୪,୭୫୨ ପରିବାର ଫେରାଇବେ କାଳିଆ ଟଙ୍କା

ନୋଟିସ୍‌ ଜାରି, କୃଷି ବିଭାଗ ପାଖରେ ଖବର ନାହିଁ

ଯାଜପୁର/ଟାଉନ/ବରୀ : କରୋନାରେ ଜୀବନଜୀବିକା‌ ନେଇ ସାଧାରଣ ଲୋକ ସନ୍ତୁଳି ହେଉଛନ୍ତି। ଜୀବିକାକୁ ନେଇ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହି ପରିସ୍ଥିତିରେ ଯାଜପୁର ଜିଲ୍ଲାରେ ୪ହଜାର ୭୫୨ଜଣ ଚାଷୀଙ୍କୁ କାଳିଆ ଯୋଜନାରେ ମିଳିଥିବା ସହାୟତା ରାଶି ଫେରାଇବା ପାଇଁ ନୋଟିସ୍ ଜାରି କରାଯାଇଛି। ଏମାନଙ୍କ ମଧ୍ୟରେ କେତେକ ପ୍ରଥମ କିସ୍ତି ୫ ହଜାର ଟଙ୍କା ଓ ଅବଶିଷ୍ଟ ୧୦ହଜାର ଟଙ୍କା ଦ୍ବିତୀୟ କିସ୍ତି ପାଇବାରେ ସାମିଲ ଥିଲେ। ତେବେ କେଉଁ ଆଧାରରେ ଏହି ଟଙ୍କା ଫେରାଇବାକୁ ନୋଟିସ ହୋଇଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଯାଜପୁର ଜିଲ୍ଲାର ମୋଟ ୪ହଜାର ୭୫୨ଜଣ ଚାଷୀଙ୍କୁ କାଳିଆ ଟଙ୍କା ଫେରାଇବାକୁ ନୋଟିସ୍ ଜାରି ହୋଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ଯାଜପୁର ବ୍ଲକର ୧,୩୧୯ ଚାଷୀ ଅଛନ୍ତି। ସେହିପରି ବଡ଼ଚଣାରେ ୭୦୮ଜଣ ଚାଷୀ, ଧର୍ମଶାଳାର ୫୮୬ଜଣ, ଦଶରଥପୁରର ୩୮୦ଜଣ, ସୁକିନ୍ଦାର ୩୩୭ଜଣ, ବିଂଝାରପୁର ୩୨୧ଜଣ, ବରୀ ୩୧୨ଜଣ, ଦାନଗଦୀ ୨୫୦ଜଣ, ରସୁଲପୁର ୨୩୮ଜଣ ଚାଷୀ ଅନ୍ତର୍ଭୁକ୍ତ। କାଳିଆ ଟଙ୍କା ଫେରସ୍ତ ଟୋଟିସ୍ ପାଇବା ପରେ ଚାଷୀମାନଙ୍କ ମଧ୍ୟରେ ଅଲୋଡ଼ନ ଖେଳିଯାଇଛି। ଏ ସମ୍ପର୍କରେ ସବିଶେଷ ତଥ୍ୟ ବ୍ଲକ୍ କିମ୍ବା ଜିଲ୍ଲା କୃଷି ବିଭାଗରେ ନାହିଁ। ରାଜ୍ୟସ୍ତରରୁ କରାଯାଇଛି ବୋଲି ଅଧିକାରୀମାନେ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର