ସ୍ପଷ୍ଟୀକରଣ ଦେବା ପରେ ନିଷ୍ପତ୍ତି : ‘କାଳିଆ’କୁ ଝୁଲାଇ ରଖିଲେ ସିଇଓ

ଭୁବନେଶ୍ବର : ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କାଳିଆ ସହାୟତା ବଣ୍ଟନ ହୋଇପାରିବ କି ନାହିଁ ସେ ନେଇ ବିଜେଡିର ତମ୍ବି ତୋଫାନ ପରେ ମୁହଁ ଖୋଲିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)। ଆଜି ଏକ ପ୍ରେସନୋଟ୍ ଜାରି କରି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜଣାଇଛନ୍ତି, ଗତ ୨୩ ତାରିଖରେ ରାଜ୍ୟ ସରକାର ଅନୁମତି ମାଗିବାରେ ତ୍ରୁଟି କରିଥିଲେ। ୫ ଲକ୍ଷ ୬୪ ହଜାର ଚାଷୀଙ୍କ ସହାୟତା ପ୍ରଦାନ ନେଇ ଅଧିକ ତଥ୍ୟ ରାଜ୍ୟ ସରକାରଙ୍କୁ ମଗାଯାଇଛି। ତଥ୍ୟ ମିଳିବା ପରେ ନିର୍ବାଚନ କମିସନ ସହାୟତା ବଣ୍ଟନ ନେଇ ଅନୁମତି ଦେବାକୁ ନିଷ୍ପତ୍ତି ନେବେ।

ଶୁକ୍ରବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ପ୍ରେସ ନୋଟରେ ଦର୍ଶାଯାଇଛି, ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତାବ ନିୟମାନୁଯାୟୀ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କ୍ରିନିଂ କମିଟି ମାଧ୍ୟମରେ ଆସିବା ଆବଶ୍ୟକ। କିନ୍ତୁ ୫ ଲକ୍ଷ ୬୪ ହଜାର ହିତାଧିକାରୀଙ୍କୁ କାଳିଆ ସହାୟତା ବଣ୍ଟନ ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାର ଗତ ୨୩ ତାରିଖରେ ସିଧାସଳଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିଥିଲେ। ଯାହାକି ନିୟମ ବିରୁଦ୍ଧ।

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚଳିତ ମାସ ପହିଲାରେ ବିଜ୍ଞପ୍ତି ପ୍ରକାଶ କରି ଉପରୋକ୍ତ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨.୫ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୫ ଲକ୍ଷ ଭୂମିହୀନ କୃଷି ପରିବାରଙ୍କୁ ଏପ୍ରିଲ ପହିଲାରୁ ଖରିଫ ସହାୟତା ଯୋଗାଇଦେବା ନିମନ୍ତେ ଅନୁମତି ଲୋଡ଼ାଯାଇଥିଲା। ପ୍ରସ୍ତାବରେ ଉଲ୍ଲେଖ ରହିଥିଲା ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ କାଳିଆ ଯୋଜନା ପାଇଁ ଆବଶ୍ୟକ ପ୍ରାଶାସନିକ ଓ ଆର୍ଥିକ ମଞ୍ଜୁରି ପ୍ରାପ୍ତ କରାଯାଇଥିଲା। ଚାଷୀମାନଙ୍କ ତଥ୍ୟ ସବୁଜ ଫର୍ମ ଜରିଆରେ ସଂଗ୍ରହ କରାଯାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ମାର୍ଚ୍ଚ ପହିଲାରୁ ପ୍ରକାଶିତ କରାଯାଇଥିଲା।

ଶ୍ରୀକୁମାର ଆହୁରି ଦର୍ଶାଇଛନ୍ତି, ପ୍ରସ୍ତାବଟିକୁ ଯାଞ୍ଚ କରିବା ପରେ ଅଧିକ ତଥ୍ୟର ଆବଶ୍ୟକତା ଥିବାରୁ ରାଜ୍ୟ ସରକାରଙ୍କୁ ଦୁଃଖ ପ୍ରକାଶ କରି ଫେରେଇ ଦିଆଯାଇଥିଲା। ପୁନର୍ବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କ୍ରିନିଂ କମିଟି ଜରିଆରେ କାଳିଆ ଯୋଜନା ବାବଦରେ ଦୁଇଟି ପ୍ରସ୍ତାବକୁ ରାଜ୍ୟ ସରକାର ଗତ ୨୭ ତାରିଖରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ପଠାଇଛନ୍ତି। ସେଥିରୁ ଗୋଟିଏ ହେଲା ଚଳିତ ମାସ ପହିଲାରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରବି ଋତୁ ସହାୟତା ବାବଦରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୫ ଲକ୍ଷ ୬୪ ହଜାର ଚାଷୀଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁମତି ସହ ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟର ୨.୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଏବଂ ୫ ଲକ୍ଷ ଭୂମିହୀନ ଚାଷୀଙ୍କୁ ଖରିଫ ସହାୟତା ପ୍ରଦାନ।

ଏ ସମ୍ପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟ ଶାସନ ସଚିବ ଓ କୃଷି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଠାରୁ ସ୍ପଷ୍ଟୀକରଣ ପାଇଁ ଅଧିକ ତଥ୍ୟ ମଗାଯାଇଛି। ଯାହାକୁ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଆବଶ୍ୟକ ତଥ୍ୟ ମିଳିବା ପରେ କାଳିଆ ସହାୟତା ବଣ୍ଟନ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର