ଭୁବନେଶ୍ବର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଶୁଭାରମ୍ଭ କରିବେ। ୨୦୧୮ ମସିହାର ଶେଷ ଦିନରେ ସଚିବାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ବ୍ଲକର ଚାଷୀମାନଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ଗତ ୨୧ ତାରିଖରେ କ୍ୟାବିନେଟ ନିଷ୍ପତ୍ତି ମୁତାବକ ରାଜ୍ୟର କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ବାରନ୍ବିତ କରିବା ସହ କୃଷକଙ୍କ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ଏହି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ସରକାର।

Advertisment

ଏହି ଯୋଜନା ଦ୍ବାରା ରାଜ୍ୟର ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। ଏଥିରେ ପ୍ରତି ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ସହାୟତା ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୩ବର୍ଷରେ ୫ ଗୋଟି ଫସଲ ଋତୁ ପାଇଁ ଲାଗୁ ହେବ। କାଳିଆ ଯୋଜନାରେ ଭୂମିହୀନ ଚାଷୀ ପରିବାରକୁ ଆର୍ଥିକ ସହାୟତା ସହ ବୀମା ସୁରକ୍ଷା,ବିନା ସୁଧରେ ଫସଲ ଋଣ ଯୋଗାଇ ଦିଆଯିବ।