କାଳିଆ ଯୋଜନା: ପ୍ରଥମ ପର୍ଯ୍ୟ‌ାୟରେ ୬୫ ଲକ୍ଷ ଆବେଦନ

୨୨ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ଚୂଡ଼ାନ୍ତ ତାଲିକା

ଭୁବନେଶ୍ବର : ‘କାଳିଆ’ ଯୋଜନାକୁ ସଫଳତାର ସହ ଲାଗୁ କରିବାକୁ ସରକାରୀ ସ୍ତରରେ ଜୋର୍‌ଦାର୍ ପ୍ରସ୍ତୁତି ଚାଲିଛି। ଏହି ଯୋଜନା ପାଇଁ ପ୍ରଥମ ପର୍ଯ୍ୟାୟର ଆବେଦନର ‌େଶଷ ତାରିଖ ଥିଲା ଜାନୁଆରି ୧୫। ଏହି ଦିନ ସୁଦ୍ଧା ମୋଟ୍ ୬୫ ଲକ୍ଷରୁ ଅଧିକ ସବୁଜ ଫର୍ମ ସଂଗୃହୀତ ହୋଇଛି। ଏଗୁଡ଼ିକ ଏବେ ବ୍ଲକ୍‌ ସ୍ତରରେ ତାଲିକାଭୁକ୍ତ କରାଯାଉଛି। ଆବଶ୍ୟକ ଯାଞ୍ଚ୍ ପରେ ୨୨ ତାରିଖ ସୁଦ୍ଧା‌ ପ୍ରଥମ ପର୍ଯ୍ୟାୟ ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୧୨ରୁ ୧୪ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ସମବାୟ ସଚିବ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି।

ଆଜି ସଚିବାଳୟରେ ଗଣମାଧ୍ୟମକୁ ଶ୍ରୀ କୁମାର କହିଥିଲେ, ପ୍ରାୟ ୧ ଲକ୍ଷ ଲୋକ ଏହି ଯୋଜନାରୁ ବାଦ୍ ପଡ଼ିବା ପାଇଁ ଲାଲ ଫର୍ମ ବି ପୂରଣ କରିଛନ୍ତି। ଯେଉଁ ଚାଷୀମାନେ ପ୍ରଥମ ପର୍ଯ୍ୟ‌ାୟରେ ତାଲିକାଭୁକ୍ତ ହୋଇ ନ ଥିବେ, ସେମାନେ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ। ଦ୍ବିତୀୟ ପର୍ଯ୍ୟାୟ ଆବେଦନ ଜାନୁଆରି ୨୫ରୁ ଫେବ୍ରୁଆରି ୫ ମଧ୍ୟରେ କରାଯିବ। ତୃତୀୟ ପର୍ଯ୍ୟାୟ ଆବେଦନ ମାର୍ଚ୍ଚ ମାସ‌େର କରାଯିବ। ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନଙ୍କୁ ସହାୟତା ୨୫/୨୬ ତାରିଖ ସୁଦ୍ଧା ଆକାଉଣ୍ଟ୍‌କୁ ଯିବ ବୋଲି ସଚିବ ସୂଚନା ଦେଇଛନ୍ତି।

‘କାଳିଆ’ ଯୋଜନାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ୧୪ ହଜାରରୁ ଅଧିକ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ବ୍ଲକ୍ ସ୍ତରରେ ନିୟୋଜିତ କରାଯାଇଛି। ଏହି ଯୋଜନାର ସୁପରିଚାଳନା ପାଇଁ ରାଜ୍ୟ ସରକାର ୩୦ଟି ଜିଲ୍ଲା ନିମନ୍ତେ ୨୮ ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର