କାଳିଆ ଯୋଜନାରେ କୌଣସି ଜାଲ୍‌ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇନି: କୃଷି ମନ୍ତ୍ରୀ

ଚଳିତମାସରୁ ଦ୍ବିତୀୟ କିସ୍ତି ଅର୍ଥ ପ୍ରଦାନ ଆରମ୍ଭ ହୋଇଛି, ୪୫,୯୬୫ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ଅଣାଯିବ

ଭୁବନେଶ୍ବର : କାଳିଆ ଯୋଜନାରେ କୌଣସି ଜାଲ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇନି। ଆଜି ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଏପରି ସ୍ପଷ୍ଟ କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ। ଏହି ଯୋଜନାରେ ଦ୍ବିତୀୟ କିସ୍ତି ଅର୍ଥ ଚଳିତମାସରୁ ପ୍ରଦାନ କରିବା ଆରମ୍ଭ ହୋଇଛି। ଯୋଗ୍ୟ ତାଲିକାରୁ ବାଦ ପଡ଼ିଥିବା ହିତାଧିକାରୀମାନେ କିପରି ସହାୟତା ପାଇ ପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ସାହୁ ଉତ୍ତର ରଖିଛନ୍ତି।

ବିଧାୟକ ଶ୍ରୀ ପଟ୍ଟନାୟକ ପ୍ରାୟ ୩୨ ହଜାର ଜାଲ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ଯାଇଥିବା ନେଇ ପ୍ରଶ୍ନ କରିଥିଲେ। ଏହାସହିତ ବିଧାୟକମାନେ ଅଞ୍ଚଳ ଗସ୍ତ କରିବାବେଳେ ବହୁ ଯୋଗ୍ୟ ଲୋକ କାଳିଆ ଯୋଜନାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ସମାନ ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ, ବିଜେପି ବିଧାୟକ ମଦନମୋହନ ଦତ୍ତ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କାଳିଆ ଯୋଜନାରେ କେତେ ଅଯୋଗ୍ୟ ହିତାଧିକାରୀ ଥିବା ନେଇ ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି,ଏହି ଯୋଜନାରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କ ତାଲିକା ଅନୁଯାୟୀ ପ୍ରତ୍ୟେକଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅଭିଯୋଗ ମିଳିବା ପରେ ସରକାର ହିତାଧିକାରୀ ତାଲିକା ଯାଞ୍ଚ କରିଥିଲେ। ଏବେସୁଦ୍ଧା ୪୫ ହଜାର ୯୬୫ ଜଣଙ୍କୁ ଅଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି। ସେମାନଙ୍କୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଥିବା ଅର୍ଥର ପରିମାଣ ହେଉଛି ୨୨ ଲକ୍ଷ ୯୮ ହଜାର ୨୫ ହଜାର ଟଙ୍କା। ଏବେ ବି ଯାଞ୍ଚ କାର୍ଯ୍ୟ ଚାଲୁ ରହିଛି। ଯାଞ୍ଚ ସରିବା ପରେ ଯୋଗ୍ୟ ହିତାଧିକାରୀଙ୍କର ଚୂଡ଼ାନ୍ତ ତାଲିକା ଅନଲାଇନରେ ଉପଲବ୍ଧ କରାଯିବ। ସରକାରଙ୍କୁ ମିଳିଥିବା ୪୦ ଲକ୍ଷ ଦରଖାସ୍ତକାରୀଙ୍କ ତାଲିକାର ତର୍ଜମା କରାଯାଇ ହିତାଧିକାରୀଙ୍କୁ ଚୟନ କରାଯାଇଛି ଏବଂ ସେମାନଙ୍କୁ ମଧ୍ୟ ଚଳିତ ନଭେମ୍ବର ମାସରେ ସହାୟତା ପ୍ରଦାନ କରାଯିବ। ଏହାସହିତ ଅଯୋଗ୍ୟ ହିତାଧିକାରୀ ନେଇଥିବା ଟଙ୍କା ଫେରସ୍ତ ଅଣାଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ଉତ୍ତରରେ ସ୍ପଷ୍ଟ କରିଛନ୍ତି। କାଳିଆ ଯୋଜନାରେ ମୋଟ ହିତାଧିକାରୀଙ୍କ ମଧ୍ୟରୁ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୧୪ ଲକ୍ଷ ୭୦ ହଜାର ୫୮୦ ଜଣ ଭୂମିହୀନ କୃଷି ଶ୍ରମିକ ଅଛନ୍ତି।

ସମ୍ବନ୍ଧିତ ଖବର