୫୧ ଲକ୍ଷରେ କାହିଁକି ଅଟକିଲେ ସରକାର?

କାଳିଆ ଯୋଜନା ନେଇ ସରକାରଙ୍କୁ ଘେରିଲା ବିଜେପି, ୨୪ ଲକ୍ଷ ଚାଷୀ କେବେ ଯୋଜନାରେ ସାମିଲ ହେବେ?

ଭୁବନେଶ୍ବର : ରାଜ୍ୟରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗତ ମେ’ ୨୯ ତାରିଖ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଘୋଷଣା କରିଥିଲେ। ଏବେ ସୁଦ୍ଧା ମାତ୍ର ୫୧ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଅର୍ଥ ଦିଆଯାଇଛି ବୋଲି ସରକାର ନିଜେ ସ୍ବୀକାର କରୁଛନ୍ତି। ସରକାର କାହିଁକି ୫୧ ଲକ୍ଷରେ ଅଟକିଗଲେ ? ବାକି ୨୪ ଲକ୍ଷ ଚାଷୀଙ୍କୁ କେବେ କାଳିଆ ଯୋଜନାରେ ସାମିଲ କରାଯିବ ? ନଭେମ୍ବର ମାସରେ କାଳିଆ ଯୋଜନାର ଦ୍ବିତୀୟ କିସ୍ତି ପ୍ରଦାନ କରାଯିବ ବୋଲି ଘୋଷଣା ହେଲା ପରେ ବିଜେପି ଏମିତି ପ୍ରଶ୍ନ କରି ସରକାରଙ୍କୁ ଘେରିଛି।

ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, କାଳିଆ ଯୋଜନାରେ ବହୁ ପ୍ରକୃତ ଚାଷୀଙ୍କୁ ପଇସା ମିଳିନି। ମୋବାଇଲ୍‌କୁ ମେସେଜ୍ ଆସୁଛି, ହେଲେ ବ୍ୟାଙ୍କକୁ ପଇସା ଆସୁନି ବୋଲି ଅଭିଯୋଗ ଆସୁଛି। ବାସ୍ତବରେ କେତେ ଚାଷୀଙ୍କୁ କାଳିଆ ଯୋଜନା‌େର ପଇସା ମିଳିସାରିଛି ଓ ଆଉ କେତେ ଚାଷୀଙ୍କୁ ପଇସା ମିଳିବ, ତାହା ଆଜି ଯାଏ ସରକାର ଠିକ୍ ଭାବେ କହିପାରୁ ନାହାନ୍ତି। କାଳିଆ ଯୋଜନାରେ କେତେ ଚାଷୀ ଆବେଦନ କରିଥିଲେ, କେତେ ଚାଷୀଙ୍କୁ ସରକାର ଅର୍ଥ ଦେଲେ ଓ ଆଗାମୀ ଦିନରେ କେତେ ଚାଷୀଙ୍କୁ ଦେବେ, ତାହାର ଏକ ଶ୍ବେତ ପତ୍ର ସରକାର ପ୍ରକାଶ କରିବାକୁ ଶ୍ରୀ ମହାନ୍ତି ଦାବି କରିଥିଲେ।

ସେ ଆହୁରି କହିଥିଲେ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବାରମ୍ବାର ଚାଷୀଙ୍କ ତାଲିକା ମାଗୁଥିଲା ବେଳେ ରାଜ୍ୟ ସରକାର ତାଲିକା ନ ଦେଇ ଓଡ଼ିଶାର ଚାଷୀମାନଙ୍କୁ ସେମାନଙ୍କ ଅଧିକା‌ରରୁ ବଞ୍ଚିତ କରୁଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର ୪୫ ଲକ୍ଷ ଚାଷୀଙ୍କୁ କିଷାନ ଯୋଜନାରେ ଅର୍ଥ ଦେବା ପାଇଁ ଚାହୁଁଥିଲା ବେଳେ ରାଜ୍ୟ ସରକାର ମାତ୍ର ୨୨ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି। ଏବେ କେନ୍ଦ୍ର ସରକାର ସମସ୍ତ ଚାଷୀଙ୍କୁ କିଷାନ ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି। ରାଜ୍ୟ ସରକାର ତୁରନ୍ତ ରାଜ୍ୟର ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେବାକୁ ଶ୍ରୀ ମହାନ୍ତି ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ଉପସ୍ଥିତ ଥିଲେ।

କାଳିଆ ଯୋଜନାକୁ ନେଇ ବିଜେପି ଭୟଭୀତ : ବିଜେଡି

ଭୁବନେଶ୍ବର : କାଳିଆ ଯୋଜନା ନେଇ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, କାଳିଆ ଯୋଜନାକୁ ନେଇ ବିଜେପି ଭୟଭୀତ ହୋଇପଡ଼ିଛି। ଗତକାଲି ଦ୍ବିତୀୟ କିସ୍ତି ପାଇଁ ଘୋଷଣା ହେବା ପରେ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ ଡାକି ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ରାଜ୍ୟର ଚାଷୀମାନେ କାଳିଆ ଯୋଜନାର ଦ୍ବିତୀୟ କିସ୍ତି ଅର୍ଥ ପାଆନ୍ତୁ ନାହିଁ ବୋଲି ବିଜେପି ଚାହୁଁଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଏପରି ଚାଷୀ ବିରୋଧୀ ମନ୍ତବ୍ୟକୁ ସବୁ ସ୍ତରରେ ନିନ୍ଦା କରାଯିବା ଆବଶ୍ୟକ।

ଶ୍ରୀ ପାତ୍ର ଆହୁରି କହିଛନ୍ତି, ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କାଳିଆ ଯୋଜନାକୁ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସା କରାଯାଉଥିଲା ବେଳେ ନିଜର ସ୍ଥିତି ରକ୍ଷା ପାଇଁ ବିଜେପି ଏହାକୁ ଯେପରି ବିରୋଧ କରୁଛି, ତାହା ରାଜ୍ୟର ଚାଷୀ କୂଳ ପ୍ରତି ଉପହାସ। ଦେଶର ପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କ ସହିତ ପଞ୍ଚଦଶ ଅର୍ଥ କମିସନ୍ ମଧ୍ୟ କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି। ଏହି ଯୋଜନାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରକ୍ଷା‌ କରାଯାଇଥିଲା ବେଳେ ଲକ୍ଷ ଲକ୍ଷ ଚାଷୀ ଏହା ଦ୍ବାରା ଉପକୃତ ହୋଇଛନ୍ତି। କିନ୍ତୁ ବିଜେପି ହାତରେ କୌଣସି ପ୍ରସଙ୍ଗ ନ ଥିବାରୁ ନିଜର ସ୍ଥିତି ବଞ୍ଚାଇବା ପାଇଁ ଚାଷୀ କଲ୍ୟାଣକାରୀ ଯୋଜନାକୁ ବିରୋଧ କରୁଛି।

ସମ୍ବନ୍ଧିତ ଖବର