‘କାଳିଆ’ ‌ଯୋଜନା ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ‘କାଳିଆ’ ଯୋଜନା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେଥିମଧ୍ୟରୁ କିଛି ପ୍ରତିକ୍ରିୟା ଏଠାରେ ସ୍ଥାନିତ କରାଯାଇଛି।

ଆମର ବିଶ୍ବାସ ଓ ସଂସ୍କୃତି ଅନୁସାରେ ପ୍ରଭୁ ଜଗନ୍ନାଥ ଚାଷୀ ନୁହଁନ୍ତି। ତାଙ୍କ ଭାଇ ବଳଭଦ୍ର ଜଣେ ଚାଷୀ। ଏଥିପାଇଁ ତାଙ୍କର ଅନ୍ୟ ନାମ ହଳଧର। ଏହି ବିଶ୍ବାସରୁ ଲୋକେ ଗୋ-ପୂଜା କରିଥାନ୍ତି। ଏହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ‘କାଳିଆ’ ଯୋଜନାର ଧାରଣା ସଂପୂର୍ଣ୍ଣ ରୂପେ ଭୁଲ୍‌। ତେବେ ଭୁବନେଶ୍ବର ବାହାରେ ଥିବାରୁ ଯୋଜନା ସଂପର୍କରେ ଅନୁଧ୍ୟାନ କରିବା ପରେ ସେ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତିି।
ନିରଞ୍ଜନ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ସଭାପତି

ରାଜ୍ୟରେ ଚାଷୀ ଆଜି ଚାହିଁ ବସିଥିଲେ, ମୁଖ୍ୟମନ୍ତ୍ରୀ କୃଷିଋଣ ଛାଡ଼ ଘୋଷଣା କରିବେ। ଠିକ୍‌ ନିର୍ବାଚନ ପୂର୍ବରୁ ବିନା ବଜେଟ୍‌ ବ୍ୟବସ୍ଥାରେ ଭାଗଚାଷୀ ଗଣନା ନ କରି ଏପରି ଯୋଜନା କରି ମୁଖ୍ୟମନ୍ତ୍ରୀ ପୁଣି ଓଡ଼ିଶାର ଚାଷୀମାନଙ୍କୁ ଠକିଛନ୍ତି। ଯଦି କୃଷକଙ୍କ ପାଇଁ ଏତେ ଦରଦ, ତେବେ ଲଲିପପ୍‌ ନ ଦେଖାଇ ତୁରନ୍ତ କୃଷିଋଣ ଛାଡ଼ କରନ୍ତୁ। ନିର୍ବାଚନ ଆଉ ମାତ୍ର ଚାରିମାସ ରହିଲା। ଏପରି ସ୍ଥଳେ ଏହି ଯୋଜନାର ମାନେ କିଛି ନାହିଁ। ରାଜ୍ୟ ସରକାର ଏବେ ସୁଦ୍ଧା ଚାଷୀ ଆତ୍ମହତ୍ୟା ମାନୁନାହାନ୍ତି। ସେହିପରି କୁଆଡ଼େ ଗଲା ଆଳୁ ମିସନ, ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଆଦି? ବିଜୁ କୃଷକ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୫ ଲକ୍ଷ ଚାଷୀଙ୍କ କଥା ସରକାର କହୁଥିଲେ। ଏବେ ୬୦ ଲକ୍ଷ ଚାଷୀଙ୍କ କଥା କହୁଛନ୍ତି। କେଉଁଟି ସତ ବୋଲି ଶ୍ରୀ ମହାନ୍ତି ପଚାରିଛନ୍ତି।
ସମୀର ମହାନ୍ତି, ବିଜେପି ଉପସଭାପତି

ଏହି ଯୋଜନାରେ କୌଣସି ନୂଆ ଘୋଷଣା ହୋଇନାହିଁ। ବରଂ ପୁରୁଣା ଜିନିଷକୁ ଭିନ୍ନ ଶୈଳୀରେ ଉପସ୍ଥାପନ କରାଯାଇଛି। ଏଥିରେ ଜୀବନ ଜିଇଁବାର ଅଧିକାର ନେଇ ଆମ ସଂଗଠନ ଉଠାଇଥିବା ଚାଷୀଙ୍କ ସାମାଜିକ ସୁରକ୍ଷା ପ୍ରସଙ୍ଗ ହେଉ ବା ପେନ୍‌ସନ୍‌ ଭଳି ଦାବିର ଚିହ୍ନବର୍ଣ୍ଣ ନାହିଁ। ଚାଷୀଙ୍କ ଜୀବିକା ପାଇଁ ଯେଉଁ ସହାୟତା ‌ବ୍ୟବସ୍ଥା କରାଯାଇଛି ତାହା ମଧ୍ୟ ଭିନ୍ନ ଭିନ୍ନ ଯୋଜନାରେ ରହିଛି। ବିଶେଷ କରି ନାବାର୍ଡ ଯୋଗାଉଥିବା ଆର୍ଥିକ ସହାୟତାକୁ ସରକାର ସ୍ବତନ୍ତ୍ର ଭାବେ ଉପସ୍ଥାପନ କରିଛନ୍ତି।
ଅକ୍ଷୟ କୁମାର, ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ

୧୯ ବର୍ଷ ପରେ ରାଜ୍ୟ ସରକାର ଚାଷୀଙ୍କ ସଂପର୍କରେ ଚିନ୍ତା କଲେ, ଏହା ସ୍ବାଗତଯୋଗ୍ୟ। କିନ୍ତୁ ଓଡ଼ିଶାରେ ଥିବା ନାମମାତ୍ର, ଭାଗଚାଷୀଙ୍କୁ ସୁରକ୍ଷା ଦେବା ପାଇଁ ଆଇନ ଆଣିବାରେ ସରକାର ବିଫଳ ହୋଇଛନ୍ତି। ପ୍ରାକୃତିକ ଦୁର୍ବିପାକରେ ଶିକାର ହୋଇଥିବା ନାମମାତ୍ର ଓ ଭାଗଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସଠିକ୍‌ ସମୟରେ ସହାୟତା ଯୋଗାଇଦେବା କ୍ଷେତ୍ରରେ ବି ବିଫଳ ହୋଇଛନ୍ତି। କିନ୍ତୁ ନିର୍ବାଚନ ପୂର୍ବରୁ ଏହି ‌େଯାଜନାକୁ ଘୋଷଣା କରାଯାଇଛି। ଏହା କେବଳ ନିର୍ବାଚନୀ ଧୂଆଁବାଣ ନ ହେଉ। ଏ ବାବଦ ଅର୍ଥ ବ୍ୟବସ୍ଥାରେ ବଜେଟ୍‌ରେ କରିବା ସହ ଜଳସେଚନ, ଫସଲ ପାଇଁ ବଜାର ସୃଷ୍ଟି, ରକ୍ଷଣାବେକ୍ଷଣ ପାଇଁ ଶୀତଳ ଭଣ୍ଡାର ନିମନ୍ତେ ବ୍ୟୟବରାଦ ବୃଦ୍ଧି କରିବାର ଆବଶ୍ୟକତା ରହିଛି। କିନ୍ତୁ ଆଜିର କ୍ୟାବିନେଟ୍‌ ଏ ସଂପର୍କରେ ନିରବ। ଆଶା କରୁଛି, ‘କାଳିଆ’ ଯୋଜନାକୁ କାଳିଆ ଭରସାରେ ନ ଛାଡ଼ି ଚାଷୀଙ୍କ ପାଇଁ ଥିବା ଆନ୍ତରିକତା ସରକାର ପ୍ରମାଣିତ କରନ୍ତୁ।
ରାମକୃଷ୍ଣ ପଣ୍ଡା, ସିପିଆଇ ଜାତୀୟ ପରିଷଦ ସଭ୍ୟ

ଏହି ଯୋଜନା ମୁଖ୍ୟତଃ ଲୋକପ୍ରିୟ। କିନ୍ତୁ ଲୋକାଭିମୁଖୀ ନୁହେଁ। ଏଭଳି ଯୋଜନାଗୁଡ଼ିକ ଜରିଆେର ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ବଢ଼ୁଛି। ଏହି ଯୋଜନାରେ ସାମୟିକ ଭାବେ କିଛି ଚାଷୀ ଉପକୃତ ହୋଇପାରନ୍ତିି, କିନ୍ତୁ ଏହି ଯୋଜନା କୃଷି ଓ କୃଷକଙ୍କ ବିକାଶକୁ ଦୀର୍ଘସ୍ଥାୟୀ କରିବାର ସମ୍ଭାବନା କମ୍‌।
ପ୍ରଫେସର କୁମରବର ଦାସ, ଅର୍ଥନୀତିଜ୍ଞ

ସମ୍ବନ୍ଧିତ ଖବର