‘କାଳିଆ’ର ରୂପ ବଦଳିଲା : ଆସନ୍ତା ଆର୍ଥିକ ବର୍ଷରୁ କାଳିଆ ଯୋଜନାରେ ୪ ହଜାର ଟଙ୍କା ମିଳିବ

୧୫ ତାରିଖ କ୍ୟାବିନେଟରେ ହୋଇଛି ନିଷ୍ପତ୍ତି, ୩୦ରେ ବିଜ୍ଞପ୍ତି
ସହରାଞ୍ଚଳ ଚାଷୀ ଉଭୟ ଯୋଜନାରେ ସାମିଲ ହେବେ ନାହିଁ
ଲୋକ ପ୍ରତିନିଧି, ବୃତ୍ତିଗତ ପେସାଧାରୀଙ୍କୁ କାଳିଆ ସହାୟତା ମନା

ଭୁବନେଶ୍ବର : କାଳିଆ ଯୋଜନା ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ସମ୍ପୂର୍ଣ୍ଣ ଦୂର ହୋଇଛି। ରାଜ୍ୟ ସରକାର ଗତ ନଭେମ୍ବର ୧୫ ତାରିଖରେ କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ କିଷାନ୍ ନିଧି ଯୋଜନା ଲାଗୁ କରିବା ଲାଗି କେବଳ ବାଟ ଖୋଲିଛନ୍ତି ତା ନୁହେଁ, ନିଜେ କାଳିଆ ଯୋଜନାକୁ ଲୋକପ୍ରିୟ ବୋଲି ବର୍ଣ୍ଣନା କରିବା ସତ୍ତ୍ବେ ତା’ର ଡଙ୍କ ମୋଡ଼ି ଦେଇ ସମ୍ପୂର୍ଣ୍ଣ ସଙ୍କୁଚିତ କରିଦେଇଛନ୍ତି। ଏ ସଂକ୍ରାନ୍ତରେ ଗତ ୩୦ ତାରିଖରେ ପ୍ରକାଶିତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି କାଳିଆ-ପିଏମ୍ କିଷାନ୍ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପରିବର୍ତିତ ମନୋଭାବ ସାମ୍ନାକୁ ଆଣିଛି।

ଏମିତି ଯେ ଚଳିତବର୍ଷ ରବି ଋତୁ ପାଇଁ କାଳିଆ ଯୋଜନାରେ କେବଳ ୫ହଜାର ଟଙ୍କା ମିଳିବ। ହେଲେ ଆସନ୍ତାବର୍ଷ ଠାରୁ କାଳିଆ ଯୋଜନାରେ ହିତାଧିକାରୀ ୪ ହଜାର ଟଙ୍କା ପାଇବେ। କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି ସୁବିଧା ମିଳିବ। ବଡ଼ ଚାଷୀମାନେ ଅନ୍ ଲାଇନରେ ପଞ୍ଜୀକରଣ କରି କେବଳ ପିଏମ୍ କିଷାନ ସହାୟତା ପାଇବେ। ଅର୍ଥାତ୍ ବଡ଼ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କାଟିଏ ମିଳିବାର ନାହିଁ। ଏହି ଯୋଜନାର ତଣ୍ଟି ମୋଡିବାକୁ ଯାଇ ରାଜ୍ୟ ସରକାର ଆହୁରି ତିନିଟି ବଡ଼ ପଦକ୍ଷେପ ନେଇଛନ୍ତି। ତାହା ହେଲା, ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ଆଉ ୧୨ହଜାର ୫୦୦ ଟଙ୍କା ମିଳିବାର ନାହିଁ। ସେ କ୍ଷେତ୍ରରେ ବି ୨ ହଜାର ୫ଶହ ଟଙ୍କା ଚାଷୀଙ୍କୁ କମ୍ ମିଳିବ, ଅର୍ଥାତ୍ ସେମାନେ ଏଣିକି ୧୦ ହଜାର ଟଙ୍କା ପାଇବେ। ସହରାଞ୍ଚଳର ଚାଷୀ ନା କାଳିଆ ନା ପିଏମ୍ କିଷାନ ନିଧି କୌଣସି ଥିରେ ସାମିଲ ହୋଇପାରିବେ ନାହିଁ।

ଜନ ପ୍ରତିନିଧି ଅର୍ଥାତ୍ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ପୂର୍ବତନ ସାଂସଦଙ୍କ ଠାରୁ ଆରମ୍ଭ କରି ମେୟର, ପଞ୍ଚାୟତ ଅଧ୍ୟକ୍ଷ ପ୍ରମୁଖଙ୍କୁ ଏହି ତାଲିକାକୁ ବାଦ୍ ଦିଆଯାଇଛି। ଡାକ୍ତର, ଇଞ୍ଜିନିୟର, ଓକିଲ, ଚାଟାର୍ଡ ଆକାଉଣ୍ଟାଣ୍ଟ, ସ୍ଥପତି ଆଦି ବୃତ୍ତିଗତ ବ୍ୟକ୍ତିବିଶେଷ କାଳିଆ ଯୋଜନାରୁ ବାଦ୍ ପଡିବେ। ସେମାନେ କେଉଁ ବର୍ଗର ବି ଚାଷୀ ହୋଇଥାନ୍ତୁନା କାହିଁକି, ପିଏମ୍ କିଷାନ୍ ଭଳି କାଳିଆ ଯୋଜନାରେ ବି ସେମାନଙ୍କୁ ସହାୟତା ମିଳିବ ନାହିଁ। ଆହୁରି ସାଂଘାତିକ କଥା ହେଲା, କାଳିଆ ଯୋଜନାରେ କୌଣସି ଋଣ ଦିଆଯିବ ନାହିଁ କିମ୍ବା ବିନା ସୁଧରେ ଋଣ ବ୍ୟବସ୍ଥା ଆଉ ରହିବ ନାହିଁ। ଯେହେତୁ ସମବାୟ ବିଭାଗ ବିନା ସୁଧରେ ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ନିଷ୍ପତ୍ତି ନେଇଛି, ସେ କ୍ଷେତ୍ରରେ କାଳିଆ ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୫୦ ହଜାର ଟଙ୍କାର ଋଣ ସହାୟତାର ଆବଶ୍ୟକତା ସରକାର ଅନୁଭବ କରୁନାହାନ୍ତି। ସରକାର କେବଳ ଏତିକି ଆଶ୍ବାସନାର କଥା କହିଛନ୍ତି ଯେ ପିଏମ୍ କିଷାନ ଯୋଜନା ଚାଲୁ ରହିବା ପର୍ଯ୍ୟନ୍ତ କାଳିଆ ଯୋଜନା ଚାଲୁ ରହିବ। କାଳିଆ ଯୋଜନାର ଅନ୍ୟ ଖର୍ଚ୍ଚ ବା ପ୍ରଶାସନିକ ବ୍ୟୟକୁ ବାଦ ଦେଇ ସରକାର ଆକଳନ କରିଛନ୍ତି ଯେ ୨୦୧୯-୨୦ ବର୍ଷ ପାଇଁ ୪୫୮୭ କୋଟି ୫୮ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ହେବ। ୨୦୨୦-୨୧ରେ ୩୪୦୪ କୋଟି ୨ଲକ୍ଷ ୨୪ ହଜାର ଟଙ୍କା ଖର୍ଚ୍ଚ ହେବ।

ଜଣେ ପୂର୍ବତନ ପ୍ରଶାସକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି କିନ୍ତୁ ଆଇନର କାଠଗଡା ଭିତରକୁ ଚାଲିଯିବା ଭଳି ପରିସ୍ଥିତି ସୃଷ୍ଟି କରିଛି। ଓଡ଼ିଶାରେ ୭୦ ଦଶକରୁ ଭାଗଚାଷୀ ବ୍ୟବସ୍ଥା ନିଷିଦ୍ଧ ରହିଛି। ରାଜ୍ୟ ସରକାର ହିଁ ଏହି ଆଇନ କରିଛନ୍ତି। ବିଧାନସଭାରେ ଏହି ପ୍ରସଙ୍ଗ ବାରମ୍ବାର ଉଠିଛି। ଏହା ସତ୍ତ୍ବେ କୃଷି ବିଭାଗର ବଡ଼ ବାବୁମାନେ ବେଧଡକ ଭାବେ ସରକାରୀ ବିଜ୍ଞପ୍ତିରେ ନିଷିଦ୍ଧ ବ୍ୟବସ୍ଥାକୁ ସାମିଲ କରିଛନ୍ତି। ଏଥିରେ ଭାଗଚାଷୀଙ୍କ କଥା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ସରକାର ଭାଗ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବା କଥା କହିଛନ୍ତି। ଅର୍ଥାତ୍ ଭାଗଚାଷୀ ବ୍ୟବସ୍ଥା ଆଇନତଃ ନିଷିଦ୍ଧ ଥିଲେ ହେଁ, ସରକାର ପ୍ରକୃତପକ୍ଷେ ଏହି କ୍ଷେତ୍ରରେ ଥିବା ଆଇନ ଓ ତତସଂକ୍ରାନ୍ତ ନିୟମ ଉପଯୋଗ କରିବା ଲାଗି ଆଉ ଚାହୁଁନାହାନ୍ତି। ସଂଶୋଧନ ପ୍ରସ୍ତାବ ଆଣି ସଂପୃକ୍ତ ଆଇନକୁ ରଦ୍ଦ ନ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ଅନୁମତି ଦେବା ସମ୍ପୂର୍ଣ୍ଣ ବେଆଇନ ଓ ଏହା ସରକାରଙ୍କୁ ମାମଲା ଭିତରେ ଛନ୍ଦି ଦେବା ବିଚିତ୍ର ନୁହେଁ ବୋଲି କୁହାଯାଇଛି।

କେବଳ ପ୍ରଶାସକ ନୁହେଁ, କାଳିଆ ଯୋଜନା ସଙ୍କୁଚିତ କରାଯିବା ପ୍ରସଙ୍ଗକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆଚମ୍ବିତ ହୋଇଛନ୍ତି। ଏହି ମହଲର କହିବା କଥା ହେଉଛି, ଯେଉଁ ଯୋଜନାକୁ ଆୟୁଧ କରି ସରକାର ଏକଦା ଦେଶତମାମ ପ୍ରଶଂସା ଗୋଟାଇଥିଲେ, ନିର୍ବାଚନ ରଣନୀତିରେ ଯେଉଁ ଯୋଜନା ପ୍ରତି ସର୍ବାଧିକ ଧ୍ୟାନ ଦିଆଯାଇଥିଲା, ତଥା ନିର୍ବାଚନର ଭୋଟବାହକ ବୋଲି କୁହାଯାଉଥିଲା, ସେ ଯୋଜନାର ତଣ୍ଟିକୁ ଏଭଳି ଚିପି ଦିଆଯିବା, ରାଜ୍ୟ ସରକାରଙ୍କ ପାଇଁ ବିପଜ୍ଜନକ ହୋଇପାରେ। ସରକାର ପୁଣି ଚାଷୀ ଅସନ୍ତୋଷକୁ ସାମ୍ନା କରିବା ବିଚିତ୍ର ନୁହେଁ। କାରଣ ନିର୍ବାଚନ ପରବର୍ତୀ ପରିସ୍ଥିତିରେ ସରକାରଙ୍କ ଏଭଳି ପଦକ୍ଷେପ ଚାଷୀମାନଙ୍କୁ ଆଦୌ ଖୁସି କରିବ ନାହିଁ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଉଭୟ ବିଜେପି ଓ ବିଜେଡ଼ି ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର। ନିର୍ବାଚନ ପୂର୍ବରୁ ବିଜେଡି ଯେଉଁ ଯୋଜନା ଘୋଷଣା କରିଥିଲା ତାହା କେବଳ ଭୋଟ ପାଇଁ ଥିଲା। ବର୍ତମାନ ସତ ଜଣାପଡ଼ୁଛି। ଟଙ୍କା ନଥିବାରୁ ଏବେ କେନ୍ଦ୍ର ଶରଣ ପଶୁଛନ୍ତି। ନିର୍ବାଚନ ପରେ ବିଜେଡି ଓ ବିଜେପି ରାଜନୈତିକ ଦୃଷ୍ଟିକୋଣରୁ ଏକ ହୋଇଯାଇଛନ୍ତି। ତେଣୁ କାଳିଆ, ଖାଦ୍ୟ ସୁରକ୍ଷା ପାଇଁ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି।

ସମ୍ବନ୍ଧିତ ଖବର