବନ୍ଦ କରିବାକୁ ଭାରତ ନିର୍ବାଚନ ଆୟୋଗଙ୍କ ଉପରେ ଚାପ ପକାଇ ଚାଲିଛି। ଯଦି ବିଜେପି ତା ଉଦ୍ୟମରେ ସଫଳ ହୁଏ, ତାହେଲେ ରାଜ୍ୟରେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଯେଉଁମାନେ ଖରିଫ ଫସଲ କରିବାକୁ ଜମି ପ୍ରସ୍ତୁତ କରିଛନ୍ତି ସେମାନେ ଚାଷ ସହାୟତା ପାଇବାରୁ ବଞ୍ଚିତ ହେବେ। ଆସନ୍ତା ଏପ୍ରିଲ ପହିଲାରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବାକୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ସହାୟତା ବଣ୍ଟନ ବନ୍ଦ କରିବାକୁ ବିଜେପି ତା ଉଦ୍ୟମରେ ଯେପରି ସଫଲ ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀକୁମାରଙ୍କୁ ବିଜେଡି ପକ୍ଷରୁ ନିବେଦନ କରାଯାଇଛି।

ବିଜେଡି ତାର ସ୍ମାରକ ପତ୍ରରେ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରି ଜଣାଇଛି, କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ଚାପରେ ବଶବର୍ତ୍ତୀ ନହୋଇ ବରଂ ୨୦ ଲକ୍ଷ ଗରିବ ଚାଷୀଙ୍କ କଥାକୁ ଶୁଣିବା ଦରକାର। ବିଜେପିର ଏପରି ଚାପ କୌଶଳରେ ଯେପରି ଚାଷୀମାନେ ସହାୟତା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି।

ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ମନ୍ତ୍ରୀ ଅନନ୍ତ ଦାସ, ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ, ବିଧାୟକ ତଥା ମୁଖପାତ୍ର ଦେବାଶିଷ ସାମନ୍ତରାୟ, ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟକ ମହୀଧର ରଣା, ବିଧାୟିକା ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଧାୟକ ବଳଭଦ୍ର ମାଝୀ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ମୁଖପାତ୍ର ସସ୍ମିତ ପାତ୍ର ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ ସାମିଲ ଥିଲେ।

ସମ୍ବନ୍ଧିତ ଖବର