କାଳିଆ ଯୋଜନା ବନ୍ଦ ନେଇ ସିଇଓ ଜବାବ ଦିଅନ୍ତୁ: ବିଜେପି

ଭୁବନେଶ୍ବର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ବିଜେପି ପ୍ରତି ପକ୍ଷପାତିତା କରୁଛନ୍ତି ବୋଲି ଅଭିଯୋଗ କରିଥିଲା ବିଜେଡି। କିନ୍ତୁ ଆଜି ବିଜେପି ପାଲଟା ଅଭିଯୋଗ କରିଛି। ସିଇଓ ବିଜେଡିର ଏଜେଣ୍ଟ ପରି କାମ କରି ବିଜେଡିକୁ ସୁହାଇଲା ପରି ପଦକ୍ଷେପ ନେଉଛନ୍ତି। ଏ ସମ୍ପର୍କରେ ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନ୍‌ଙ୍କୁ ସାକ୍ଷାତ କରି ଓଡ଼ିଶାର ସିଇଓଙ୍କୁ ବରଖାସ୍ତ କରିବାକୁ ଦାବି କରାଯିବ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି, ବିଜେପି ଚାପରେ ସିଇଓ କାଳିଆ ଯୋଜନାରେ ଚାଷୀଙ୍କୁ ଟଙ୍କା ଦେବା ଉପରେ ରୋକ ଲଗାଇଥିବା‌ ବିଜେଡି ପ୍ରଚାର କରୁଛି। ଗତକାଲି ଗଣମାଧ୍ୟମ ପ୍ରତିନିଧିମାନେ କାଳିଆ ଯୋଜନାକୁ ବନ୍ଦ କରିବା ନେଇ ସିଇଓଙ୍କ ସ୍ପଷ୍ଟୀକରଣ ମାଗିବା ବେଳେ ସେ ଉତ୍ତର ନ ଦେଇ ଚୁପ ରହିବା ଗଣମାଧ୍ୟମରେ ପ୍ରକାଶ ପାଇଛି। କାଳିଆ ଯୋଜନାରେ ଟଙ୍କା ଦେବା ପାଇଁ ସିଇଓ ରୋକ୍ ଲଗାଇଛନ୍ତି ନା ନାହିଁ, ସେ ସମ୍ପର୍କରେ ଶ୍ରୀ କୁମାର କାହିଁକି ଚୁପ୍ ରହୁଛନ୍ତି ? ଯଦି ରୋକ୍ ଲଗାଇଛନ୍ତି, ତାହା ହେଲେ କେଉଁ ନିର୍ବାଚନୀ ଆଚରଣ ବିଧି ନିୟମ ଆଧାରରେ ଲଗାଇଛନ୍ତି, ତାହା ସ୍ପଷ୍ଟ କରିବା ସିଇଓଙ୍କ ସାମ୍ବିଧାନିକ ଦାୟିତ୍ବ। ଯଦି ରୋକ୍ ଲଗାଇ ନାହାନ୍ତି, ତାହା ହେଲେ କାଳିଆ ଯୋଜନା ନେଇ ତାଙ୍କର ଆଭିମୁଖ୍ୟ କାହିଁକି ସ୍ପଷ୍ଟ କରୁ ନାହାନ୍ତି ?

କାଳିଆ ଯୋଜନା ବନ୍ଦକୁ ନେଇ ବିଜେଡି କରିଥିବା ଅଭିଯୋଗର ଜବାବରେ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କାଳିଆ ଯୋଜନାକୁ କିଏ ବନ୍ଦ କରିଛି, ତାହାର ଜବାବ ସିଇଓ ଦେବାକୁ ଦାବି କରିଥିଲେ। ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ, ଆଇନଜୀବୀ ଜୟନ୍ତ ଜେନା, ସତ୍ୟବ୍ରତ ନାୟକ ଓ ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର