‘କାଳିଆ’ରେ ଅଢ଼େଇ ଲକ୍ଷ ଅଯୋଗ୍ୟ : ୩୧ ଯାଏ ଚାଲିବ ଯାଞ୍ଚ୍, ଅଯୋଗ୍ୟ ତାଲିକା ଆହୁରି ବଢ଼ିବ

ଭୁବନେଶ୍ବର : କାଳିଆ ଯୋଜନାରେ ଅଢ଼େଇ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ସାମିଲ୍ ହୋଇଛନ୍ତି। ସରକାରଙ୍କୁ ଭୁଲ୍‌ ତଥ୍ୟ ଦେଇ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ନେଇଯାଇଛନ୍ତି। ଏବେ କୃଷି ବିଭାଗ ଏମିତି ଲୋକମାନଙ୍କୁ ଧରିଛି। କାଳିଆ ହିତାଧିକାରୀଙ୍କ ଯାଞ୍ଚ୍ ପ୍ରକ୍ରିୟା ୩୧ ତାରିଖ ଯାଏ ଚାଲିବାକୁ ଥିଲା ବେଳେ ଅ‌େଯାଗ୍ୟଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

କାଳିଆ ତାଲିକା ସଂଶୋଧନ ଓ ଯାଞ୍ଚ୍ ପାଇଁ ଅଗଷ୍ଟ ୧୪ ତାରିଖ ‌େଶଷ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ସମୟ ମଧ୍ୟରେ ଯାଞ୍ଚ୍ ଶେଷ ନ ହେବାରୁ ଗ୍ରାମ ପଞ୍ଚାୟତ ସ୍ତରରେ ଅଗଷ୍ଟ ୨୭ ତାରିଖ ସୁଦ୍ଧା ଯାଞ୍ଚ୍ ପ୍ରକ୍ରିୟା ‌େଶଷ କରିବାକୁ ସମୟ ଦିଆଯାଇଛି। ପ୍ରଥମ କିସ୍ତି ଟଙ୍କା ନେଇଥିବା ଅଯୋଗ୍ୟ ହିତାଧିକାରୀମାନେ ସରକାରଙ୍କୁ ଟଙ୍କା ଫେରାଇବେ କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ଅଗଷ୍ଟ ୩୧ ତାରିଖରେ ଯାଞ୍ଚ୍ ଓ ସଂଶୋଧନ ପ୍ରକ୍ରିୟା ଶେଷ ହେଲା ପରେ ସରକାର ଏ ନେଇ ନିଷ୍ପତ୍ତି ନେବେ ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

କାଳିଆ ଯୋଜନାରେ ହିତାଧିକାରୀଙ୍କ ଯାଞ୍ଚ୍ ଓ ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ନେଇ ଆଜି ଏକ ବୈଠକ କୃଷି ଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଧ୍ୟକ୍ଷତା କରି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ଯାଞ୍ଚ୍ ଅଧିକାରୀମାନେ ଯାଞ୍ଚ୍ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେପରି କୌଣସି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍ ନ ପଡ଼ନ୍ତି ତାହାକୁ ଦେଖିବା ସହ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ କଡ଼ା ପଦକ୍ଷେପ ନେବାକୁ ମନ୍ତ୍ରୀ କହିଥିଲେ।

ବୈଠକ ପରେ ଗଣମାଧ୍ୟମକୁ ମନ୍ତ୍ରୀ କହିଥିଲେ, କାଳିଆ ଯୋଜନାରେ ୫୧,୦୫,୨୯୦ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୭୨ ପ୍ରତିଶତ ହିତାଧିକାରୀ ଅର୍ଥାତ ୩୬,୮୮,୦୦୦ ହିତାଧିକାରୀଙ୍କ ଯାଞ୍ଚ୍ କାର୍ଯ୍ୟ ସରିଛି। ଅଗଷ୍ଟ ୨୭ ତାରିଖରେ ପଞ୍ଚାୟତ ସ୍ତରରେ ଯାଞ୍ଚ୍ ପ୍ରକ୍ରିୟା ଶେଷ କରାଯିବା ପରେ ୨୯ ତାରିଖରେ ବ୍ଲକ୍‌ ସ୍ତରରେ ଓ ୩୧ ତାରିଖରେ ଜିଲ୍ଲା ସ୍ତରରେ ଏହାକୁ ଚୂଡ଼ାନ୍ତ କରାଯାଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ପଠାଯିବ। ସମସ୍ତ ତଥ୍ୟକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଜିର ବୈଠକରେ କାଳିଆ ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଯୋଜନାରେ ୧୯,୨୪୭ ଜଣ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିଛନ୍ତି। ଅନ୍‌ଲାଇନ୍‌ରେ କରାଯାଇଥିବା ଏହି ଆବେଦନଗୁଡ଼ିକୁ ସଂପୃକ୍ତ ଶିକ୍ଷାନୁଷ୍ଠାନ ଓ ବିଭାଗୀୟ ଅଧିକାରୀମାନଙ୍କ ଦ୍ବାରା ଯାଞ୍ଚ୍ କରାଯାଇ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ବୈଠକରେ କୃଷି ଉତ୍ପାଦନ କମିସନର୍‌ ପ୍ରଦୀପ୍ତ କୁମାର ମହାପାତ୍ର, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏମ୍ ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ‌େଦଇଥିଲେ।

ସମ୍ବନ୍ଧିତ ଖବର